ଖଣି ମାଫିଆଙ୍କ ଛତ୍ରଛାୟା ତଳେ ଜନଶୁଣାଣୀ

ଯୋଡା, ପ୍ରବାହ ନ୍ୟୁଜ୍‌ : ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ଖଣି ମାଫିଆଙ୍କ ପ୍ରଭାବ ଖଣି ଅଞ୍ଚଳରେ ଏବେ ମଧ୍ୟ କମିନାହିଁ । ଖଣି ମାଫିଆଙ୍କ ଛତ୍ରଛାୟା ତଳେ ବାହୁବଳ ପ୍ରୟୋଗ କରାଯାଇ କିଛି ଆଦିବାସୀ ଲୋକଙ୍କୁ ଅର୍ଥ ଏବଂ ଖାଦ୍ୟ ପେୟ ଦେଇ ଜନଶୁଣାଣୀକୁ ସଫଳ କରାଯାଉଥିବା ଦେଖିବାକୁ ମିଳିଛି । ଏଥିରେ ଜନତାଙ୍କ ଠାରୁ ପୁଲିସ ଅଧିକା ରହୁଥିବା ବେଳେ ଜନସାଧାରଣଙ୍କୁ କହିବା ପାଇଁ ସୁଯୋଗ ଦିଆଯାଉନାହିଁ । ଲୋକଙ୍କ ଠାରୁ ହାତ ଲେଖା ନିଆଯାଉଥିବା କହି ମିଥ୍ୟା ସମର୍ଥନ ପତ୍ର ମାଧ୍ୟମରେ ଏହକୁ ସଫଳ କରିବା ପାଇଁ ପ୍ରୟାସ କରାଯାଉଛି । ଏହିପରି ଏକ ଘଟଣା ଶୁକ୍ରବାର ଯୋଡା ବ୍ଲକରେ ଦେଖିବାକୁ ମିଳିଛି । ଯୋଡା ବ୍ଲକ ଅନ୍ତର୍ଗତ କାଟାସାହି ମୌଜାରେ ଏକ ନୂତନ ଖଣି ଖୋଲିବା ନେଇ ପ୍ରଦୂଷଣ ଜନୀତ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କାଟାସାହିର ମାଙ୍ଗାନିଜ ଖଣି ମେସର୍ସ ଫେରୋ ଆଲଏଜ କର୍ପୋରେସନ ଲିଃର ଓଡିଶାର କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ କାଟାସାହି ଗ୍ରାମରେ ୧୩.୬୭୪ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ମାଙ୍ଗାନିଜ ଖଣିରୁ ସମୁଦାୟ ବାର୍ଷିକ ୬୮୨୮୯ ଟନ୍ (ବାର୍ଷିକ ୨୮୧୧୯ ଟନ୍ ଆର.ଓ.ଏମ୍. ଓ ବାର୍ଷିକ ୨୪୧୭୦ ଟନ୍ ବର୍ଜ୍ୟ) ଖନନ କରିବା ନିମନ୍ତେ ଏହି ଜନଶୁଣାଣୀଟି ଶୁକ୍ରବାର ଦିବା ୧୧ ଘଟିକାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରଶାନ୍ତ କର, ଅତିରିକ୍ତ ଜିଲାପାଳ ଯଦୁମଣି ମହାଲା ଉପସ୍ଥିତ ରହିଥିଲେ । ତେବେ ଏହି ଜନଶୁଣାଣୀଟିକୁ ଜିଲାର ପ୍ରମୁଖ ଖଣି ମାଫିଆମାନେ ସଞ୍ଚାଳନ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ୪୪ଜଣ ବ୍ୟକ୍ତି କମ୍ପାନୀକୁ ସର୍ତ୍ତମୂଳକ ସମର୍ଥନ ମୌଖିକ ଭାବେ ଦେଇଥିବା ବେଳେ ୨୨୮ ଜଣ ଲିଖିତ ଭାବେ ଦେଇଥିଲେ । ତେବେ ଏହି ଜନଶୁଣାଣୀରେ ୨୨୮ଜଣ ଲୋକ ଉପସ୍ଥିତ ନଥିବା ବେଳେ ଏହା ଖଣି ମାଫିଆଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ମିଥ୍ୟା ସମର୍ଥନ ପତ୍ର ଦିଆଯାଇଥିବା ଅଭିଯୋଗ ହୋଇଛି । ନିଜକୁ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ବୋଲାଉଥିବା ଖଣି ମାଫିଆ ଏହି ଜନଶୁଣାଣୀଟିକୁ ସଞ୍ଚାଳନ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଏହି ଖଣିଟିକୁ ଚାଲିବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଏଠାରେ ସୂଚନା ଯୋଗ୍ୟ, ପୂର୍ବରୁ ମଧ୍ୟ ଏହି କମ୍ପାନୀର ଜନଶୁଣାଣୀ ଥରେ ବିଫଳ ହୋଇଥିବା ବେଳେ ଚଳିତ ଜନଶୁଣାଣୀକୁ ମାଫିଆମାନଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ବାସିନ୍ଦା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *