“ଇଣ୍ଡିଆ ବୁକ ଅଫ ରେକର୍ଡସ”ର ଅଧିକାରୀ ପ୍ରଫେସର ଉଦୟନାଥ ସାହୁ
ନୂଆଦିଲ୍ଲୀ /ଭୁବନେଶ୍ୱର -ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭାରତୀୟ ଭାଷା କେନ୍ଦ୍ରରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓଡ଼ିଆ “ଆଦି ସାରଳା ଦାସ ଚେୟାର”ର ପ୍ରଫେସର ଉଦୟନାଥ ସାହୁଙ୍କ ଦ୍ୱାରା ଓଡ଼ିଆ , ବଙ୍ଗଳା ଓ ଅସାମୀୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଗବେଷଣାକୁ “ଇଣ୍ଡିଆ ବୁକ ଅଫ ରେକର୍ଡସ” -2022 ରେ ସ୍ଥାନ ଦେଇଛନ୍ତି | ପ୍ରଥମ ଓଡ଼ିଆ ଗବେଷକ ଭାବେ ସେ ଏହି ଗୌରବର ଅଧିକାରୀ ହୋଇ ପାରିଛନ୍ତି | ସେପ୍ଟେମ୍ବର ୭ତାରିଖରେ ମେଡାଲ ସହ ପ୍ରଶଂସାପତ୍ର ତାଙ୍କୁ ପ୍ରଦାନ କରାଯାଇଛି | ଅନ୍ୟ ଗବେଷକ ମାନଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ହେବେ ନିଶ୍ଚୟ | ପ୍ରଫେସର ସାହୁ ସଂସ୍କୃତ ମହାଭାରତ ଓ ସାରଳା ମହାଭାରତ କୁ ମଧ୍ୟ ତୁଳନାତ୍ମକ ଭାବେ ଗବେଷଣା କରି କଥା ଓ ଚରିତ୍ରର ସାମ୍ୟ ଓ ବୈଷମ୍ୟକୁ ମଧ୍ୟ ପ୍ରଦର୍ଶନ କରିଛନ୍ତି | କେବଳ ସେତିକି ନୁହେଁ ଜାପାନର “ଓଟାନି”ବିଶ୍ୱବିଦ୍ୟାଳୟରେ ଭାଗବତ ଓ ମହାଭାରତର ମୂଳଧାରାକୁ ଶ୍ରେୟକରି ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ଭାରତୀୟ ସାହିତ୍ୟ ମଧ୍ୟ ଦେଇ ସାରଳା ମହାଭାରତରେ ତୁଳନାତ୍ମକ ଗବେଷଣା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି | ଆଧୁନିକ ସାହିତ୍ୟ , ମଧ୍ୟଯୁଗୀୟ ସାହିତ୍ୟ ତଥା ଫକୀରମୋହନ ସାହିତ୍ୟ ସମ୍ପର୍କରେ ରଚିତ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକ ଓଡ଼ିଆ ସାହିତ୍ୟର ଦିଗକୁ ସମୃଦ୍ଧ କରିବାରେ ସହାୟକ ହୋଇ ପାରିଛି |
ପୂର୍ବ – ଭାରତୀୟ ମହାଭାରତ ପରମ୍ପରା , ସାରଳା ମହାଭାରତ ସୃଷ୍ଟିର ଭୂମିପର୍ବ ,ଭାଗବତ ପରମ୍ପରା , ଓ ଭକ୍ତି ଆନ୍ଦୋଳନ , ସାରଳା ମହାଭାରତର ମନ୍ତ୍ରୀ ଓ ସେନାପତି , ଭାଗବତର ଭାବଭୂମି , ଭାଗବତର ସୃଷ୍ଟି ସୌରଭ , ପୂର୍ବ ଭାରତୀୟ ମହାଭାରତରେ ନିତିଭକ୍ତି ଓ ଜାତୀୟ ସଂହତି , Reflection on the Great indian Epic ! Mahabharat in orissa , Bengal and Assam ସ୍ଵର୍ଗାରୋହଣ ପର୍ବ ପ୍ରଭୃତି ଉଲ୍ଲେଖନୀୟ ଅବଦାନ ପାଇଁ ଦେଶ ବିଦେଶରେ ବେଶ ଚର୍ଚା ସହିତ ଓଡ଼ିଆ ମାଟି ପାଇଁ ଉଲ୍ଲେଖନୀୟ କୃତି | ଏତଦ ବ୍ୟତୀତ ଦୁଇଶହ ରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ରଚନା କରି ବେଶ ପରିଚିତ ହୋଇପାରିଛନ୍ତି | ଅନେକ ସମ୍ମାନରେ ସମ୍ମାନିତ ଡ଼ ସାହୁ ନୟାଗଡ଼ ଜିଲ୍ଲାର ସାନକିଲୋ ଗ୍ରାମରେ ଜନ୍ମ ଗ୍ରହଣ କରି ମାତୃଭାଷା ମାତୃଭୂମି ପାଇଁ ଗୌରବ ଆଣିପାରିଛନ୍ତି | |