ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ବୁଣାକାରମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ

ବୁର୍ଲାଦବରବଡ଼, ୦୫.୦୨.୨୦୨୪ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାରେ ସ୍ଥିର, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହିତ ନିଜର ସାମାଜିକ ଦାୟିତ୍ୱବୋଧ ପ୍ରତି ସଚେତନ ରହିଆସିଛି । ଏକ ପ୍ରତିଷ୍ଠିତ କର୍ପୋରେଟ୍ ସଂସ୍ଥା ଭାବେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ଉଦ୍ୟୋଗୀ ଜୀବିକା ପ୍ରକଳ୍ପ ମାଧ୍ୟମରେ ବରଗଡ଼ ଜିଲ୍ଲାର ବିଜେପୁର ଏବଂ ଝରାବନ୍ଧ ବ୍ଲକରେ ୨୯୨୧ ହିତାଧିକାରୀ ଏବଂ ୮୫ ମହିଳା ସ୍ୱୟଂ ସହୟକ ଗୋଷ୍ଟିଙ୍କୁ ସହାୟତା ଏବଂ ଉପକୃତ କରିପାରିଛି ।
ସେହିପରି ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ମଧ୍ୟ ମହିଳା ଏସ୍ଏଚଜିର ବୁଣାକାରମାନଙ୍କ ପାଇଁ ଜିଲ୍ଲା ହ୍ୟାଣ୍ଡଲୁମ୍ ଏବଂ ଟେକ୍ସଟାଇଲ୍ ବିଭାଗ ସହଯୋଗରେ କମ୍ପାନୀର ସାମାଜିକ ଦାୟିତ୍ୱ ନିର୍ବାହ ବିଭାଗ ପକ୍ଷରୁ ଏକ ୬ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୮ ଗୋଟି ସ୍ୱୟଂ ସହୟକ ଗୋଷ୍ଟିର ପାଖାପାଖି ୮୦ ଜଣ ମହିଳା ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦୁଇ ମାସ (ମାସକୁ ୪ ରୁ ୫ ଦିନ) ଧିରି ଜାରି ରହିବ । ଯେଉଁଥିରେ ମହିଳା ବୁଣାକାରମାନଙ୍କୁ ମୌଳିକ ବୁଣା କୌଶଳ, ଡିଜାଇନ୍ ଏବଂ ବୁଣାକାର ଅନ୍ୟାନ୍ୟ ମୌଳିକ ଦିଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କେବଳ ଯେ, ମହିଳା ବୁଣାକାରମାନଙ୍କ ବୁଣା କୌଶଳ ଏବଂ ହସ୍ତଶିଳ୍ପରେ ଉନ୍ନତି ଆଣିବ ତାହା ନୁହେଁ ବରଂ ପାରମ୍ପାରିକ ହସ୍ତଶିଳ୍ପକୁ ଆଧୁନିକୀକରଣ କରି ସେମାନଙ୍କୁ ସଶକ୍ତ କରିବ ଥିଲା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ । ଏହା ସହିତ ଏହି ପ୍ରଶିକ୍ଷଣ ଦ୍ୱାରା ମହିଳା ବୁଣାକାରମାନେ ଏକ ହାତ ତିଆରି ଶାଢୀର ଉତ୍ପାଦନ ମୂଲ୍ୟକୁ ଅତି କମରେ ୮୦୦ରୁ ୯୦୦ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ କରାଇପାରିବେ । କାରଣ ଏହି ପ୍ରଶିକ୍ଷଣ ମାଧ୍ୟମରେ ସେମାନେ ଶାଢୀ ତିଆରିରେ ଆବଶ୍ୟକ ହେଉଥିବା ରଙ୍ଗିନ ସୂତାକୁ ନିଜେ ତିଆରି କରିବାରେ ସକ୍ଷମ ହେବେ । ଯାହା ପାଇଁ ପୂର୍ବରୁ ସେମାନେଙ୍କୁ ବଜାର କିମ୍ବା ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ କମ୍ପାନୀ ତରଫରୁ ଏହିପରି କାର‌୍ୟ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ହାତକୁ ନିଆଯିବ ।
ଏହି କାର‌୍ୟ୍ୟକ୍ରମ ବାବଦରେ ବିଶେଷ ବିବରଣୀ ଦେବାକୁ ଯାଇ କମ୍ପାନୀର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗଜାନନ୍ କାଲେ ପ୍ରକାଶ କରିଛନ୍ତି ଯେ, ଟାଟା କମ୍ପାନୀ ସମୂହର ଚିନ୍ତାଧାରା ଏବଂ ସାମାଜିକ ମୂଲ୍ୟବୋଧ ପ୍ରତି ଆମେ ଗୁରୁତ୍ୱ ଦେଇ ସମାଜରେ ଅର୍ଥନୈତିକ ବିକାଶ କରିବା ଦିଗରେ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଜାରି ରଖିଛୁ । ବରଗଡ଼ ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଅର୍ଥନୈତିକ ସ୍ୱାଧିନତା ଦେବା ଏହି କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି । ରାଜ୍ୟର ବୃହତ୍ତର ବିକାଶରେ ହସ୍ତତନ୍ତ୍ର ପରି କୁଟୀର ଶିଳ୍ପର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର‌୍ୟ୍ୟକ୍ରମ ଦ୍ୱାରା ଟିପିଡବ୍ଲୁଓଡିଏଲ୍ ତରଫରୁ ଏହି ଦିଗରେ ଆଗାମୀ ଦିନରେ ଅଧିକ ପ୍ରଚେଷ୍ଟା କାରଯିବ ।

Leave a Reply

Your email address will not be published. Required fields are marked *

You may have missed