ଗୌହାଟି ବିମାନବନ୍ଦରର ନୂତନ ଟର୍ମିନାଲ୍ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଗୌହାଟି, ପ୍ରବାହ ନ୍ୟୁଜ୍ : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏଲ୍ଜିବିଆଇଏ) ଠାରେ ନୂତନ ଟର୍ମିନାଲ୍ର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଯୋଜନା ପ୍ରସ୍ତୁତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଏକ ବର୍ଷରୁ କମ୍ ସମୟରେ ସମ୍ପନ୍ନ ହୋଇଥିବା, ଭାରତର ସବୁଠାରୁ ସ୍ୱଳ୍ପ ଅବଧିରେ ନିର୍ମିତ ବିମାନବନ୍ଦର ଭିତ୍ତିଭୂମି ସଂରଚନା ମଧ୍ୟରୁ ଗୋଟିଏ ଭାବେ ଉଦାହରଣ ସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀ, ଏହି ଉଦ୍ଘାଟନୀ ସମାବେଶକୁ ସମ୍ବୋଧିତ କରି ଏହାକୁ ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ଚାଲିଥିବା ବ୍ୟାପକ ‘ବିକାଶ କା ଉତ୍ସବ’ର ଏକ ଅଂଶ ବୋଲି ଉଲ୍ଲେଖ କରିଥିଲେ। ସେ ‘ଆକ୍ଟ୍ ଇଷ୍ଟ୍’ ନୀତି ଅନୁସାରେ ଭାରତର ପୂର୍ବ ଦ୍ୱାର ଭାବେ ଆସାମର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରିବା ସହ, ବାଉଁଶ ଭଳି ପ୍ରାକୃତିକ ପରିବେଶରୁ ପ୍ରେରଣା ନେଇ ନିର୍ମିତ ଏହି ଟର୍ମିନାଲ୍ ‘ବିକଶିତ ଭାରତ’ ଗଠନରେ ଏହି ଅଂଚଳର କେ ଦୀର୍ଘସ୍ଥାୟୀ ଅବଦାନର ପ୍ରତୀକ ବୋଲି ଅଭିହିତ କରିଥିଲେ।
ଗୌହାଟି ଇଣ୍ଟର୍ନ୍ୟାସନାଲ୍ ଏୟାର୍ପୋର୍ଟ୍ ଲିମିଟେଡ୍ ଦ୍ୱାରା ବିକଶିତ ଏବଂ ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ୍ ଲିମିଟେଡ୍ ଦ୍ୱାରା ପରିଚାଳିତ, “ଦ ବାମ୍ବୁ ଅର୍କିଡ୍ସ” ନାମିତ ଏହି ଟର୍ମିନାଲ୍ରେ ସ୍ଥାନୀୟ ସ୍ୱତନ୍ତ୍ରତା ସହିତ ଆଧୁନିକ ଡିଜାଇନକୁ ମିଶ୍ରଣ ରହିଛି। ସ୍ୱଦେଶୀ ବାଉଁଶ ଏବଂ ପ୍ରକୃତି-ପ୍ରେରିତ ସ୍ଥାପତ୍ୟ ଏହାର ମୁଖ୍ୟ ଆକର୍ଷଣ ସାଜିଛି।
ଏହି ଅବସରରେ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ କହିଥିଲେ ଯେ, “”ଏହି ପ୍ରକଳ୍ପ ଦେଖାଉଛି ଆଞ୍ଚଳିକ ସଂସ୍କୃତି ଓ ପରିଚୟକୁ ଅତୁଟ ରଖି କିପରି ବିଶ୍ୱସ୍ତରୀୟ ବିମାନବନ୍ଦର ଭିତ୍ତିିଭୂମିକୁ ଦ୍ରୁତ ଗତିରେ ଉନ୍ନତମାନର ସହ ପ୍ରସ୍ତୁତ କରାଯାଇପାରେ।”

ନୂତନ ଟର୍ମିନାଲ ବିମାନ-ସଂଯୋଗକୁ ଆହୁରି ସୁଦୃଢ଼ କରିବା ସହ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରୁଛି ଏବଂ ଉତ୍ତର-ପୂର୍ବ ଭାରତର ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ଗୌହାଟିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଡିଜିଯାତ୍ରା-ସକ୍ଷମ ପ୍ରକ୍ରିୟାକରଣ, ସ୍ମାର୍ଟ ଚେକ୍-ଇନ୍ ପ୍ରଣାଳୀ ଓ ବିସ୍ତୃତ ଯାତ୍ରୀ କ୍ଷେତ୍ର ସହିତ ସଜ୍ଜିତ ଏହି ଟର୍ମିନାଲ ୨୦୩୨ ସୁଦ୍ଧା ପ୍ରତିବର୍ଷ ୧୩.୧ କୋଟି ଯାତ୍ରୀ ପରିଚାଳନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ସଂପୂର୍ଣ୍ଣ ବିମାନବନ୍ଦର ଉନ୍ନୟନ ପ୍ରକଳ୍ପରେ ₹୫,୦୦୦ କୋଟି ଟଙ୍କାର ବିନିଯୋଗ ହୋଇଛି, ଯାହା ମଧ୍ୟରୁ ₹୧,୦୦୦ କୋଟି ଟଙ୍କା ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ ନିମନ୍ତେ ଉଦ୍ଧିିଷ୍ଟ। ଆଗାମୀ ଦିନରେ ଏହା ଦେଶ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତୀୟ କାର୍ଗୋ ଭିତ୍ତିିଭୂମି ବ୍ୟବସ୍ଥା, ବାଣିଜ୍ୟ, ପରିବହନ ବ୍ୟବସ୍ଥାକୁ ସମୃଦ୍ଧ କରିବା ସହ ନିଯୁକ୍ତର ନୂତନ ସୁଯୋଗ ସୃଷ୍ଟି କରିବ।
