ଜଳ ସମ୍ପଦ ମନ୍ତ୍ରୀଙ୍କ ଓ୍ୱାଲମି ପରିଦର୍ଶନ    

ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ  

ଭୁବନେଶ୍ୱର ତା- ୨୧.୦୭.୨୦୨୩ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅଚାନକ କଟକ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲ୍‌ମୀ) ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଓ୍ୱାଲମିର ବିଭିନ୍ନ ପ୍ରଶିକ୍ଷଣ ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ ଓ ପ୍ରଶାସନିକ କୋଠା ପରିଦର୍ଶନ କରି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେଠାରେ ମନ୍ତ୍ରୀ ପ୍ରଶିକ୍ଷଣ ନେଉଥିବା ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ପାଣି ପଞ୍ଚାୟତ ସଦସ୍ୟ ତଥା କୃଷକମାନଙ୍କ ସହିତ ଆଲୋଚନା କରିଥିଲେ । ଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରରୁ ସେମାନେ ଦୁଇଗୁଣା ଧାନ ଉତ୍ପାଦନ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ ।

  ଏହି ପରିଦର୍ଶନ ସମୟରେ ସେ ମୁଖ୍ୟ ପ୍ରଶିକ୍ଷକ ସୁଧନ୍ୟା ଚନ୍ଦ୍ର ପାତ୍ର, ଉପନିର୍ଦ୍ଦେଶକ ଓ୍ୱାଲ୍‌ମୀ ଶ୍ରୀ ରସୋଲ ଜୋଜୋ ଓ ଅନ୍ୟ ପ୍ରଶିକ୍ଷକ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପ୍ରଶିକ୍ଷଣ ପରିପ୍ରେକ୍ଷୀରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟାମାନେ ଯେପରି ଅଧିକ ଉପକୃତ ହୋଇପାରିବେ, ସେ ସଂପର୍କରେ ମନ୍ତ୍ରୀ ଓ୍ୱାଲ୍‌ମୀ ତରଫରୁ ବିଭିନ୍ନ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦିଆଯିବାକୁ ଗୁରୁତ୍ୱାରୋପ କରିଥିଲେ ।

  ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀମତୀ ସାହୁ କମ୍ପ୍ୟୁଟର ବିଜ୍ଞାନ ସ୍ନାତକରେ  ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ନେଉଥିବା ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ସାନଭମା ଗ୍ରାମ ପଞ୍ଚାୟତ କିନିଡି ଗ୍ରାମର ଉତ୍ସାହୀ ଯୁବକ ଦିନେଶ କୁମାର ତୁଳଙ୍କ ସହ କଥା ହୋଇଥିଲେ । ଉଚ୍ଚ ଶିକ୍ଷିତ ଶ୍ରୀ ତୁଲା ବୈଷୟିକ ଜ୍ଞାନ ଉପଯୋଗ ମାଧ୍ୟମରେ ପାଣି ପଂଚାୟତ ସଦସ୍ୟମାନଙ୍କୁ କିପରି ପ୍ରଶିକ୍ଷଣ ଓ ଉନ୍ନତ ଚାଷ କରିବାରେ ସହୟତା କରୁଛନ୍ତି, ତାହା ଜାଣିବାକୁ ପାଇଥିଲେ । ଶ୍ରୀ ତୁଳ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ଅନ୍ୟ ଯୁବ କୃଷକମାନଙ୍କୁ କୃଷି କାର୍ଯ୍ୟ ପ୍ରତି ଆନ୍ତରିକତା ପ୍ରକାଶ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କୃଷକମାନଙ୍କ ଉନ୍ନତି ପାଇଁ ଜଳସେଚନକୁ ପ୍ରାଥମିକତା ଦେଉଛନ୍ତି । ଏହାର ସୁଯୋଗ ଯୁବ କୃଷକମାନେ ନେବା ଆବଶ୍ୟକ ବୋଲି କହି ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।  

Leave a Reply

Your email address will not be published. Required fields are marked *