ଟିପିସିଓଡିଏଲ୍ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଜରିଆରେ ଗ୍ରାମୀଣ ଗ୍ରାହକ ସଂଯୋଗର ସୁଦୃଢ଼ୀକରଣ

*ଚଳିତ ଆର୍ଥିକ ବର୍ଷରେ ୬୮୮ ଗ୍ରାହକ ଆଲୋଚନା ଶିବିର ଆୟୋଜିତ
*ଏହି ଶିିବିରଗୁଡ଼ିକ ଜରିଆରେ ୩୦,୦୦୦ରୁ ଅଧିକ ଗ୍ରାହକ ଉପକୃତ

ଭୁବନେଶ୍ୱର: ଗ୍ରାହକ କେନ୍ଦ୍ରିକତାକୁ ନିଜର ମୂଳ ଲକ୍ଷ୍ୟ ଭାବେ ରଖି ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଉନ୍ନତ ସେବା ପାଇଁ ଗ୍ରାହକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରାଯାଉଛି । ‘ଗାଁକୁ ଚାଲ’ ଅଭିଯାନରେ ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ଲାଇସେନ୍ସପ୍ରାପ୍ତ କାର୍ଯ୍ୟକ୍ଷେତ୍ରର ଗ୍ରାମୀଣ ଅଂଚଳରେ ଗ୍ରାହକଙ୍କ ସହ ଯୋଡ଼ି ହେବା ଲାଗି ସଫଳତାର ସହ ୬୮୮ ଗ୍ରାହକ ଆଲୋଚନା ଶିବିର ଆୟୋଜନ କରାଯାଇଛି ।


‘ଗାଁକୁ ଚାଲ’ ହେଉଛି ଟିପିସିଓଡିଏଲ୍‌ର ଗ୍ରାହକ ସମ୍ପର୍କ ଅଭିଯାନ ଯେଉଁଥିରେ କଂପାନି ଅଧିକାରୀମାନେ ଗ୍ରାମୀଣ ଅଂଚଳ ପରିଦର୍ଶନ କରି ଗ୍ରାହକ ଆଲୋଚନା ଶିବିର ଆୟୋଜନ କରନ୍ତି ଯେଉଁଥିରେ ଗ୍ରାହକମାନେ ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସେମାନଙ୍କ ପ୍ରଶ୍ନ ଓ ସମସ୍ୟା ପଞ୍ଜୀକରଣ କରନ୍ତି । ଏହି ଶିବିରଗୁଡ଼ିକରେ ଗ୍ରାହକମାନେ ବିଦ୍ୟୁତ୍ ବିଲ୍ ପେମେଂଟ୍ କରିବା ପୂର୍ବରୁ ପୁରୁଣା ବକେୟା ଓ ବିଲ୍ ସମ୍ପର୍କିତ ପ୍ରଶ୍ନର ସ୍ପଷ୍ଟୀକରଣ ହାସଲ କରନ୍ତି, ଏହା ସହିତ ବିଦ୍ୟୁତ୍ ଯୋଗାଣ / ବିଦ୍ୟୁତ୍ ବିଲ୍ ସମ୍ପର୍କିତ ଅଭିଯୋଗ ଦାଖଲ, ବିଦ୍ୟୁତ୍ ବିଲ୍ ଓ ବକେୟା ଦେୟ ପେମେଂଟ୍ ଏବଂ ବିଦ୍ୟୁତ୍ ଯୋଗାଣ ଓ ଶକ୍ତି ସଂଚୟ ଆଦି ସମ୍ପର୍କିତ ପ୍ରଶ୍ନର ସ୍ପଷ୍ଟୀକରଣ ହାସଲ କରନ୍ତି ।


ଏହି ଆର୍ଥିକ ବର୍ଷରେ କଂପାନି ୩୦,୦୦୦ରୁ ଅଧିକ ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚିପାରିଛି ଏବଂ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ୨୩,୯୫୧ ଅଭିଯୋଗ ପଞ୍ଜୀକରଣ କରିଛି । ଏହା ପ୍ରାୟ ୧୯୦୦ ନୂଆ ସଂଯୋଗ ଆବେଦନ ହାସଲ କରିଛି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ ୧୭୦୦ରୁ ଅଧିକ ମିଟର୍ ରିଡିଂକୁ ପୁନଃ ଯାଂଚ କରିଛି । ଏହି ଅଭିଯାନ ସମୟରେ ସଚେତନତା ଯୋଗୁଁ ଏକ ବଡ଼ ଧରଣର ଗ୍ରାମୀଣ ଗ୍ରାହକ ଆଗେଇ ଆସିଛନ୍ତି ଏବଂ ଡିଜିଟାଲ୍ ମାଧ୍ୟମର ପେମେଂଟ୍ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି ଯାହା ସେମାନଙ୍କ ଜୀବନକୁ ସହଜ କରିଛି ।

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ କହିଛନ୍ତି ଯେ, “କଂପାନି ଓ ଅପହଂଚ ଅଂଚଳର ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ହ୍ରାସ କରିବାର ଆମର ଉପାୟ ହେଉଛି ‘ଗାଁକୁ ଚାଲ’ ଅଭିଯାନ । ଆମେ ଜାଣିପାରିଛୁ ଯେ ଯେଉଁ ଗ୍ରାହକମାନଙ୍କୁ କଂପାନିର ନିକଟତମ କାର୍ଯ୍ୟାଳୟରେ ପହଂଚିବା ଲାଗି ଅଧିକ ଦୂରତା ଅତିକ୍ରମ କରିବାକୁ ପଡୁଛ଼ି ସେମାନଙ୍କ ପାଇଁ ଘର ପାଖରେ ସେବା ପହଂଚାଇବା ହେଉଛି ଏକ ବଡ଼ ଧରଣର ସହାୟତା । ଚଳିତ ବର୍ଷ ଆମେ ଏଭଳି ବହୁ ଅଂଚଳରେ ସଫଳତାର ସହ ପହଂଚିପାରିଛୁ ଏବଂ ଆଗାମୀ ଆର୍ଥିକ ବର୍ଷରେ ଏହାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ ।’’

Leave a Reply

Your email address will not be published. Required fields are marked *