ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସ୍କାଉଟସ୍ ଏବଂ ଗାଇଡସ୍‌ଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ

ପ୍ରବାହ ନ୍ୟୁଜ୍ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ରାଜ୍ୟ ପୁରସ୍କାର ଉତ୍ସବ ତା୯ା୦୫ା୨୦୨୫ରିଖ ୧୧.୦୦ ଘଣ୍ଟା ସମୟରେ ରାଜଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୫୦ଜଣ ସ୍କାଉଟ୍‌, ଗାଇଡ୍‌, ରୋଭର, ରେଞ୍ଜର, କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ଶିକ୍ଷା ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । 
ଉକ୍ତ ସମାରୋହ ଆରମ୍ଭରେ ଭାରତର ସୈନ୍ୟବାହିନୀ ପ୍ରତି ସମ୍ମାନ ପ୍ରଦାନ କରାଯାଇଥିଲା । ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟି ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ରାଜ୍ୟପାଳଙ୍କ ପତ୍ନୀ ତଥା ଓଡିଶା ରାଜ୍ୟର ପ୍ରଥମ ଗାଇଡ୍ ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । 
ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ସ୍ୱାଗତ ଭାଷଣରେ ରାଜ୍ୟ ଶାଖା ଆନୁକୂଲ୍ୟରେ ବିଗତ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ବିଭିନ୍ନ ସେବା ତଥା ଗୋଷ୍ଠୀ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷତା ବଜାୟ ରଖିଥିବା ବିଷୟରେ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଇଥିଲେ । 

ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଜଣେ ସ୍କାଉଟ ହୋଇ ଆଜି ସମାରୋହରେ ପିଲାଙ୍କ ଶୃଙ୍ଖଳା ଦେଖି ଖୁସିବ୍ୟକ୍ତ କରିଥିଲେ ଏବଂ ସମସ୍ତେ ଏକାଗ୍ରତା ରଖି କାର୍ଯ୍ୟ କଲେ ଖୁବ୍ ଶୀଘ୍ର ବିକଶିତ ଓଡିଶା ଗଢ଼ି ହୋଇଯିବ ବୋଲି ବକ୍ତବ୍ୟରେ କହିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍କାଉଟ ଗାଇଡ୍ ଶିକ୍ଷା ବିଭାଗର ଏକ ଅଂଶ ଏବଂ ବଳିଷ୍ଠ ନେତୃତ୍ୱ ଲାଗି ଆଜି ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଥିବାରୁ ଖୁସି ବ୍ୟକ୍ତ କରିବା ସହ ଶୃଙ୍ଖଳା ଜ୍ଞାନ, ସହଯୋଗ ମନୋବୃତ୍ତି କୁଶଳି ଏବଂ ସୁସ୍ଥ ନାଗରିକ ଗଢ଼ି ତୋଳିବାରେ ସ୍କାଉଟ ସଂଗଠନର ଭୂମିକା ଅନେକ ବୋଲି କହିଥିଲେ । 

ମାନ୍ୟବର ରାଜ୍ୟପାଳ, ଭାରତ ସ୍କାଉଟସ୍ ଓ ଗାଇଡସ୍ ଭଳି ଏକ ବୃହତ ସ୍ୱେଚ୍ଛାସେବୀ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟନିର୍ବାହ କରି ପୃଥିବୀରେ ସର୍ବବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ସ୍ଥିତି ବଜାୟ ରଖି ପାରିଛି, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ଆଉ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖିବ ବୋଲି ଆଶାବ୍ୟକ୍ତ କରିଥିଲେ । ସ୍କାଉଟ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ହେତୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ମାନ ପତ୍ର ପ୍ରଦାନ କରିଥିଲେ । 
ଏତଦ୍‌ବ୍ୟତୀତ ଜିଲ୍ଲା ସ୍କାଉଟ ଗାଇଡ୍ ସମାବେଶ ପାଇଁ ଏବଂ ସ୍କାଉଟ ଗାଇଡ୍‌ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଏବଂ ସ୍କାଉଟ ମାଷ୍ଟର, ଗାଇଡ୍‌କ୍ୟାପଟେନ୍ ମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। 
ରାଜ୍ୟ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସମସ୍ତ ପୁରସ୍କୃତ ପ୍ରତିଭା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *