ଟିପିଡବ୍ଲୁଓଡିଏଲର ଜେଇଙ୍କୁ ମରଣାତ୍ମକ ଆକ୍ରମଣ, ଅଭିଯୁକ୍ତ ଗିରଫ
ସମ୍ବଲପୁର,ପ୍ରବାହ ନ୍ୟୁଜ୍ : ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଗତକାଲି (୨୫ ଫେବୃଆରୀ ୨୦୨୬) ସମ୍ବଲପୁର ପୂର୍ବ ବିଦ୍ୟୁତ୍ ବିଭାଗ ଅନ୍ତର୍ଗତ ସାହସପୁର ଇଲେକ୍ଟ୍ରିକାଲ ସେକ୍ସନ ଅଫିସର ଶ୍ରୀ ସୁବ୍ରତ କୁମାର ଦାଶ ଏବଂ ଅନ୍ୟ କର୍ମଚାରୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ଦୃଢ ଭାବରେ ନିନ୍ଦା କରାଯାଉଅଛି । ଏନେଇ କମ୍ପାନୀ ପକ୍ଷରୁ ଶ୍ରୀ ଦାଶ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧମା ପୋଲିସ ଷ୍ଟେସନରେ ଏକ ଏଫ୍ଆଇଆର୍ (ନଂ. ୩୯) ପଞ୍ଜିକୃତ କରିଅଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତ ବାସୁଦେବ କର୍ଣ୍ଣକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଅଛି ।
ସୂଚନାନୁଯାଇ, ପୁଟିଆପାଲି ଗ୍ରାମର ଜୈନିକ ବିଦ୍ୟୁତ୍ ଗ୍ରାହକ ଶ୍ରୀ କୃଷ୍ଣଚନ୍ଦ୍ର କର୍ଣ୍ଣ (ଅଭିଯୁକ୍ତ ବାସୁଦେବ କର୍ଣ୍ଣଙ୍କ ପିତା), ଗ୍ରାହକ କ୍ରମିକ ସଂଖ୍ୟା- ୪୧୬୨୩୧୦୧୦୫୮୨, ଯାହାଙ୍କର ମୋଟ ୪୬,୭୯୯ ଟଙ୍କା ବିଦ୍ୟୁତ ଦେୟ ବକେୟା ରହିଛି । ଚଳିତ ଆର୍ଥିକ ବର୍ଷରେ, ସେ କେବଳ ଦୁଇଥର ୧୮୧୫ ଟଙ୍କା ଲେଖାଏଁ ବିଦ୍ୟୁତ୍ ଦେୟ ପ୍ରଦାନ କରିଛନ୍ତି । ତେଣୁ ଅଭିଯୁକ୍ତ ବାସୁଦେବ କର୍ଣ୍ଣଙ୍କ ପିତା ଶ୍ରୀ କୃଷ୍ଣଚନ୍ଦ୍ର କର୍ଣ୍ଣ ବିଦ୍ୟୁତ୍ ବିଦ୍ୟୁତ୍ ଦେୟ ପୈଠ କରିବାରେ ଜଣେ ନିୟମିତ ଖିଲାପକାରୀ ଅଟନ୍ତି । ଏହି ପ୍ରକାରର ଖିଲାପୀ ଗ୍ରାହକଙ୍କ ଯୋଗୁଁ, ନିୟମିତ ଦେୟ ପୈଠ କରୁଥିବା ଗ୍ରାହକମାନେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି । ତେଣୁ ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପ୍ରଚଳିତ ନିୟମ ଅନୁଯାଇ ବିଦ୍ୟୁତ୍ ବିତରକ ସଂସ୍ଥା ଦ୍ୱାରା ତାଙ୍କ ବିଦ୍ୟୁତ୍ ସେବାକୁ ବିଚ୍ଛିନ୍ନ କରାଯାଇଥିଲା । ଏହି କାରଣରୁ, ଅଭିଯୁକ୍ତ ବାସୁଦେବ କର୍ଣ୍ଣ କମ୍ପାନୀର ସାହସପୁର ଇଲେକ୍ଟ୍ରିକାଲ ସେକ୍ସନ ଅଫିସର ଶ୍ରୀ ସୁବ୍ରତ କୁମାର ଦାଶଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ।
