ଅତ୍ୟନ୍ତ ଚିନ୍ତାର ବିଷୟ

ସିତାଂଶୁ ଶେଖର ମିଶ୍ର 

ରାଜ୍ୟ ଇତିହାସରେ ବୋଧହୁଏ ଏହା ପ୍ରଥମ ଘଟଣା ମନେହୁଏ। ଗତକାଲି ସୋମବାର ଥିଲା। ଅଭିଯୋଗ ଶୁଣାଣି ଦିନ। କୋଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀ ଭୁବନେଶ୍ବର ପୌର ମହାନିଗମ କାର୍ଯ୍ୟାଳୟରେ ଯେଉଁ ଘଟଣା ଘଟିଗଲା ତାହା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯେତେବେଳେ ଏହା ସାମାଜିକ ଗଣମାଧ୍ୟମ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ଦେଖିବାକୁ ହେଲା ହତବାକ୍ କରିଦେଇଥିଲା। ଜଣେ ପଦସ୍ତ ଅଫିସର ଯେତେବେଳେ ଅଭିଯୋଗ ଶୁଣାଣି କରୁଛନ୍ତି ସେତେବେଳେ ଦଳେ ଯୁବକ ଯାଇ ଆକ୍ରମଣ କରିବା ପୁଣି ଜୀବନରେ ମାରିଦେବା ଭଳିଆ ମରଣାତ୍ମକ ଆକ୍ରମଣ ନିଶ୍ଚିତ ଭାବେ ଚିନ୍ତାର ବିଷୟ ଅଟେ।ଘୋଷାରି ଘୋଷାରି ଗୋଇଠା ମାରିବାର ଦୃଶ୍ୟ ଏକ ସଭ୍ୟ ସମାଜ ପାଇଁ କେବେ ମଧ୍ୟ ଗ୍ରହଣୀୟ କହିବା ନାହିଁ। ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏହି ଘଟଣା ଘଟି ଚାଲିଥିବାର ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ଆସିବା ପରେ ଦେଶର ବିଭିନ୍ନ ପ୍ରାନ୍ତରେ ଆମ ରାଜ୍ୟର ଭାବମୂର୍ତ୍ତି ଉପରେ ନିଶ୍ଚିତ ଭାବେ ଆଞ୍ଚ ଆସିଛି। ଏହାକୁ ଅସ୍ବୀକାର କରାଯାଇ ନ ପାରେ।

କାର୍ଯ୍ୟରତ ଜଣେ ପ୍ରଶାସନିକ ଅଧିକାରୀ ଯଦି ନିଜ କାର୍ଯ୍ୟାଳୟରେ ଗୁଣ୍ଡା ମାନଙ୍କର ଶୀକାରର ସମ୍ମୁଖୀନ ହେବେ। ତାହାହେଲେ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ଗତି କୁଆଡ଼େ ଗଲାଣି ?

ତାହାହେଲେ ଅନ୍ୟାନ୍ୟ କର୍ମଚାରୀ ମାନେ କିଭଳି ନିଜକୁ ସୁରକ୍ଷିତ ମଣିବେ।ଯଦି ରାଜ୍ୟରେ ଚାପ, ଭୟର ବଶବର୍ତ୍ତୀ ହୋଇ କର୍ମଚାରୀ ମାନେ କାର୍ଯ୍ୟ କରିବାକୁ ହୁଏ ତାହାହେଲେ ଏହାର କୁପ୍ରଭାବ ଶାସନତନ୍ତ୍ର ଉପରେ ଦେଖିବାକୁ ହେବ।

ରାଜ୍ୟର ବିକାଶର ଧାରା ମନ୍ଥର ହୋଇପଡ଼ିବା କଥାକୁ ଅସ୍ବୀକାର କରାଯାଇ ନପାରେ।

ଗୋଟାଏ ପଟେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ଉଣା ଅଧିକେ ରାଜ୍ୟର ପ୍ରାୟତଃ ସମସ୍ତ ବିଭାଗରେ ଦେଖିବାକୁ ମିଳେ।ପୁଣି ଏଭଳିଆ ଅପ୍ରତିକର ପରିସ୍ଥିତି ନିଶ୍ଚିତ ଭାବେ କର୍ମଚାରୀଙ୍କ କାର୍ଯ୍ୟ ସମ୍ପାଦନ ଉପରେ ପ୍ରଭାବ ପକାଇବ।

ସରକାରଙ୍କ ମୁଖ୍ୟ ଅଙ୍ଗ ହେଉଛନ୍ତି କର୍ମଚାରୀ। ଯେକି ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଉତ୍ତମ ଭାବେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

ସେଥିପାଇଁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମର ସମ୍ବିଧାନ ପ୍ରଣୟନ ବେଳେ କାର୍ଯ୍ୟପାଳିକାକୁ ଗୋଟାଏ ସ୍ତମ୍ଭ ଭାବରେ ଦର୍ଜା ଦିଆଯାଇଛି।

