ସଙ୍ଗୀତା ମୋଟର୍ସ କର୍ମଚାରୀ ଚିତରଞ୍ଜନ ଆତ୍ମହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନର ବାପାଙ୍କୁ ଚାନ୍ଦବାଲିରୁ ଉଠାଇଲା ପୁଲିସ

0
20200713_103437 (1)

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ଚହଳ ସୃଷ୍ଟି କରିଥିବା ସଂଗୀତା ମୋଟର୍ସ କର୍ମଚାରୀ ଚିତରଂଜନ ଜେନା ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସଂଗୀତା ମୋଟର୍ସ ମାଲିକ ଚନ୍ଦନ ଶାହାକୁ ଧରିବା ଲାଗି ପୁଲିସ ତନାଘନା ଉଦ୍ୟମ କରୁଛନ୍ତି । ରବିବାର ଭୋରୁ ଭଦ୍ରକ ଟାଉନ ପୋଲିସର ଏକ ଟିମ ଚନ୍ଦନ ଶାହାଙ୍କ ଚାନ୍ଦବାଲି କାଳୀମନ୍ଦିର ସ୍ଥିତ ବାସଭବନରେ ଚଢଉ କରିଥିଲା । ଏସଆଇ ଦୀପ୍ତିରେଖା ନାୟକ, ଏଏସଆଇ ସୁବାସ ମଲ୍ଲିକଙ୍କ ନେତୃତ୍ୱରେ ଏହି ଟିମ ଚଢଉ କରିଥିଲେ ହେଁ ଚନ୍ଦନର ପତା ପାଇନଥିଲେ । ପୁଲିସ ଚନ୍ଦନର ବାପାଙ୍କୁ ଚାନ୍ଦବାଲିରୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ବାପାଙ୍କୁ ପଚରା ଉଚୁରା କରୁଛି ପୁଲିସ ।

ପୂର୍ବରୁ ପୁଲିସ ସଂଗୀତା ମୋଟର୍ସର ୫ ଜଣ କର୍ମଚାରୀଙ୍କୁ ଥାନାକୁ ଡାକି ପଚରା ଉଚୁରା କରି ଛାଡି ଦେଇଥିଲା । ଗତ ୧ ତାରିଖରେ ସଂଗୀତା ମୋଟର୍ସ ପଛପଟୁ ଚିତରଂଜନ ଜେନାଙ୍କ ମୃତଦେହ ମିଳିଥିଲା । ଚିତରଂଜନ ସଂଗୀତା ମୋଟର୍ସ ମାଲିକ ଚନ୍ଦନ ଶାହା ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଥିଲେ । ବକେୟା ଟଙ୍କା ଆଦାୟକୁ ନେଇ ଚନ୍ଦନ ଶାହା ତାଙ୍କୁ ଏକାଧିକ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା କଥା ସୁଇସାଇଡାଲ ନୋଟରେ ଉଲ୍ଲେଖ ଥିଲା । ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଏପଟେ କଂଗ୍ରେସ ଦଳ ପକ୍ଷରୁ ଚନ୍ଦନ ଶାହାଙ୍କ ଗିରଫ ଦାବିରେ ଆନ୍ଦୋଳନ ପରେ ପୁଲିସ ପକ୍ଷରୁ ଚନ୍ଦନକୁ ଖୋଜିବା ଅଭିଯାନ ଜୋରଦାର ହୋଇଛି ।

Leave a Reply

Your email address will not be published. Required fields are marked *