20200326_212418

ବସନ୍ତ ର ପବନରେ ଗୋପ ଦାଣ୍ଡେ ଫଗୁ ଉଡୁଥାଏ , ଭଳିକି ଭଳି ଫୁଲ ସବୁ ସଜେଇ ହୋଇଥାନ୍ତି ଗୋପ ଦାଣ୍ଡ ସତେ ଯେମିତି ନଟଖଟ କାହ୍ନାକୁ ଦେଖେଇ ହେବା ପାଇଁ । ଆଉ ଗୋପାଳ- ଗୋପାଳୁଣି ମାନେ ରାସ ରେ ଥାନ୍ତି ବ୍ୟସ୍ତ । ସବୁଆଡେ ଗୋଟିଏ ସ୍ବର ଗୋଟିଏ କଥା ………
ହେ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦବ
ହେଲେ ରାଧା……. କୃଷ୍ଣ ଙ୍କ ବାହୁବନ୍ଧନରେ ଆବଦ୍ଧ ହୋଇ ପରମାତ୍ମା ଙ୍କ ସହ ତଲ୍ଲିନ ଥାନ୍ତି ପୂର୍ଣ୍ଣିମାର ତୋଫା ଚାନ୍ଦିନିରେ । ଶ୍ୟାମଳ କୃଷ୍ଣ ସହ ଗୋରୀ ରାଧିକା କଦମ୍ବର ଅଢୁଆଳେ ଲାଗେ ସଂସାରରେ ଏକ ବିଚିତ୍ର ମିଳନ।
କୃଷ୍ଣ ପଚାରନ୍ତି — ରାଧେ ତୁମ ଗୋରା ଗାଲରେ ନାଲି ଅଭିରଟା କାଇଁ ଏତେ ସୁନ୍ଦର ଲାଗେ (ସରମରେ ରାଧିକା ଦୂରକୁ ଯାଉଥିବା ବେଳେ ପଛରୁ ହାତକୁ ଧରିନେଇ ବାହୁ ବନ୍ଧନରେ ଆବଦ୍ଧ କରିନେଲେ)
ରାଧିକା— ପ୍ରଭୁ ! ଆପଣଙ୍କ ଶ୍ୟାମଳ ବଦନରେ ଚନ୍ଦନ ଟିପା ଯେମିତି ଲାଗେ ପ୍ରଭୁ।
ମଳୟରେ ଚନ୍ଦନ କର୍ପୁର ର ବାସ ଚତ୍ରୃଦିଗକୁ ସୁବାସୀତ କରୁଥାଏ । ଗୋପ ପୁର ରେ ଚାଲିଛି ଏକ ଦିବ୍ୟ ମିଳନ । ସତେ ଯେମିତି ଯୁଗ ଯୁଗ ରୁ ଏଇ ଦିନକୁ ଅପେକ୍ଷା କରିଥିଲେ ପୃଥିବୀ ବାସୀ ଆଉ ଭଗବାନ ଙ୍କର ଏଇ ଅପୂର୍ବ ରୁପ କୁ ଦେଖି ସ୍ବର୍ଗରୁ ପୁଷ୍ପ ବୃଷ୍ଟି କରୁଥାନ୍ତି ଦେବତା ଗଣ । ମଳୟରେ ଫୁଲର ସୁଗନ୍ଧ ସାଙ୍ଗକୁ ଏହି ଅପଋପ ଦର୍ଶନ ରେ ଗୋପ ଦାଣ୍ଡ ମାଟି ଗୋଡି, ଗଛ ଲତା ବି ନିଜକୁ କୃତ କୃତ୍ୟ ମନେ କରୁଥାନ୍ତି । ଖୁସିରେ ଖୁସିରେ ନାଚିଉଠୁ ଥାଏ ଗୋପ ପୁର। କାହାରି ମନରେ ନଥାଏ ବିଶାଦ , ଆଶା, ଆକଂକ୍ଷା।ଭଗବାନ କୃଷ୍ଣଙ୍କ ସଙ୍ଗଲାଭ କରି ସମସ୍ତେ ଭୁଲି ଥିଲେ ନିଜକୁ।
ହଠାତ୍ ଗୋପ ଦାଣ୍ଡରେ ଗଡି ଗଡି ଆସି ପହଞ୍ଚିଲା ଅକ୍ରୁର ର ରଥ । ଖବରଟା ଏମିତି ବିଜୁଳି ବେଗରେ ମାଡିଗଲା ଯେ ନିମିଶକରେ ମିଳେଇଗଲା ଗୋପ ପୁରର ଖୁସି । ମଥୁରାର ମହାପ୍ରତାପି ମହାରାଜ କଂସ ର ଆଜ୍ଞା ନେଇ ଆସିଛି ସାଥିରେ ନେଇଯିବାକୁ କୃଷ୍ଣ,ବଳରାମ ଙ୍କୁ।
