କିଟ୍‌ରେ ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‍ଘାଟିତ

0
2

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଜ୍ଞାନର ପ୍ରୟୋଗ ଅତ୍ୟନ୍ତ ଜରୁରୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଏବଂ ଏସ୍‍ଡିଜି: ସାଇନ୍‍ସ ଆଣ୍ଡ ଟେକ୍ନୋଲୋଜି ଇନୋଭେସନ୍‍ସ ବିଷୟବସ୍ତୁ ଆଧାରିତ ସଷ୍ଟେନେବଲ୍‍ ଗ୍ରୀନ୍‍ ଫ୍ରଣ୍ଟିୟର୍ସ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ କିଟ୍‌ରେ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ କିଟ୍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରି ରସାୟନ ବିଜ୍ଞାନ କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ପ୍ରତବର୍ଷ ଜଣେ ରସାୟନ ବିଜ୍ଞାନୀଙ୍କୁ କିଟ୍‍ ପକ୍ଷରୁ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ନିରନ୍ତର ସବୁଜ ସୀମା ଉପରେ ଏହି ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଓଡ଼ିଶା ଏନଭିରନମେଣ୍ଟ ସୋସାଇଟି ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନବସର୍ଜନା। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ କିପରି ପ୍ରୟୋଗ କରିବା, ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଭାରତ ସରକାରଙ୍କ ପ୍ରାକ୍ତନ ସଚିବ ଡ. ଅରୁଣ କୁମାର ରଥ ଯୋଗ ଦେଇଥିବା ବେଳେ ଡିଆର୍‍ଡିଓ ବେଙ୍ଗାଲୁରୁର ମହାନିର୍ଦ୍ଦେଶକ (ଇସିଏସ୍‍), ପ୍ରଫେସର ଟି କେ ବସ୍ତିଆ, ଓଡ଼ିଶା ପରିବେଶ ସମତି ସଂଯୋଜକ ପ୍ରଫେସର ଏସ୍‍ ଏନ୍‍ କୁଣ୍ଡୁ, କାର୍ଯ୍ୟକାରୀ ସଭାପତି ଡ. ଜୟକୃଷ୍ଣ ପାଣିଗ୍ରାହୀ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪୫୦ରୁ ଅଧିକ ପ୍ରତିନିଧି ଯୋଗଦାନ କରିଛନ୍ତି।

ବିଶ୍ୱସ୍ତରରେ ୨୦୧୬ ରୁ ୨୦୩୦ ପର୍ଯ୍ୟନ୍ତ ଜାତିସଂଘ ଆନୁକୁଲ୍ୟରେ କାର୍ଯ୍ୟକାରୀ ହେଉଥିବା ନିରନ୍ତର ବିକାଶ ଲକ୍ଷ୍ୟର ଗୁରୁତ୍ୱ ଏବଂ ଏ ସବୁ ଲକ୍ଷ୍ୟ ସାଧନ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଭାରତରେ ଏ ସବୁ ଲକ୍ଷ୍ୟ ହାସଲ ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ, ବିଶେଷତଃ ଯୁବ ବୈଜ୍ଞାନିକ ଗୋଷ୍ଠୀ ନବସର୍ଜନା ମାଧ୍ୟମରେ ସଫଳତା ହାସଲ କରିବାକୁ ଅତିଥିମାନେ ଆହ୍ୱାନ କରିଥିଲେ। ଏହି ଅବସରରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦାର୍ଥ ବିଜ୍ଞାନୀ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ, ଜୀବ ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ, ପରିବେଶ ବିଜ୍ଞାନୀ ପ୍ରଫେସର ବିନୋଦ ଚନ୍ଦ୍ର ଚୌଧୁରୀ ଏବଂ ଯାନ୍ତ୍ରିକ ବିଜ୍ଞାନୀ ଡ. ବିନୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ଏହି ସମ୍ମିଳନୀର ଆବାହକ ରୂପେ ୧୫ ବର୍ଷର ଅବଦାନ ନିମନ୍ତେ ମଧ୍ୟ ସମ୍ମାନୀତ କରାଯାଇଥିଲା। ଶେଷରେ ପରିବେଶ ସମିତିର ସମ୍ପାଦକ ଇଂ. ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed