ଦର ବୃଦ୍ଧି ଯୋଗୁ ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଲେ ମହିଳା
ଦୁବାଇ: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଜଣେ ଭାରତୀୟ ମହିଳା ଟମାଟୋକୁ ନେଇଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ ।
ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଏତେ ଚଢା ଦରରେ ଟମାଟୋ କିଣି ଖାଇବା ସମସ୍ତଙ୍କ ପାଇଁ ସମ୍ଭବ ହେଉନାହିଁ । ନିକଟରେ ଏକ ଟୁଇଟର ପୋଷ୍ଟ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ଜଣାପଡ଼ିଛି ଯେ, ଦେଶରେ ଟମାଟୋ ଦର ବୃଦ୍ଧି ଯୋଗୁ ଜଣେ ମହିଳା ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।
ମହିଳାଙ୍କ ଝିଅ ଦୁବାଇରେ ରୁହନ୍ତି । ସେ ଛୁଟିରେ ଭାରତ ଆସୁଛନ୍ତି । ସେ ତାଙ୍କ ମା’ଙ୍କୁ ସେଠାରୁ କ’ଣ ଦରକାର ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ମା’ ଦୁବାଇରୁ ୧୦ କିଲୋ ଟମାଟୋ ଆଣିବାକୁ କହିଥିଲେ । ଝିଅ ମା’ଙ୍କ କଥା ଶୁଣି ଦୁବାଇରୁ ଶୁଟକେସ୍ରେ ୧୦ କିଲୋ ଟମାଟୋ ଆଣିଛନ୍ତି । ମହିଳାଙ୍କର ଅନ୍ୟ ଜଣେ ଝିଅ ଏହି ଘଟଣାକୁ ଟୁଇଟରରେ ସେୟାର କରିଥିଲେ,ଯାହା ଏବେ ଖୁବ୍ ଭାଇରାଲ ହେଉଛି । ତାଙ୍କ ଝିଅ କହିଛନ୍ତି ଯେ , ତାଙ୍କ ମାଆ ଘରେ ଅଧିକ ମାତ୍ରାରେ ଟମାଟୋ ବ୍ୟବହାର କରିଥାନ୍ତି । ଟମାଟୋ ଦର ବୃଦ୍ଧି ଏହାକୁ ବଜାରରୁ କିଣିକି ଆଣି ଖାଇବା ସମ୍ଭବ ହେଉନାହିଁ । ତେଣୁ ସେ ଦୁବାଇରୁ ଟମାଟୋ ମଗାଇଛନ୍ତି ।