ଓୟୁଟିଆର୍‌ ବୁଲି ଦେଖିବା ସହ ବିକାଶମୂଳକ କାମର ତଦାରଖ କଲେ ୫ଟି ସଚିବ

ଭୁବନେଶ୍ବର: ଶନିବାର ୫ଟି ସଚିବ ଭି କେ ପାଣ୍ଡିଆନ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ କ୍ୟାମ୍ପସ ବୁଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମୀକ୍ଷା ବୈଠକ କରିଛନ୍ତି। ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨୬ ଟି ପିଜି ଓ ୧୧ଟି ବିଟେକ ବିଭାଗ ରହିଛି।  ୩ରୁ ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରାଯିବାର ଯୋଜନା ରହିଛି। ଏଥିପାଇଁ ଯେତେ ଟଙ୍କା ଆବଶ୍ୟକ ସେଥିପାଇଁ ସ୍ଵତନ୍ତ୍ର ବଜେଟ ବ୍ୟବସ୍ଥା କରାଯିବ। ଶହେ ଏକର ଜମିରେ ଠିଆ ହୋଇଥିବା ଓୟୁଟିଆରକୁ ଦେଶର ନମ୍ବର ୱାନ ଏକକ ବିଶ୍ବବଦ୍ୟାଳୟ ପରିଣତ କରାଯିବାର ଯୋଜନା ରହିଛି।

ଏ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି , ‘ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ ଦେଶର ସର୍ବଶ୍ରେଷ୍ଠ ଏକକ ବିଶ୍ବବିଦ୍ୟାଳୟ ହେବ । ଏହି ବିଶ୍ବବିଦ୍ୟାଳୟ ଏନ୍ଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ୱରକୁ ବି ଟପିଯିବ। ବର୍ଷେ ଭିତରେ ଏନ୍ଆଇଆରଏଫ୍ ରାଙ୍କ ୫୦ ଭିତରେ ରହିବ ଓୟୁଟିଆର। ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତିକ ସ୍ତରର ଶିକ୍ଷା ପ୍ରଦାନ ସହ ସେହିଭଳି ନିଯୁକ୍ତି ଦିଆଯିବ। ଏପରି ସ୍ବପ୍ନ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ସେ ସ୍ବପ୍ନକୁ ସାକାର କରିବା ପାଇଁ କାମ ଆରମ୍ଭ ହୋଇଛି । ଏବେ ୨ ହଜାର ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଆଉ ୨ ହଜାର ପିଲାଙ୍କ ପାଇଁ ହଷ୍ଟେଲ ତିଆରି ହେବ। କୌଣସି ପିଲା ବାହାରେ ରହିବେ ନାହିଁ । ରିସର୍ଚ ଓ ଡେଭେଲପମେଣ୍ଟକୁ ପୂରା ଗୁରୁତ୍ବ ଦିଆଯିବ। ଓୟୁଟିଆରକୁ ସେଣ୍ଟର୍ ଫର୍ ଏକ୍ସେଲେନସିରେ ପରିଣତ କରାଯିବ। ଖୁବଶୀଘ୍ର ୪ଟି ନୂଆ ଇଞ୍ଜିନୟରିଂ ଟ୍ରେଡ ଖୋଲାଯିବ। ତାପରେ ଆବଶ୍ୟକ ଅନୁଯାୟୀ ନୂଆ ନୂଆ ପାଠ୍ୟକ୍ରମ ଯୋଡ଼ାଯିବ। ଏଆଇସିଟିଇ ନିୟମ ଅନୁଯାୟୀ ୫୦ ଜଣ ଛାତ୍ରରେ ଜଣେ ଶିକ୍ଷକ ରହିବେ। ୨୦୨୨-୨୩ ଆର୍ଥିକ ବର୍ଷରେ କେବଳ ହଷ୍ଟେଲ ନିର୍ମାଣ ପାଇଁ ୨ ଶହରୁ ୩ ଶହ କୋଟି ଖର୍ଚ୍ଚ ହେବ। ଏନ୍ଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ୱରରେ ଥିବା ଗବେଷଣାଗାରଠୁ ଉତ୍କୁଷ୍ଟ ମାନର ଗବେଷଣାଗାର ତିଆରି ହେବ।’

ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା ଓୟୁଟିଆର ରାଜ୍ୟ ଓ ଦେଶରେ ଏକ ନମ୍ବର୍ ହୋଇ ପାରିଲେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବିରାଟ ସୁଯୋଗ ସୃଷ୍ଟି ହୋଇ ପାରିବ। ଏବେ ଏଠାରେ ପଢ଼ିବା ପାଇଁ ଓଜେଇ ମେନ୍ ପରୀକ୍ଷା ଦେଇ ଆସିବାକୁ ପଡ଼ୁଥିବା ବେଳେ ଆଗକୁ ଆନ୍ତର୍ଜାତିକ ସ୍ତରର ଶିକ୍ଷା ପ୍ରଦାନ ସହ ନିଯୁକ୍ତି ସୃଷ୍ଟି ହେବାକୁ ଥିବାରୁ ଏଣ୍ଟ୍ରାନ୍ସ ଶୈଳୀ ବି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଥିବା ଅଫିସର୍ ଅନ ଡ୍ୟୁଟି, ଓୟୁଟିଆର ପ୍ରଶାନ୍ତ କୁମାର ପାତ୍ର ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *