ସାମ୍ବାଦିକଙ୍କ ଚାପରେ ଅନ୍ୟତ୍ର ବଦଳି ହେଲେ ନୟାଗଡ଼ର ବିବାଦୀୟ ଅବକାରୀ ସବ-ଇନ୍ସପେକ୍ଟର

ନୟାଗଡ : ୦୬/୦୭(ପ୍ରବାହ ନିଉଜ୍) ନୟାଗଡ ଜିଲ୍ଲାରେ ନକଲି ମଦ ଖବର ସଂଗ୍ରହ ସମୟରେ ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ନୟାଗଡ଼ ଜିଲ୍ଲାର ଅବକାରୀ ସବ-ଇନ୍ସପେକ୍ଟର ଧନଞ୍ଜୟଙ୍କ ପାତ୍ର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନା ଅନୁସାରେ ଗତ ମଇ ମାସ ୨୬ ତାରିଖରେ ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଗଣିଆ ଆଡକଟା ସ୍ଥିତ ସରକାରୀ ଦେଶୀ ମଦ ଦୋକାନରୁ ନକଲି ମଦ ଜବତ ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅବକାରୀ ସବ-ଇନିସ୍ପେକ୍ଟର ଧନଞ୍ଜୟଙ୍କ ପାତ୍ର ଉଭୟ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ କରିବା ନେଇ ଅଭିଯୋଗ ହୋଇଥିଲା ।

ଏସଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ଟାଉନ ଥାନାରେ ଲଗାତାର ଭାବେ ତିନି ରାତି ଧରି ଉପବାସ ରହି ଧାରଣାରେ ବସିଥିଲେ ଏବଂ ପୁନର୍ବାର କଳାବ୍ୟାଜ ପିନ୍ଧି ଜିଲ୍ଲାପାଳଙ୍କ ବାସଭବନ ଆଗରେ ମଧ୍ୟ ଧାରଣା ଦେଇଥିଲା ।

ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେବା ସହ ବିଭିନ୍ନ ଜିଲ୍ଲାରେ ସମ୍ପୃକ୍ତ ଅବକାରୀ ସବ-ଇନିସ୍ପେକ୍ଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା । କିପରି ଗୋଟିଏ ଦାୟିତ୍ଵ ସମ୍ପର୍ଣ୍ଣ ପଦବୀରେ ରହି ନିଜର କର୍ତ୍ତବ୍ୟ ଏବଂ କାର୍ଯ୍ୟ ପ୍ରତି ସଜାଗ ରହିବା ବଦଳରେ ଦୁର୍ନିତିକୁ ପାଥେୟ କରି ସାମ୍ବାଦିକର କର୍ମ ଓ ଧର୍ମ ସହ ପଦମର୍ଯ୍ୟାଦା କୁ ଭୁଲି ଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ସମ୍ପୃକ୍ତ ଏସଆଇଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ରିର୍ପୋଟ କରିଥିବା ବେଳେ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୭ ଦିନର ମହଲତ ଦିଆଯାଇଥିଲା ଏବଂ ବୁଧବାର ଦିନ ଅବଧି ଶେଷ ହେବାକୁ ଥିବା ବେଳେ ଆଜି ଅବକାରୀ ଏସ.ଆଇ ଧନଞ୍ଜୟଙ୍କୁ ଜିଲ୍ଲାରୁ ବଦଳି କରାଯିବା ସହିତ ତାଙ୍କ ସ୍ଥାନରେ ନୂତନ ଏସ.ଆଇ ନବସ୍ମିତା ନାୟକ ଯୋଗଦେବା ପାଇଁ ନିର୍ଦ୍ଦେଶ ବାହାରିଥିବା ବେଳେ ଧନଞ୍ଜୟଙ୍କୁ ତୁରନ୍ତ ରିଲିଭ କରିବାକୁ କମିଶନର ନିର୍ଦ୍ଦେଶ ଦେଇଥିବା ନେଇ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ଦିବ୍ୟ କିଶୋର ଟେଣ୍ଡେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *