ଫିକା ପଡ଼ିଲା ରଜ ମହୋତ୍ସବ

0
Photo for the News of RAJA

ଦ୍ରକ, (ପ୍ରବାହ ନ୍ୟୁଜ୍‌): ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା ଆଖପାଖ ଅଂଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ଓ ପରମ୍ପରାକୁ । ବର୍ଷ ବର୍ଷ ଧରି ତା’ର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିପାରିଥିଲା ଓଡ଼ିଆ ମାନଙ୍କ ରଜ ପର୍ବ । କିନ୍ତୁ ଚଳିତ ବର୍ଷ ଏଥିରେ କରୋନା ପାଇଁ ଭଟ୍ଟା ପଡ଼ିଛି । ସମସ୍ତ ପ୍ରକାର ନିୟମ ଭିତରେ ରହି ଏହି ପର୍ବ ପାଳନ କରିବାକୁ ସରକାର ଅନୁରୋଧ କରିଛନ୍ତି । ଏଠାରେ ପ୍ରକାଶ ଥାଉକି : ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଂଚିଥିବା ବେଳେ ଏଠାକାର ଅଂଚଳରେ ଏହି ପର୍ବ କିନ୍ତୁ ଅଧିକ ସରସ ସୁନ୍ଦର ହୋଇପାରୁଥିଲା । ଓଡ଼ିଆଣି “ପିଠା” ଆସନ “ପିଜା” ଗ୍ରହଣ କରିଥିବା ବେଳେ ଏଠାରେ ପୋଡ଼ ପିଠା, କାକରା, ମଣ୍ଡା ଆଦି ସୁଆଦିଆ ପିଠାର ବାସ୍ନା ଆଜିବି ଘରେ ଘରେ ଅନୁଭବ ହୋଇଥାଏ । ଗାଁ ଦାଣ୍ଡରେ ଯିବା ବେଳେ ଏହାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଗାଁ ଦାଣ୍ଡରେ ଭାସି ଆସେ ଗାଁ ଲଳନା ମାନଙ୍କ ସୁମଧୁର କଣ୍ଠରେ ବନସ୍ତେ ଡ଼ାକିଲା ଗଜ ……… ର ମନ ମତାଣିଆ କଣ୍ଠ ସ୍ୱର । ଗାଁର ବରଗଛ ମୁଳେ ପଟା ଦୋଳି ସାଂଗକୁ କୁନି କୁନି ଝିଅ ମାନଙ୍କ ମଧ୍ୟରେ ପୁଚି ଖେଳ, ଲୁଡ଼ୁ ଖେଳର ନିଆାଁରା ମଜା ଦେଖିବାକୁ ମିଳିଥାଏ । ପୃଥିବୀ ରଜସ୍ୱାଳା ଥିବାରୁ ଗାଁ ମହିଳା ମାନେ ରୋଷେଇ କାର୍ଯ୍ୟ ନ କରି ତାସ ଖେଳରେ ମାତି ଥିବାର ଦେଖିବାକୁ ମିଳେ । ଯୁବକ ମାନଙ୍କ କବାଡ଼ି ଖେଳ ଗାଁ ଦାଣ୍ଡରେ ଏକ ନିଆରା ପରିବେଶ ସୃଷ୍ଟି କରିିଥାଏ । ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବ ଆଗରପଡ଼ା ଅଂଚଳରେ କବାଡ଼ି ଖେଳର ପରମ୍ପରା ଆରମ୍ଭ କରିଥିଲେ । ସେ ନିଜେ ମଧ୍ୟ ସାଧାରଣ ଲୋକଙ୍କ ସହ ମିଶି ଖେଳୁଥିବା ଦେଖାଯାଉଥିଲା । କିଛି ବର୍ଷ ହେବ ଏହି ବ୍ଲକର ତିନି ଗୋଟି ସ୍ଥାନରେ ରଜ ମହୋତ୍ସବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ପୁରୁଷଣ୍ଢର ରାମଗଡ଼ ପଦା ଠାରେ କିଛି ଉଦ୍ୟମି ଯୁବକ ୨୦୦୫ ମସିହା ଠାରୁ କମିଟି ଗଠନ କରି ରଜ ପର୍ବକୁ ଗଣ ପର୍ବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କମିଟି ପକ୍ଷରୁ ରାମଦୋଳି, ବ୍ରେକ ଡ଼୍ୟାନ୍ସ ଦୋଳି, ଚକିରୀ ଦୋଳି, ଜୋଡ଼ା ଦୋଳି ଓ ମିକି ମାଉସ ରେ ଚଢ଼ି ଛୋଟ ଛୋଟ ପିଲାମାନେ ଆନନ୍ଦ ଉଠାଇଥାନ୍ତି । ସେହିପରି ବଡ଼ମହିଷିଗୋଠ ପଂଚାୟତ ଟିକିରା ବରଗଛ ପଡ଼ିଆ ଠାରେ ଆଇଡ଼ିଆଲ କ୍ଲବ ସଭାପତି ମନ୍ମଥ ଦାସ ପ୍ରମୁଖଙ୍କୁ ନେଇ ଅନ୍ୟ ଏକ କମିଟି ଗଠନ କରାଯାଇ ଏହି ପର୍ବ ପାଳିତ ହୋଇ ଆସୁଛି । ଏଠାରେ ଏହି ପର୍ବ ପାଳନ ଚାରିଦିନ ଧରି ଚାଲି ଥାଏ ଓ ପ୍ରତ୍ୟେହ ଦିନ ବିଭିନ୍ନ ପ୍ରତିଯୋଗୀତା ସାଙ୍ଗକୁ ସଂଗୀତ, ନୃତ୍ୟ ପରିବେଷଣ ଓ ଶେଷ ଦିନରେ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ । ଗଣିଜାଙ୍ଗ ହାଟ ପଡ଼ିଆ ଠାରେ ରଜ ପର୍ବ ଧୁମ ଧାମରେ ପାଳିତ ହୋଇଥାଏ । ଏଠାରେ ପାନଭଙ୍ଗା, ଝୋଟି, ଚିତା, ପୁଚି, ପୋଡ଼ ପିଠା ପ୍ରସ୍ତୁତି ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଏଠାରେ ରଜପରୀ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଅନୁରୂପ ଭାବେ ରାମଚନ୍ଦ୍ରପୁର ପଂଚାୟତ ଅର୍ନ୍ତଗତ ନିମପଡ଼ାଠାରେ ମଧ୍ୟ ଧୁମଧାମରେ ରଜମହୋତ୍ସବ ପାଳିତ ହୋଇଥାଏ । ମୋଟା ମୋଟି ଭାବେ କହିବାକୁ ଗଲେ ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ପାଳିତ ହୋଇ ଆସୁଥିବା ଏହି ପର୍ବ ଓଡ଼ିଆ ସଂସ୍କୃତିର ନିଦର୍ଶନ ପାଲୋଟିଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ଫିକା ପଡ଼ିଛି !!! ।

Leave a Reply

Your email address will not be published. Required fields are marked *