ଏକଥା ଶୁଣି ବଉଳା ଗାଈ ବି ତା ପିଲାକୁ କ୍ଷୀର ଦେବାବି ବନ୍ଦ କରିଦେଇଛି। କଦମ୍ବ ଗଛ ବିରହରେ ପତ୍ରଛଡା ଦେଇ ଦେଲାଣି । ଆଉ ଜମୁନା ବି ନିଶ୍ତେଜ ରେ ବହିଚାଲିଛି। ଗୋପାଳ ଗୋପାଳୁଣି ମାନେ ସର ଲବଣୀ ବନାଇବା ବି ଛାଡି ସାରିଲେଣି। ଯେତେବେଳେ ସେମାନଙ୍କର କୃଷ୍ଣ ତାଙ୍କୁ ଛାଡି ଚାଲି ଯାଉଛନ୍ତି , ଏସବୁର ପ୍ରୟୋଜନ କାହାପାଇଁ। କିଏ ସେ କଦମ୍ବ ଡାଳରେ ଝୁଲିବ,ବଉଳା ପାଖରେ ଗେଲ ହେବ ସର ଲବଣୀ ଚୋରେଇ ଖାଇବ?
ହେଲେ କୃଷ୍ଣ ପ୍ରିୟା ରାଧିକା ! ସମ୍ଭାଳି ପାରିନାହିଁ ନିଜକୁ ନୀରବର ବିରହରେ ବସିରହିଛି ପ୍ରିତିର ଯମୁନା କୂଳେ ନୟନୁ ଅଶୃ ଢାଳି। ତୁହାକୁ ତୁହା ବୁଲି ଚାହୁଁଥାଏ କଦମ୍ବ ଆଡେ । ବାରମ୍ବାର ଡାକି ପଚାରୁଥାଏ କୋଇଲିକୁ
ଆଲୋ କୋଇଲି ମୋ କଳାକାହ୍ନୁ କ’ଣ ଗୋପ ଛାଡି ସତରେ ଚାଲିଯିବେ ? ଆଉ ଫେରିବେନି!……….. ଏହାର ଉତ୍ତର ଶୂନ୍ୟ ଆକାଶରେ ମିଳାଇ ଯାଏ ସିନା ପାଖରେ ପହଞ୍ଚେ ନାହିଁ। କାହିଁକି ନା କୋଇଲି ପାଖରେ ଏହାର ଉତ୍ତର ନାହିଁ। ପୁନଶ୍ଚ ନୀରବରେ ବସିରହିଛି ରାଧିକା , ହଜିଯାଇଛି ଭାଭନା ରାଇଜରେ । ଠିକ୍ ଏଇ ସମୟରେ
ଚୁପି ଚୁପି କଳା କାହ୍ନା ଆସି ରାଧାଙ୍କ ପଛପାଖରୁ ହାତରେ ଚକ୍ଷୁ ଦୁଇଟିକୁ ଚୁପାଇ ଦେଇଛି। ଚମକି ପଡି ଅଭିମାନ ଭରା କଣ୍ଠରେ
କୃଷ୍ଣ ପାଇଁ ରାଧା ର ନିନ୍ଦା। ଆଉ କେଉଁ ନିନ୍ଦା ପାଇଁ ପ୍ରଭୁ ଏତେ ନାଟ ! ଶରୀର ରୁ ଆତ୍ମା ବାହାରିଲା ପରେ ଶରୀରର କି ପ୍ରୟୋଜନ ? (ଆଖିରୁ ଲୋତକ ଧାର ପୋଛିଦେଇ) ନଟ ନାଗର ତୁମେ ନାଟ ଲଗାଇବା ତୁମ ଅଭ୍ୟାସ ।
କୃଷ୍ଣ( ସ୍ମିତହାସ୍ୟ ଦେଇ )_ ପ୍ରେମ ପାଇଁ ପ୍ରମୀକୁ ନିନ୍ଦା ଏତ ସୃଷ୍ଟିର ନିୟମ। ସେଥିରେ ଯେଉଁ ମିଠା ଦରଦ ଥାଏ ଅନୁଭବ ତ ନିଶ୍ଚୟ ଥିବ। ତୁମେ ପୃଷ୍ଠ ହେଲେ ମୁଁ ସୃଷ୍ଟି , ତୁମେ ଭାଷା ହେଲେ ମୁଁ ଅନୁଭବ ଏଥିରେ ଭାବିବାର କ’ଣ ଅଛି?
ରାଧାଙ୍କ ତିଲକରେ ସ୍ନେହ ଭରା ଚୁମ୍ବନ ଦେଇ ରଥ ଉପରେ ବସିପଡିଲେ କୃଷ୍ଣ। ରଥ ଗଡିବାରେ ଲାଗି୍ଲା…….. ପଶ୍ଚିମ ଆକାଶେ ସୂର୍ଯ୍ୟ ଢଳିବାରେ ଲାଗିଥାଏ ବିରହୀନି ରାଧିକା ଯମୁନା କୂଳରେ ବସିଥାଏ।
*
ରାଜେଶ କୁମାର ବାରିକ
ଦେବେନ୍ଦ୍ର ପୁର ,ଅଭଣା ,ବାଲେଶ୍ବର
ମୋ ୯୯୯୮୬୨୨୩୩୬

Leave a Reply

Your email address will not be published. Required fields are marked *