କିନ୍ତୁ ଏବେ ଏକ ବିଚିତ୍ର ମାନସିକତା ମାନ ଦେଖିବାକୁ ହେଉଛି ଗଣତନ୍ତ୍ର ଶାସନର ମୁଖିଆମାନେ ନିଜକୁ ସର୍ବେସର୍ବା ବୋଲି ଭାବୁଛନ୍ତି।ଯେଉଁଥି ସକାଶେ ଅନେକ ଅପ୍ରୀତିକର ଘଟଣା ସବୁ ଦେଖିବାକୁ ମିଳୁଛି।ଗଣତନ୍ତ୍ର ଶାସନର ମୁଖ୍ୟପିଣ୍ଡ ହେଉଛି ସମ୍ବିଧାନ।ତାକୁ ଅନୁପାଳନ ସମସ୍ତେ କରିବା ଉଚିତ୍।

ଶାସକଙ୍କ କାମ ହେଲା ସମସ୍ତଙ୍କ ସହିତ ସମନ୍ୱୟ ରଖି ଶାସନକଳକୁ କ୍ରିୟାଶୀଳ କରିବା।

ସେ ଯାହାବି ହେଉ ଗତକାଲିର ଘଟଣାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗମ୍ଭୀରତା ସହିତ ନେଇଥିବା ମନେହୁଏ। ଦୋଷୀଙ୍କ ବିରୁଦ୍ଧରେ ଖବର ଜାଣିବା ପରେ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିଣାମ ସ୍ୱରୂପ କିଛଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଏ। ଆଉ ଗୋଟିଏ କଥା ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ରାଜ୍ୟରେ ଆଶଙ୍କା ଦେଖାଦେଇଥିବା ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ମାନଙ୍କ ଆନ୍ଦୋଳନକୁ ରୋକାଯାଇ ପାରିବ ବୋଲି ଆଶା ରହିଥିଲା। କିନ୍ତୁ ତାହା ସେହିଭଳିଆ ରହିଲା ନାହିଁ। ସାରା ରାଜ୍ୟରେ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀ ମାନେ ଛୁଟିରେ ରହି ଘଟଣାର ପ୍ରତିବାଦ କରିଥିବା ଦେଖିବାକୁ ମିଳୁଛି।

ଯାହାକି ଅତ୍ୟନ୍ତ ଚିନ୍ତା ଜନକ ଅଟେ। ଏହାର ତୁରନ୍ତ ସମାଧାନ ହେବା ଉଚିତ୍। ବୁଧୁବାର ପର୍ଯ୍ୟନ୍ତ ଛୁଟିରେ ରହିଛନ୍ତି। ରାଜ୍ୟରେ ଗୋଟାଏ ପ୍ରଶାସନିକ ଅଚଳାବସ୍ଥା ଆସିଛି କହିଲେ ଭୁଲ୍ ହେବ ନାହିଁ। ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ଙ୍କ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପତ୍ର ମାଧ୍ୟମରେ ତାଙ୍କର ଆବଶ୍ୟକ ସୁରକ୍ଷା ପାଇଁ ବ୍ୟବସ୍ଥା ସହ ମୁଖ୍ୟ ସୂତ୍ରଧରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ସରକାର  ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ପୂର୍ଣ୍ଣଛେଦ ପକାଇବା ଉଚିତ୍ ହେବ। ଯାହା ଖବର ସରବରାହ ରୁ ଜଣାଯାଏ ମାନ୍ୟବର ରାଜସ୍ଵ ମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କୁ ଅପିଲ୍ କରିଛନ୍ତି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦାନ ନିମନ୍ତେ। ସେ ସ୍ପଷ୍ଟ ଭାବରେ କହିଛନ୍ତି ରାଜ୍ୟ ସରକାର ଏହାକୁ ଗମ୍ଭୀରତା ସହିତ ନେଉଛନ୍ତି।ନିଶ୍ଚିତ ଭାବରେ ଦୋଷୀଙ୍କୁ ଛଡ଼ା ଯିବନାହିଁ। କିନ୍ତୁ ଦେଖିବାର ବାକି ରହିଲା ସଂଘ ଏହାକୁ କିଭଳି ଭାବରେ ଦେଖୁଛି।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଶାସକ ଦଳ ଶାସନ କରୁଛନ୍ତି। ସୋମବାର ଦିନ ଭୁବନେଶ୍ୱର ପୋୖର ନିଗମର ଅତିରିକ୍ତ କମିଶନ ନିଜ କାର୍ଯ୍ୟ ତୁଲାଇବା ସମୟରେ ଯେଉଁଭଳି ଅମାବନୀୟ ଭାବରେ ତାଙ୍କୁ ମାଡ଼ ମରାଗଲା  ତାହା ସମସ୍ତଙ୍କୁ ମର୍ମାହତ କରିଛି। ସବୁଠାରୁ ବଡ଼ ଦୁଃଖ ଲାଗୁଛି ସେଥିରେ ସମ୍ପୃକ୍ତ ଥିବା ଲୋକମାନେ ସମସ୍ତେ ଶାସକ ଦଳର ବୋଲି ଅଭିଯୋଗ ଆସିଛି।ସେ ଯାହାବି ହେଉ ବର୍ତ୍ତମାନର ସୂଚନା ମୁତାବକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ଏନେଇ ଅଭିଯୋଗ ଆସିଥିବା ଦଳୀୟ କର୍ମୀଙ୍କୁ ଦଳରୁ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି।

ହେଲେ ବର୍ତ୍ତମାନ ଶାସନ କଳର ମୁଖିଆଙ୍କୁ ଭାବିବାକୁ ହେବ ଏହିଭଳିଆ ଘଟଣା ଯେମିତି ଆଗକୁ ଆଉ ଦେଖିବାକୁ ନ ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବିଚାର କରିବା।

ସେଥିପାଇଁ ତୁରନ୍ତ ପଦକ୍ଷେପ ସ୍ୱରୂପ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ମାର୍ଗ ଦର୍ଶିକା ଜାରିକରିବା ଉଚିତ୍ ହେବ। 

ଏହା ସହ କାର୍ଯ୍ୟପାଳିକା ଉପରେ ଦଳୀୟ ହସ୍ତକ୍ଷେପ ଯେମିତି ଦେଖିବାକୁ ନ ମିଳିବ ତାକୁ ସୁନିଶ୍ଚିତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ରହିଲେ ହେଲା।

ଆଉ ଗୋଟିଏ ସବୁଠାରୁ ବଡ଼ କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ସବୁବେଳେ କହି ଆସୁଛନ୍ତି ମୁଁ ଜଣେ ସରଳ ଲୋକତ’।ତେଣୁ ଏହାର ଫାଇଦା ଉଠାଇବାକୁ କେହି କେହି ଚକ୍ରାନ୍ତ କରୁନାହାନ୍ତି ତ? ଏହା ଯଦି ହୋଇଥାଏ ଦୁର୍ଭାଗ୍ୟ ଜନକ କହିବା।

ଯଦି ଭୁବନେଶ୍ୱରରେ ଏମିତିକା ଘଟଣା ଘଟିଗଲା ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡ଼ିକର ପରିସ୍ଥିତି ଉପରେ ମଧ୍ୟ ସରକାର ନଜର ଦେଖିବାକୁ ହେବ। ନଚେତ୍ ସରକାରଙ୍କ ଭାବମୂର୍ତ୍ତି ମଳିନ ହେବାରେ ବେଶି ଡେରି ହେବ ନାହିଁ।

ତେଣୁ ଶାସକ ଶାସନ କଲାବେଳେ କଠୋର ହେବାକୁ ହେବ। ଜନସାଧାରଣ ଯେମିତି କ୍ଷତି ଗ୍ରସ୍ତ ନ ହେବେ ସେ ଦିଗରେ ଯତ୍ନବାନ ହେବାକୁ ହେବ। କାରଣ ବଡ଼ ଅଭିଯୋଗ ମାନ ରହୁନାହିଁ ସିନା ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ପ୍ରଶାସନ ଉପରେ ନିର୍ବାଚିତ ପ୍ରତିନିଧିଙ୍କ ବ୍ୟତିରେକ ଅନ୍ୟାନ୍ୟ ଦଳୀୟ କର୍ମୀଙ୍କ ହସ୍ତକ୍ଷେପର କଥାମାନ ବିଭିନ୍ନ ଖଟି ଗୁଡିକରେ ଆଲୋଚନା ଦେଖିବାକୁ ମିଳୁଛି।

ନିଶ୍ଚିତ ଭାବେ ଆଶା ରହିବ ସରକାର ଏହା ଉପରେ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟ ସରକାର ଆଉ ଗୋଟିଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ କାରଣ ଯେଉଁଭଳି ଭାବେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଆନ୍ଦୋଳନ ଚାଲିଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର କହିବା ନାହିଁ। ତେଣୁ ଉଭୟପକ୍ଷ ରାଜ୍ୟର ହିତ ଦୃଷ୍ଟିରୁ ଆଗେଇ ଆସି ଜନସାଧାରଣଙ୍କ  ଯେମିତି ଅସୁବିଧା ହେବନି ସେଥିପାଇଁ  ନିଷ୍ପତ୍ତି ନିଆଯାଇପାରିଲେ ରାଜ୍ୟର ମଙ୍ଗଳ ହେବ।   

                           

                             ସୋନପୁର, ଶାନ୍ତି ନଗର

                         ଦୁରଭାଷ.୮୧୪୪୮ ୭୦୭୨୯

Leave a Reply

Your email address will not be published. Required fields are marked *