ଦଲପାହାଡ଼ ଲୌହ ଏବଂ ମାଙ୍ଗାନିଜ ଖଣିରୁ ଉତ୍ପାଦନ ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ, ଲୋକଙ୍କ ସର୍ତମୂଳକ ସମର୍ଥନ

ଯୋଡା,ପ୍ରବାହ ନ୍ୟୁଜ୍ : କେନ୍ଦୁଝର ଜିଲ୍ଲା,ବଡ଼ବିଲ ତହସିଲ ଅନ୍ତର୍ଗତ ଦଲପାହାଡ଼ ଗ୍ରାମରେ ଶ୍ରୀ ଡି ସି ଜୈନଙ୍କର ୮୯.୬୧ ହେକ୍ଟର ପରିମିତ ଅଂଚଳରେ ଥିବା ଦଲପାହାଡ଼ ଲୌହ ଏବଂ ମାଙ୍ଗାନିଜ ଖଣିରୁ ଖଣିଜ ଉତ୍ପାଦନ ବୃଦ୍ଧି ନିମନ୍ତେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ମାଙ୍ଗାନିଜ ଉତ୍ପାଦନ କ୍ଷମତା ବାର୍ଷିକ ୦.୦୯୪ ମିଲିୟନ ଟନ୍ ସହିତ ଲୌହ ଉତ୍ପାଦନ କ୍ଷମତା ୦.୩୧ ମିଲିୟନ ଟନ୍ ରୁ ୨.୯୯ ଟନ୍ ମିଲିୟନ ଟନ୍ କୁ ବୃଦ୍ଧି ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୃପକ୍ଷ ଓଡ଼ିଶା ଦ୍ଵାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣୀ କରାଯାଇଛି । ତେବେ ସର୍ବସମ୍ମତିକ୍ରମେ କମ୍ପାନୀ ସପକ୍ଷରେ ଯାଇଥିଲା ଜନଶୁଣାଣୀ । ପରିବେଶୀୟ ମଞ୍ଜୁରୀ ଅନୁମୋଦନ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ସଂରକ୍ଷିତ ଜଙ୍ଗଲ ମୌଜା ଦଲପାହାଡ଼ ଅଞ୍ଚଳରେ ଶୁକ୍ରବାର ଏହି ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲପାଳ ଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେନ୍ଦୁଝର ଆଞ୍ଚଳିକ ଅଧିକାରୀ, ପ୍ରଶାନ୍ତ କର ଜନ ଶୁଣାଣୀକୁ ପରିଚାଳନା କରିଥିଲେ । ପ୍ରଥମେ ଖଣି କମ୍ପାନୀର ଅଧିକାରୀଙ୍କ ପକ୍ଷରୁ ପ୍ରକଳ୍ପ ସମ୍ବନ୍ଧରେ ସାରାଂଶ ଉପସ୍ଥାପନ କରାଯାଇଥିଲା । ପ୍ରକଳ୍ପ ହେବା ଦ୍ୱାରା କେଉଁ ସବୁ ପ୍ରଭାବ ପଡ଼ିବ ଏବଂ ତାହାର ନିରାକରଣ କିପରି କରାଯିବ ସେନେଇ ସେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ଖଣି କାର୍ୟ୍ୟ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ ଜନ ଶୁଣାଣୀରେ ନିଜର ମତାମତ ବ୍ୟକ୍ତ କରିଥିଲେ, ଯାହାକୁ ଲିପିବଦ୍ଧ କରାଯିବା ସହ ଭିଡିଓ ରେକର୍ଡିଂ କରାଯାଇଥିଲା । ଏହି ସର୍ବସାଧାରଣ ଜନଶୁଣାଣୀରେ ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନେ ମତାମତ ଦେଇଥିଲେ । ଜନଶୁଣାଣୀରେ ପାଶ୍ୱର୍ବର୍ତ୍ତୀ ଗ୍ରାମର ବାସିନ୍ଦାମାନେ ସ୍ୱୀକୀୟ ମତାମତ ପ୍ରଦାନ କରିଥିଲେ । ପାରିପାଶ୍ୱର୍ିକ ଉନ୍ନତି,ପାନୀୟ ଜଳ,ଗମନାଗମନ,ନିଯୁକ୍ତି,ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କମ୍ପାନୀ ଯତ୍ନବାନ ହେବାକୁ ଭୂୟାଁରୋଇଡା ସରପଞ୍ଚ ତୁଳସୀ ବବଙ୍ଗା ମତ ଉପସ୍ଥାପନ କରିଥିଲେ । ପ୍ରକଳ୍ପକୁ ସମର୍ଥନ ଜଣାଇବା ସହିତ ସ୍ଥାନୀୟ ଅଞ୍ଚଳରେ କାରଖାନା ପ୍ରତିଷ୍ଠା,ପ୍ରଭାବିତ ଗ୍ରାମ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳର ସୁବନ୍ଦୋବସ୍ତ, ଫଳ ବୃକ୍ଷ ରୋପଣ ଏବଂ ନିଯୁକ୍ତି ଆଦି ଦାବି କରିଥିଲେ ଗ୍ରାମବାସୀ । ତେବେ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ସେସବୁକୁ ଯଥା ସମ୍ଭବ ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଦୂଷଣ ନିୟନ୍ତ୍ରଣ ସକାଶେ ସବୁ ମାନଦଣ୍ଡ ଓ ନିୟମକୁ ମାନି ପଦକ୍ଷେପ ନିଆଯିବ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ସ୍ଥାନୀୟ ବାସୀନ୍ଦାଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବା ସହ ସିଏସଆର ମାଧ୍ୟମରେ ଜନହିତକର କାର୍ୟ୍ୟ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।