ବ୍ରଜରାଜନଗର ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ଦଳ ଚାହିଁଲେ ସେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି କହିଛନ୍ତି। ଆଜି ପୌର ନିର୍ବାଚନ ଲାଗି ଭୋଟ ଦେବା ପରେ ଗଣମାଧ୍ୟମକୁ ଏଭଳି ମତ ଦେଇଛନ୍ତି ଅଳକା ମହାନ୍ତି। ପୂର୍ବତନ ବିଧାନସଭା ବାଚସ୍ପତି, ମୁଖ୍ୟ ସଚେତକ, ରାଜ୍ୟସଭା ସାଂସଦ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭଳି ପଦବି ମଣ୍ଡନ କରିଥିବା କିଶୋର ମହାନ୍ତି ବ୍ରଜରାଜନଗର ବିଧାୟକ ଥିଲେ।


ସୂଚନାଯୋଗ୍ୟ, ଡିସେମ୍ବର ୩୦ ତାରିଖ ଦିନ କିଶୋର ମହାନ୍ତିଙ୍କର ଆକସ୍ମିକ ବିୟୋଗ ପରେ ଝାରସୁଗୁଡ଼ା ବିଜେଡି ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସ୍ବର୍ଗତ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ଓ ବ୍ରଜରାଜନଗରରୁ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଝାରସୁଗୁଡା ରାଜନୀତିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ କିଶୋର ମହାନ୍ତିଙ୍କ ଭୂମିକା ସମସ୍ତେ ଜାଣନ୍ତି। ନବ କଂଗ୍ରେସରେ ଥାଇ କିଶୋରଙ୍କୁ ଏକାଧିକବାର ପରାଜିତ କରିଥିଲେ। ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଦୀର୍ଘ ବର୍ଷର ଶତ୍ରୁତା ଥିଲା। ୨୦୧୯ରେ ନବ ବିଜେଡିକୁ ଆସିବା ପରେ କିଶୋରଙ୍କୁ ଦଳ ବ୍ରଜରାଜନଗର ଆସନ ଦେଇଥିଲା।

ଏହା ପରେ ଉଭୟଙ୍କ ସଂପର୍କରେ କିଛିଟା ସୁଧାର ଆସିଥିଲା। ହଠାତ କିଶୋରଙ୍କ ପରଲୋକ ପରେ ତାଙ୍କ ସମର୍ଥକମାନେ କିନ୍ତୁ ଭାଙ୍ଗିପଡ଼ିଥିଲେ। ଏଭଳି ସମୟରେ ପଞ୍ଚାୟତ ନିର୍ବାଚନ ଦଳ ସାମ୍ନା କରିଛି। ଯେହେତୁ ପୂର୍ବରୁ ବି ଗ୍ରାମାଞ୍ଚଳରେ ନବଙ୍କ ପତିଆରା ଟିକେ ଅଧିକ ଥିଲା, ଏଣୁ ଦଳ ସମସ୍ତ ୯ଟି ଆସନରେ ବିଜୟ ଲାଭ କରିଛି। ହେଲେ ପୌରପାଳିକାରେ କିଶୋରଙ୍କ ପଲା ଟିକେ ଭାରିଥାଏ। ଏହି ପରିପ୍ରେକ୍ଷୀରେ ନବଙ୍କ ସହିତ ପୁରୁଷୋତ୍ତମଙ୍କ ଆବିର୍ଭାବ ବିଜେଡି ଶିବିରଙ୍କୁ ଟିକେ ଆଶ୍ବସ୍ତ କରିଛି।

Leave a Reply

Your email address will not be published. Required fields are marked *