ଗତକାଲି (୨୫ ଫେବୃଆରୀ ୨୦୨୬) ପ୍ରାୟ ୧୧:୦୦ ଟା ସମୟରେ, ସାହାସପୁରର ଇଲେକ୍ଟ୍ରିକାଲ ସେକ୍ସନ ଅଫିସର ଶ୍ରୀ ସୁବ୍ରତ କୁମାର ଦାଶ ତାଙ୍କ ଦଳ ସହିତ ଜୟଘଣ୍ଟା ଗ୍ରାମରେ ବିଦ୍ୟୁତ୍ ବିଲ୍ ଆଦାୟ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ଅଭିଯୁକ୍ତ ବାସୁଦେବ କର୍ଣ୍ଣ ପୁଟିଆପାଲି ଗ୍ରାମର ଆଉ ଦୁଇଜଣ ବ୍ୟକ୍ତିଙ୍କ ସହିତ ସେଠାରେ ପହଞ୍ଚିଥିଲେ । ପଞ୍ଜିକୃତ ଅଭିଯୋଗ ଅନୁସାରେ ଅଭିଯୁକ୍ତ ବାସୁଦେବ କର୍ଣ୍ଣ ତାଙ୍କ ଗାଡ଼ିରୁ ଏକ ଲୁହା ଛଡ଼ ବାହାର କରି ଶ୍ରୀ ଦାଶଙ୍କୁ ଗୁରୁତର ଆଘାତ ଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ସୌଭାଗ୍ୟବଶତଃ ଆକ୍ରମଣରେ ଶ୍ରୀ ଦାଶ ମୁଣ୍ଡରେ ଆଘାତ ନ ଲାଗି ତାଙ୍କ ବାମହାତ କହୁଣୀରେ ଆଘାତ ଲାଗିଥିଲା । ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଏଥିରେ ହସ୍ତକ୍ଷେପ କରିଥିଲେ । ଏଥିସହିତ ଅଭିଯୁକ୍ତମାନେ ସେକ୍ସନ ଅଧିକାରୀଙ୍କ ଉଦେଶ୍ୟରେ ଅତ୍ୟନ୍ତ ଅସଭ୍ୟ ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିଲେ ।
ପରେ ଶ୍ରୀ ଦାଶ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧମା ପୋଲିସ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜିକୃତ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ, ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ର ଧାରା – ଧାରା ୧୨୬(୨), ୨୯୬, ୧୧୫(୨), ଏବଂ ୧୦୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଧମା ପୋଲିସ ଅଧିକାରୀ ଦ୍ୱାରା ଅଭିଯୁକ୍ତ ବାସୁଦେବ କର୍ଣ୍ଣକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଅଛି ।
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏହାର ସମସ୍ତ ଗ୍ରାହକ ଏବଂ ଜନସାଧାରଣଙ୍କୁ ବିଦ୍ୟୁତ୍ ସେବାରେ ନିୟୋଜିତ କର୍ମଚାରୀ ଏବଂ ଅଧିକାରୀମାନଙ୍କ ଉପରେ ଆକ୍ରମଣ ପରି ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଉଅଛି । ସେହିପରି ନିର୍ଦ୍ଧାରିତ ସମୟ ସୀମାରେ ବକେୟା ବିଦ୍ୟୁତ୍ ବିଲ୍ ପ୍ରଦାନ କରିବାକୁ କମ୍ପାନୀ ପୁନର୍ବାର ତାର ସମସ୍ତ ବିଦ୍ୟୁତ୍ ଗ୍ରାହକଙ୍କୁ ଅନୁରୋଧ କରୁଅଛି । କମ୍ପାନୀ ସଦାସର୍ବଦା ତାର କର୍ମଚାରୀମାନଙ୍କ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।
