ଜରିବାହାଲ ଖଣିରେ ଶ୍ରମିକ ଅଶାନ୍ତି, ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ
• ସରକାରୀ ନିୟମକୁ କୋଲା ଉଲ୍ଲଂଘନ
• ଅଧିକାଂଶଙ୍କର ନାହିଁ ପିଏଫ୍ ନମ୍ବର
ଯୋଡା: ୧୩ା୭: (ପ୍ରବାହ ନିୟୁଜ) ନୂତନ ଖଣି ନିଲାମ ପରେ ସବୁବେଳେ ଜରିବାହାଲ ଖଣିଟି ବିବାଦ ଘେରରେ ରହିଆସିଛି । କେତେବେଳେ ବିନା ଅନୁମତିରେ ରାତାରାତି ବଡ ବଡ ପୁରାତନ ଗଛ କଟା ନେଇ ତ ଅନ୍ୟ କେତେବେଳେ ଶ୍ରମିକ ମାରଣ ନୀତି ଯୋଗୁଁ ଅବା ପରିବହନକୁ ନେଇ ବିବାଦ ଦେଖାଦେଇଥାଏ । ଏବେ ଶ୍ରମିକ ଅଶାନ୍ତି ଭିତରେ ଭିତରେ କୁହୁଳିବାକୁ ଲାଗିଥିବା ଜଣାପଡିଛି । ସରକାରୀ ନିୟମ ମୁତାବକ ପ୍ରତ୍ୟେକ ଶ୍ରମିକ ୮ ଘଣ୍ଟା କାର୍ଯ୍ୟ କରିବା ସହିତ ସପ୍ତାହକୁ ଗୋଟିଏ ଦିନ ଛୁଟି ପାଇବାକୁ ହକଦାର ଥିବା ବେଳେ ଏହି ନିୟମର ଉଲ୍ଲଂଘନ କରି ଖଣି କର୍ତ୍ତୁପକ୍ଷ ଶ୍ରମିକମାନଙ୍କୁ ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରାଇଥାନ୍ତି ।
ଦିନକୁ ତିନୋଟି ସିଫ୍ଟ ବଦଳରେ ୧୨ ଘଣ୍ଟିଆ ୨ଟି ସିଫ୍ଟ କରି ଶ୍ରମିକମାନଙ୍କୁ ଅଧିକ ଦୈନିକ ୪ ଘଣ୍ଟା ଖଣି କାର୍ଯ୍ୟ କରାଇଥାନ୍ତି । ଶ୍ରମ ଆଇନ ଅନୁଯାୟୀ ୪ ଘଣ୍ଟା ଅଧିକ କାର୍ଯ୍ୟ କଲେ ଗୋଟିଏ ଦିନର ଓଭର ଟାଇମ ସହିତ ମୋଟ ୨ ଦିନର ମଜୁରି ମିଳିବା ପ୍ରାବଧାନ ରହିଥିବା ବେଳେ ଏହାକୁ ଏହି କମ୍ପାନୀ କର୍ତ୍ତୁପକ୍ଷ ପାଳନ କରିନଥାନ୍ତି । ସେହିପରି ସପ୍ତାହରେ ଗୋଟିଏ ଦିନ ଛୁଟି ଦେବା ବଦଳରେ ଉକ୍ତ ଦିନ ଅନୁପସ୍ଥିତ ରହିଲେ ସେମାନଙ୍କର ମଜୁରି କାଟିଦିଆଯାଇଥାଏ । ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରି ନଦିଆଯିବା ସହିତ ୮୦ ପ୍ରତିଶତ ଶ୍ରମିକଙ୍କର ‘ବି’ ରେଜିଷ୍ଟରରେ ମଧ୍ୟ ନାମ ପଞ୍ଜିକୃତ ନଥିବା ସହିତ ଭବିଷନିଧୀ ପାଣ୍ଠୀ ମଧ୍ୟ କଟାଯାଇନଥାଏ । ଶ୍ରମିକମାନଙ୍କୁ ଅସୁରକ୍ଷୀତ ଅବସ୍ଥାରେ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇଦିଆଯାଉନଥିବାରୁ ବାରମ୍ବାର ଖଣିରେ ଛୋଟ ବଡ ଦୁର୍ଘଟଣାମାନ ଘଟିଥାଏ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
କେହି ଏହାର ବିରୋଧ କଲେ ତାକୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରିଦିଆଯାଏ ବୋଲି ସେମାନେ କହିଛନ୍ତି । ସେହିପରି ୫,୬ ନମ୍ବର କ୍ୱାରୀ ମଧ୍ୟରେ ଥିବା ଓଜନ କଣ୍ଟାରେ ରାତି ଅଧିଆ ଲୁହାପଥର ହେରଫେର କରାଯାଇ ମୋଟା ଅଙ୍କର ଟିକସ ଫାଙ୍କି କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଲୁହାପଥର ପରିବହନ ନିମନ୍ତେ କୌଣସି ଠାରେ ଷ୍ଟକ ୟାର୍ଡ ତିଆରି କରାଯାଇନାହିଁ । ଖଣି ବିଭାଗକୁ ହାତ ବାରିଶି କରି ଏହି ଖଣି ସଂସ୍ଥା ବ୍ୟାପକ ଅନିୟମିତତା କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗାଯାଇପାରୁନାହିଁ । ଏ ନେଇ ଉକ୍ତ ଖଣିର ପରିଚାଳକ ସୂର୍ଯ୍ୟନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସେ ଏସବୁକୁ ଅସ୍ୱୀକାର କରିବା ସହ ଖଣିଟି ଏବେ କ୍ଷତୀରେ ଚାଲୁଥିବାରୁ ଏହାକୁ ସରକାରଙ୍କୁ ଫେରାଇଦେବା ପାଇଁ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ।