ସିନେକ୍ରିଟିକ୍ର ‘ଲତା ନାଇଟ୍ -୨୦୨୪’
ଲତା ଥିଲେ ସଂଗୀତର କାଳଜୟୀ ସ୍ରଷ୍ଟା
ଭୁବନେଶ୍ୱର, ତା ୭ା୨ : ଭାରତର ଅଗ୍ରଗଣ୍ୟା କଣ୍ଠଶିଳ୍ପୀ, ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ମନୋଜ୍ଞ ସଂଗୀତ ସନ୍ଧ୍ୟାରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍, ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଲତା ନାଇଟ୍-୨୦୨୪’ ଶୀର୍ଷକ ଏହି ଉତ୍ସବରେ ରାଜ୍ୟ ବହୁ ଜଣାଶୁଣା ସଂଗୀତଜ୍ଞ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ଗୁଡ଼ିକ ପରିବେଷଣ କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଓ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ବକ୍ତାମାନେ ସ୍ୱର ସାମ୍ରାଜ୍ଞୀ ଲତାଙ୍କ ସଂଗୀତ ଯୁଗେ ଯୁଗେ କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ପ୍ରଖ୍ୟାତ୍ ବାଦ୍ୟଗୁରୁ ଅବନୀକାନ୍ତ ଦାସ (ଗେନୁ)ଙ୍କ ସଂଯୋଜନାରେ ଆୟୋଜିତ ‘ଲତା ନାଇଟ୍- ୨୦୨୪’ ସଂଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଛନ୍ଦା ମିଶ୍ର, ପ୍ରୀତିନନ୍ଦା ରାଉତ, ଅବନ୍ତିକା ପଟ୍ଟନାୟକ, ସାଇପ୍ରଜ୍ଞା, ଇପ୍ସିତା ମହାନ୍ତି, ରୀତିକା ରିମ୍ଝିମ୍, ଦେବଶ୍ରୀ ରାଜନନ୍ଦିନୀ ପ୍ରମୁଖ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ପରିବେଷଣ କରିଥିଲେ । ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳ ଭାଓଲିନ୍ ମାଧ୍ୟମରେ ଲତାଙ୍କ ସଂଗୀତର ସ୍ୱର ବାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲ୍ସନ୍ ନଦୀମ୍ ସଂଯୋଜନା କରିଥିବା ସ୍ଥଳେ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ଲୁଟୁ ମହାନ୍ତି ଓ ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।
