ଅର୍ଜୁନ ସେଠୀଙ୍କୁ ଜିଲ୍ଲା ବିଜେପିର ଶ୍ରଦ୍ଧାଞ୍ଜଳି

0
Arjun Sethi Sokasabha 1

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ରାଜନୀତି ଇତିହାସରେ ବହୁ ଯୁଗଜନ୍ମା ଜନ୍ମ ନେଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଜନ୍ମ ନେବେ । ମାତ୍ର ଅର୍ଜୁନଙ୍କ ଭଳି ଜଣେ ସରଳ, ଅମାୟିକ ଓ ନିରାଡମ୍ବର ମଣିଷ ଜନ୍ମ ନେବା ପ୍ରାୟ ଅସମ୍ଭବ । ନିଜର ଯୁବାବସ୍ଥାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଅର୍ଦ୍ଧ ଶତାବ୍ଦୀ ଧରି ରାଜନୀତିରେ ବୁଡି ରହି ଜିଲ୍ଲାବାସୀଙ୍କ ପାଇଁ ନିଜକୁ ଉତ୍ସର୍ଗ କରି ସେ କେବଳ ଜିଲ୍ଲା ନୁହେଁ, ରାଜ୍ୟ ଓ କେନ୍ଦ୍ର ରାଜ୍ୟ ରାଜନୀତିର ଜଣେ ନୀତିନିଷ୍ଠ ନେତା ଭାବେ ନିଜକୁ ପରିଗଣିତ କରାଇଥିଲେ । ଭଦ୍ରକ ମାଟିପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ବିଜେପି ଦଳରେ ସେଠୀଙ୍କ ଯୋଗଦାନ ଦଳୀୟ କର୍ମୀଙ୍କୁ ବହୁମାତ୍ରାରେ ଉତ୍ସାହିତ କରିଥିଲା । ତାଙ୍କ ଦେହାନ୍ତକୁ ଏବେ ମଧ୍ୟ ସହଜରେ ଗ୍ରହଣ କରିହେଉ ନାହିଁ ।ତାଙ୍କ ମୃତ୍ୟୁରେ କେବଳ ବିଜେପି ନୁହେଁ ସମଗ୍ର ଜିଲ୍ଲା ଜଣେ ଯୁଗଜନ୍ମା ପୁରୁଷଙ୍କୁ ହରାଇଲା ବୋଲି ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ସ୍ମୃତିସଭାରେ ମତ ପ୍ରକାଶ ପାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଡାକ୍ତର ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ ଶଶୀକାନ୍ତ ବିଶ୍ୱାଳ, ଶରତ ପଢିଆରୀ, ଶ୍ରୀହର୍ଷ ସ୍ୱାଇଁ, ଦୁର୍ଗା ରାୟମହାପାତ୍ର, ଦୁର୍ଗାପ୍ରସନ୍ନ ଦାସ, ସୁରେଶ ସାମଲ, ବନମାଳୀ ଜେନା, ତପନ ମହାନ୍ତି. ଘାଉଲୀ ଜେନା, ବିକାଶ ଶ୍ରେଷ୍ଠା, ଅଶୋକ ପରିଜା, ନାରାୟଣ ସେନାପତି, ଚୈତାଳୀ ଖିଲାର, ମମତା ବେହେରା, ଭାଗିରଥୀ ମହାକୁଡ, ରଞ୍ଜନ ମିଶ୍ର, ଶଶାଙ୍କ ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ସହିତ ତାଙ୍କ ଗୁଣଗାନ କରିଥିଲେ । ଉପସ୍ଥିତ ସମସ୍ତମାନେ ଅର୍ଜୁନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନୀରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *