ୟୁକ୍ରେନ୍ ଆକ୍ରମଣ ହେତୁ ‘ୟୁରୋପୀୟ ସଂଘ’ କଟକଣାର ସମ୍ମୁଖୀନ ହୋଇପାରନ୍ତି ପୁଟିନ୍ଙ୍କ କନ୍ୟା

ମସ୍କୋ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ କନ୍ୟାମାନଙ୍କ ଉପରେ କଟକଣା ଜାରି କରିବା ଲାଗି ‘ୟୁରୋପୀୟ ସଂଘ’ ଆଲୋଚନା କରୁଥିବା କଥା ସେ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନେ କହୁଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ରୁଷୀୟ ସୈନିକମାନେ ୟୁକ୍ରେନୀୟ ସାଧାରଣ ନାଗରିକମାନଙ୍କୁ ହତ୍ୟା କରିଥିବା ଘଟଣାର ଜବାବ ଦେବାକୁ ‘ୟୁରୋପୀୟ ସଂଘ’ ଏ ଭଳି ଉଦ୍ୟମ କରୁଛି।
ଏ ପର୍ଯ୍ୟନ୍ତ ୟୁରୋପୀୟ ସରକାରମାନଙ୍କ ସ୍ବୀକୃତି ପାଇ ନ ଥିବା ଏବଂ ସ୍ବୀକୃତି ପାଇବା ପୂର୍ବରୁ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ଏହି ପ୍ରସ୍ତାବିତ ତାଲିକାରେ ରାଜନୈତିକ ବ୍ୟକ୍ତିତ୍ବ, ପ୍ରଖ୍ୟାତ ବ୍ୟବସାୟୀ ଏବଂ ସେମାନଙ୍କର ପରିବାରବର୍ଗ ଏବଂ କେତେକ ପ୍ରଚାରକାରୀଙ୍କ ସମେତ ଅନ୍ୟାନ୍ୟ ବହୁ ବ୍ୟକ୍ତିବିଶେଷଙ୍କ ନାମ ରହିଛି।
ଉଲ୍ଲେଖଯୋଗ୍ୟ, ପୁଟିନ୍ଙ୍କ କନ୍ୟା କ୍ୟାଟେରିନା ଏବଂ ମାରିଆଙ୍କ ଉପରେ ଲାଗୁ ହେବାକୁ ଥିବା କଟକଣା ପ୍ରତୀକାତ୍ମକ। କାରଣ, ରୁଷ୍ ବାହାରେ ସେ ଦୁଇଜଣଙ୍କର ସେଭଳି କିଛି ସମ୍ପତ୍ତି ଅଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କବେଳ ରାଷ୍ଟ୍ରପତି ପୁଟିନଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଏଭଳି କରାଯାଉଛି। ସୂଚନାଯୋଗ୍ୟ, ପୁଟିନ୍ଙ୍କ କନ୍ୟାମାନେ ଗୁପ୍ତ ବାତାବରଣରେ ଅବସ୍ଥାନ କରନ୍ତି। ସେମାନଙ୍କର କେତେଗୁଡ଼ିଏ ନାଁ ଅଛି। କ୍ରେମ୍ଲିନ୍ କେବେ ସେମାନଙ୍କ ନାଁ କିଂବା ଯୁବାବସ୍ଥାର ଫଟୋ ପ୍ରକାଶ କରିନାହିଁ।
୨୦୧୫ରେ ପୁଟିନ୍ ତାଙ୍କ କନ୍ୟାମାନଙ୍କ ବିଷୟରେ ଅଳ୍ପ କିଛି କହିଥିଲେ। ଦୁହେଁ ରୁଷୀୟ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି ଏବଂ ଏକାଧିକ ଭାଷାରେ କଥାବର୍ତ୍ତା କରିପାରନ୍ତି।
ପୁଟିନ୍ଙ୍କ ଜ୍ୟୋଷ୍ଠା କନ୍ୟା ମାରିଆ ଭୋରୋନ୍ତସୋଭା ‘ନୋମେଙ୍କୋ’ ସଂସ୍ଥାର ଅନ୍ୟତମ ମାଲିକାଣୀ ହୋଇଥିବା ବେଳେ କନିଷ୍ଠ କନ୍ୟା କାଟେରିନା ଟିକ୍ହୋନୋଭା ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିରେ ‘ଇଣ୍ଟେଲିଜେନ୍ସ୍ ଇନ୍ଷ୍ଟିଚ୍ୟୁଟ୍’ ଚଳାନ୍ତି ବୋଲି କେତେକ କହନ୍ତି।
କଟକଣା ଜାରି କରାଯିବା ପ୍ରସଙ୍ଗରେ କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଟେକ୍ଷ୍ଟ୍ ମେସେଜ୍ ଦେଇ କହିଛନ୍ତି ଯେ, ଏଭଳି ପ୍ରସ୍ତାବ ସଂକ୍ରାନ୍ତରେ ତାଙ୍କୁ କିଛି ମାଲୁମ୍ ନାହିଁ। ଆନୁଷ୍ଠାନିକ ଭାବେ ଘୋଷଣା କରାଗଲେ ଜଣାପଡ଼ିବ।