ନୂଆ ଓଡ଼ିଶା ନିର୍ମାଣର ବିନ୍ଧାଣି ସାଜିବ ‘ଇଣ୍ଡିଆନ୍ ରୋଡ୍ସ କଂଗ୍ରେସ’

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ନବ ଉନ୍ମେଷର ବିନ୍ଧାଣି ସାଜିଛି ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍‌ସି) । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ବିଶ୍ୱସ୍ତରୀୟ ରାଜପଥ ହେଉ, ଅବା ଶ୍ରୀମନ୍ଦିର ଐତିହ୍ୟ କରିଡର, ରାଜପଥଠୁ ନେଇ ସୁଉଚ୍ଚ ଅଟ୍ଟାଳିକା, ସେତୁ, ଟନେଲ ସବୁଠି ରହିଛି ଆଇଆର୍‌ସିର ଛାପ । ମାତ୍ର କେତେଟା ବର୍ଷ ଭିତରେ ଓଡ଼ିଶା ଦେଖିଛି ଉତ୍କଳର ନୂଆ ରୂପ । ପ୍ରଚ୍ଛଦପଟରେ ରହି ଆଇଆର୍‌ସିର ଯନ୍ତ୍ରୀମାନେ ସାଜିଛନ୍ତି ଆଧୁନିକ ଭାରତର ବିଶ୍ୱକର୍ମା । ଓଡ଼ିଶା ପୁର୍ନବାର ଆଇଆର୍‌ସି ସମ୍ମିଳନୀ ଆୟୋଜନର ସୁଯୋଗ ପାଇବା ପରିପ୍ରେକ୍ଷୀରେ ଏହାର ଅବଦାନକୁ ଅବଲୋକନ କରିବା ବେଳେ ଅବଦାନ ସ୍ପଷ୍ଟ ବାରି ହୋଇପଡ଼ୁଛି ।
ସମଗ୍ର ଭାରତ ବର୍ଷରେ ବ୍ୟାପକ ଭାବେ ବିସ୍ତାର ଲାଭ କରିଛି ଆଇଆର୍‌ସି । ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିିସିସି) ଜରିଆରେ ଅନ୍ତତଃ ଓଡ଼ିଶାର ଭିତ୍ତିଭୂମି ମାନଚିତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠୁ ନେଇ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ, ମା’ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ପ୍ରକଳ୍ପ ଭଳି ଐତିହ୍ୟସ୍ଥଳୀ ନୂଆ ରୂପ ପାଇଛି । ପୁଣି ଧଉଳି, ଅଠରନଳା, ବକୁଳବନରେ ଏଯାବତ୍ କାମ ଚାଲୁ ରହିଛି । ସେହିଭଳି ପୁରୀରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ସେତୁ (ଶ୍ରୀସେତୁ)ଠୁ ନେଇ କେନ୍ଦୁଝରର ଯୋଡ଼ା ଫ୍ଲାଏଓଭର, କଟକ ନେତାଜୀ ବସ୍ ଟର୍ମିନାଲ, ଜଗନ୍ନାଥ ବଲ୍ଲଭ ତୀଥର୍ଯାତ୍ରୀ କେନ୍ଦ୍ର, ଦିଗବାରେଣୀ ଓ ଜେଲ୍ ରୋଡ୍ ମଲଟି ଲେବୁଲ କାର ପାର୍କିଂ, ମୂଷା ନଦୀର ସମ୍ପ୍ରସାରଣ ଦିଗରେ ଆଇଆର୍‌ସି ଅଧୀନସ୍ଥ ଓବିସିସି ଯନ୍ତ୍ରୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟଠୁ ନେଇ ପୁରୀ ବେଳାଭୂମିକୁ ନୂଆ ରୂପ ଦେବା ପାଇଁ ଅଭିଯାନ ଜାରି ରହିଛି।
ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ୭୫ ହଜାର କିଲୋମିଟର ସଡ଼କ ଶୃଙ୍ଖଳକୁ ଉନ୍ନତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଆଇଆର୍‌ସିର ଅଧିବେଶନ ରାଜ୍ୟରେ ସଡ଼କର ଉନ୍ନତି ଲାଗି କେନ୍ଦ୍ରୀୟ ସହାୟତା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ରାଜ୍ୟର ଅଧିକାରୀବୃନ୍ଦ ଆଶା ରଖିଛନ୍ତି। ନିକଟରେ କେନ୍ଦ୍ର ସରକାର ୮୩୦୭ କୋଟି ଟଙ୍କାରେ ୬ ଲେନ ବିଶିଷ୍ଟ ଭୁବନେଶ୍ୱର ବାଇପାସ ପାଇଁ ଅନୁମୋଦନ କରିଛନ୍ତି। ଟ୍ରାଫିକ ଭିଡ଼ ହ୍ରାସ ପାଇଁ ଏହି ରାସ୍ତା ଉପଯୋଗୀ ହେବ। ଆଇଆରସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ହୋଇଥିବା ଅତ୍ୟାଧୁନିକ ଗବେଷଣା, ସୃଜନ ପଦ୍ଧତି, ଶିଳ୍ପ କ୍ଷେତ୍ରରେ ହୋଇଥିବା ଉତ୍କର୍ଷ ପ୍ରଦର୍ଶନୀ ରାଜ୍ୟ ରାଜପଥ ଉନ୍ନତିରେ ସହାୟକ ହୋଇପାରିବ।
ଆଇଆରସି ସମ୍ମିଳନୀରେ ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ମଡେଲ ଓ ବୈଷୟିକ ଜ୍ଞାନକୌଶଳର ଜ୍ଞାନ ଆଦାନପ୍ରଦାଦନ ରାଜ୍ୟର ସଡ଼କ ଭିତ୍ତିଭୂମି ପାଇଁ ସୁଯୋଗ ସୃଷ୍ଟି କରିବ। ଆଇଆର୍‌ସି ସମ୍ମିଳନୀରେ ମେକାନାଇଜ୍‌ଡ ମାଷ୍ଟିକ୍ ଆସ୍‌ଫାଲ୍ଟ ଟେକ୍‌ନୋଲୋଜୀ ପ୍ରଦର୍ଶିତ ହେବ। ସଂପ୍ରତି ଅଧିକାଂଶ ରାସ୍ତା ନିର୍ମାଣରେ ମାଷ୍ଟିକ ଆସ୍‌ଫାଲ୍ଟ ସମୟ ଉପଯୋଗୀ ସାବ୍ୟସ୍ତ ହେଉଛି। ସମ୍ମିଳନୀରେ ଏହାର ପ୍ରଦର୍ଶନ ସହ ମେସିନର ଉପଯୋଗ ସମ୍ପର୍କରେ ଜ୍ଞାନ ଆଦାନପ୍ରଦାନ ତଥା ନିର୍ମାଣ କାର୍ଯ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସଡ଼କ ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ।

Leave a Reply

Your email address will not be published. Required fields are marked *