ସାରା ରାଜ୍ୟରେ ଲାଗୁ ହେଲା ସପ୍ତାହନ୍ତ ସଟ ଡାଉନ

ଭୁବନେଶ୍ୱର : ୧୯/୦୪/୨୦୨୧ : ରାଜ୍ୟରେ କରୋନାର ଦ୍ୱିତୀୟ ଲହରିରେ ସ୍ଥିତି ଅଣାୟତ ହେବାକୁ ଲାଗିଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇ ଥିଲେ ମଧ୍ୟ କରୋନା ସ୍ଥିତିର କୌଣସି ସୁଧାର ହୋଇନାହିଁ ।
ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଏହା ଉପରେ ରୋକ ଲଗାଇବା ନେଇ ଆଜି ଏସଆରସି ପ୍ରଦୀପ ଜେନା ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି ।

ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାରରେ ସପ୍ତାହନ୍ତ ସଟ ଡାଉନ୍ ଲାଗୁ ହେବା ନେଇ ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର । କେବଳ ଅତ୍ୟାବଶ୍ୟକ ସେବା ଛାଡିଲେ ଅନ୍ୟ ସବୁରେ କଟକଣା ଲାଗୁ ହେବ।

ହସ୍ପିଟାଲ, କ୍ଲିନିକ୍‌, ନର୍ସିଂ ହୋମ୍‌ ଓ ମେଡିସିନ ଷ୍ଟୋର ଖୋଲା ରହିବ। ଆମ୍ବୁଲାନ୍‌ସ ସେବା, ପୋଲିସ ଓ ଫାୟାର ସର୍ଭିସ୍‌କୁ କଟକଣା ରୁ ବାଦ ଦିଆଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ପାଇଁ କୌଣସି କଟକଣା ଲାଗୁ କରାଯାଇନାହିଁ ।

ସେହିପରି ଜରୁରୀ ସେବାରେ ଥିବା ସରକାରୀ କର୍ମଚାରୀ, ଟେଲିକମ ସେବା ଜାରି ରହିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଗଣମାଧ୍ୟମ, ଜଳ ଯୋଗାଣ, ସଫେଇ କାମ, ବିଦ୍ୟୁତ୍‌ ସେବା ଯୋଗାଣ ଓ ବଣ୍ଟନ ଜାରି ରହିବ। ସଟଡାଉନରୁ ମାଲ ପରିବହନ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ, କୃଷି ଭିତ୍ତିକ କାର୍ଯ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍‌ସି ସେବା ଜାରି ରହିବ ।

ଏହା ବ୍ୟତୀତ ବିଭାଘରରେ ବର, କନ୍ୟା, ପୂଜକ ଓ ଗୃହକର୍ତ୍ତା ଙ୍କ ସମେତ ବନ୍ଧୁବାନ୍ଧବ ଙ୍କୁ ମିଶାଇ ୫୦ ଜଣଙ୍କ ମଧ୍ୟରେ କାର୍ଯ୍ୟ କରିବା ଅନୁମତି ଦିଆଯିବା ବେଳେ ଶୁଦ୍ଧ କର୍ମ ସମୟରେ ୨୦ ଜଣଙ୍କୁ ଅନୁମତି ମିଳିବ ।

ଖାଦ୍ୟର ହୋମ୍‌ ଡେଲିଭରି ଜାରି ରହିବ । ସଟଡାଉନ ରେ ଖୋଲା ରହିବ ତେଜରାତି, ପନିପରିବା, ଆମିଷ, କ୍ଷୀର ଦୋକାନ । କଟକଣା ସମୟରେ ଅତ୍ୟାବଶ୍ୟକ ସେବାରେ ଥିବା କର୍ମଚାରୀଙ୍କୁ କୌଣସି ସ୍ୱତନ୍ତ୍ର ପାସ୍‌ ର ଆବଶ୍ୟକତା ନାହିଁ। ନିଜ ପରିଚୟ ପତ୍ର ଦେଖାଇ ଯା’ଆସ କରି ପାରିବେ।

ଏ ପଟେ ବର୍ତ୍ତମାନ ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଆଜି ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରିବାକୁ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଛି ।କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡି ସଟ ଡାଉନ ସମୟରେ ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟ ଉପରେ କଟକଣା ଲାଗୁ ହୋଇଛି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୀୟମକୁ ଖିଲାପ କରିଲେ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *