କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

0
WhatsApp Image 2025-06-04 at 6.48.59 PM

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କିମସରେ ହେମୋଫାଗୋସାଇଟିକ୍  ଲିମ୍ଫୋହିଷ୍ଟିଓସାଇଟୋସିସ୍‍ ରୋଗରେ ପୀଡ଼ିତ ଜଣେ ୧୭ ବର୍ଷୀୟା ରୋଗୀଙ୍କଠାରେ ଏକ ବିରଳ ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏହା ଏକ ବିରଳ ବଂଶାନୁକ୍ରମିକ ରକ୍ତ ଜନିତ ରୋଗ। ବହୁ ପରୀକ୍ଷା ପରେ କିମ୍‍ସର ବିଶେଷଜ୍ଞମାନେ ଏହା ଏକ ବଂଶାନୁକ୍ରମିକ ରକ୍ତ ଜନିତ ହେମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍ ରୋଗ ବୋଲି ଜାଣି ପାରିଥିଲେ। ଏହାର ଉପଶମ ପାଇଁ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପରେ କିମ୍‍ସ ବିଷେଜ୍ଞମାନେ ଏଭଳି ବିରଳ ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହ କରିପାରିଛନ୍ତି। ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେ ଛଅ ମାସ ଧରି କର୍କଟ କେମୋଥେରାପି ନେଉଥିଲେ।

ସାଧାରଣତଃ ଏହି ପ୍ରକ୍ରିୟାରେ ଜଣେ ସୁସ୍ଥ ଡୋନୋରଙ୍କଠାରୁ ଅସ୍ଥି ମଜ୍ଜା ନିଆଯାଇ ଆକ୍ରାନ୍ତ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ। କିମ୍‍ସରେ ଡୋନୋର ଥିଲେ ରୋଗୀଙ୍କ ନିଜ ଭାଇ। ରୋଗଟି ବିରଳ ଓ ଜଟିଳ ଥିବାରୁ ପ୍ରତିରୋପଣ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ କିମସ ବିଶେଷଜ୍ଞ ଦଳ ଦ୍ୱାରା ଏହା ସଫଳତାର ସହିତ କରାଯାଇଥିଲା।

କିମସ ହେମାଟୋଲୋଜି ବିଭାଗର ଡା ବିଶ୍ୱଜିତ ଭୂୟାଁ ଏବଂ ଶିଶୁ ହେମାଟୋଲୋଜି ବିଭାଗର ଡା ପଳାଶ ଦାସଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ, କିମ୍‍ସ ହେମାଟୋଲୋଜି ବିଭାଗ ନିରନ୍ତର ରକ୍ତ କର୍କଟ ଏବଂ ଅନ୍ୟାନ୍ୟ ରକ୍ତ ଜନିତ ରୋଗୀଙ୍କ ଚିକିତ୍ସା କରିଆସୁଛି। କିମ୍‍ସରେ ଅତ୍ୟାଧୁନିକ ସୁବିଧା ସହିତ ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉଛି।

ଏହି ସଫଳତା ପରେ ଓଡ଼ିଶାର ରୋଗୀମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି ହୋଇଛି । ପୂର୍ବରୁ ଏପରି ଉନ୍ନତ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଥିଲା କିମ୍‍ସରେ ଏହାର ସଫଳ ଚିକିତ୍ସା ହୋଇପାରୁଥିବାରୁ ଏଣିକି ରୋଗୀମାନଙ୍କ ଆଉ ବାହର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ଡ଼ାକ୍ତରମାନେ ପ୍ରକାଶ କରିଛନ୍ତି। ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏଥିରେ ସଂପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଛନ୍ତି। ଏହା ସହ ସେ ରୋଗୀଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। 

Leave a Reply

Your email address will not be published. Required fields are marked *

You may have missed