ଭେକ୍ଟରବାହିତ ରୋଗ ପ୍ରତି ସଚେତନ କରିବ ଟାଟା ଷ୍ଟିଲ ଫାଉଣ୍ଡେସନର ‘ସଚେତନତା ରଥ’

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍‌ : ଭେକ୍ଟରବାହିତ ରୋଗ ପ୍ରତି ସଚେତନତା ସୃଷ୍ଟି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗତ ଶୁକ୍ରବାର ସୁକିନ୍ଦା ଓ ବ୍ରାହ୍ମମଣିପାଳ ଠାରେ ‘ସଚେତନତା ରଥ’ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ସଚେତନତା ଅଭିଯାନ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ଭେକ୍ଟରବାହିତ ରୋଗ ବିଷୟରେ ସଚେତନ କରାଯିବ। ଲୋକମାନଙ୍କୁ ଫାଇଲେରିଆ, ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସାଧାରଣ ତଥା ମାରାତ୍ମକ ରୋଗ ପ୍ରତି ସଚେତନ କରିବାଅଭିଯାନର ପ୍ରମୁଖ ଲକ୍ଷ୍ୟ।

ଏହି ଅବସରରେ ସୁକିନ୍ଦାଠାରେ ଟାଟା ଷ୍ଟିଲର ଫିରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମଡି)ର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର,ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ମାଇନ୍ସର ଖଣି ପରିଚାଳନା ବରିଷ୍ଠ ଏରିଆ ମ୍ୟାନେଜର ନିହାର ମିତ୍ର, କାଳିଆପାଣି ସରପଞ୍ଚ ବିକାଶ ପାତ୍ର ଓ ଆଖପାଖ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ମାଧ୍ୟମରେ୪ଟି ଗ୍ରାମପଞ୍ଚାୟତ ଯଥା ରସୋଲ, କାଳିଆପାଣି, ଚିଙ୍ଗୁସିପାଳ ଓ କଂସ ଅଧୀନରେ ଥିବା୨୦ଟି ଗ୍ରାମରେ ସଚେତନତା ସୃଷ୍ଟି କରାଯିବ।

ସେହିପରି ବ୍ରାହ୍ମମଣିପାଳ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ, ବ୍ରାହ୍ମମଣିପାଳର ୟୁନିଟ୍ ମୁଖ୍ୟ ଡ.ଜୟନ୍ତ କୁମାର ତ୍ରିପାଠୀ, ପଞ୍ଚାୟତିରାଜ ବିଭାଗ (ପିଆରଆଇ) ସଦସ୍ୟ, ସମାଜସେବୀ ଓ ସ୍ଥାନୀୟ କମ୍ୟୁନିଟି ସଦସ୍ୟଙ୍କ ଉପସ୍ଥିତିରେ ବାମନିପାଳସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟର ମୁଖ୍ୟ ଆଦର୍ଶ ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ‘ସଚେତନତା ରଥ’ଅଭିଯାନ ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ସିଧାସଳଖ ସଚେତନ କରାଯାଇପାରିବ। ଯାହା ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଉତ୍ସାହିତ କରିବ । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନଧାରଣମାନରେ ଉନ୍ନତି ଆସିବ ଏବଂ ଏହି ଅଭିଯାନ ସେମାନଙ୍କ ଜୀବନଧାରଣର ଗୁଣବାତ୍ତା ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ‘ସଚେତନତା ରଥ’ବ୍ରାହ୍ମମଣିପାଳ ସମେତ ରାସୋଲ, ଟାଙ୍ଗିରିଆପାଳ, କିଆଝର, ଦେଉଲକଣା ଓ ରାଧିକା ଦେଇପୁର ସମେତ୫ଟି ଗ୍ରାମ ପଞ୍ଚାୟତର୩୦ଟି ଗାଁ ବୁଲି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *