ସେମିକଣ୍ଡକ୍ଟର୍ ଓ ଡିସ୍‌ପ୍ଲେ ଫ୍ୟାବ୍ ୟୁନିଟ୍ ସ୍ଥାପନ ପାଇଁ ଗୁଜରାଟ ସରକାରଙ୍କ ସହ ବେଦାନ୍ତର ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ସେମିକଣ୍ଡକ୍ଟର୍ ଓ ଡିସ୍‌ପ୍ଲେ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନ ଅନୁସାରେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ ଏକ ସେମିକଣ୍ଡକ୍ଟର୍ ଫ୍ୟାବ୍ ୟୁନିଟ୍‌, ଏକ ଡିସ୍‌ପ୍ଲେ ଫ୍ୟାବ୍ ୟୁନିଟ୍‌, ଏକ ସେମିକଣ୍ଡକ୍ଟର୍ ଆସେମ୍ବଲିିଂ ଓ ଟେଷ୍ଟିଂ ୟୁନିଟ୍ ସ୍ଥାପନ କରିବା ଲାଗି ବେଦାନ୍ତ ପକ୍ଷରୁ ଗୁଜରାଟ ସରକାରଙ୍କ ସହ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ସମାରୋହରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ପ୍ରମୁଖ ସଚିବ ସଞ୍ଜୟ ପ୍ରସାଦ, ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ୍ ଅଗ୍ରୱାଲ, ବେଦାନ୍ତର ଗ୍ଲୋବାଲ୍ ମ୍ୟାନେଜିଂ ଡାଇରେକ୍ଟର୍ (ଡିସପ୍ଲେ ଆଣ୍ଡ ସେମିକଣ୍ଡକ୍ଟର୍‌) ଆକର୍ଷ ହେବାର୍ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।


ଏହି ପ୍ରକଳ୍ପ ଗୁଜରାଟକୁ ବିଶ୍ୱ ସିଲିକନ୍ ମାନଚିତ୍ରରେ ସ୍ଥାନିତ କରିବ । ଏହି ପ୍ରକଳ୍ପରେ ମୋଟ ୧,୫୪,୦୦୦ କୋଟି ଟଙ୍କା ନିବେଶ ହେବ ଓ ଏହା ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ । ସେମିକଣ୍ଡକ୍ଟର୍ ମାନୁଫାକ୍‌ଚରିଂ ଫ୍ୟାବ୍ ୟୁନିଟ୍ ୨୮ ଏନ୍‌ଏମ୍ ଟେକ୍ନୋଲୋଜି ନୋଡ୍‌ରେ ପରିଚାଳିତ ହେବ । ଡିସ୍‌ପ୍ଲେ ମାନୁଫାକଚରିଂ ୟୁନିଟ୍‌ରେ କ୍ଷୁଦ୍ର, ମଧ୍ୟମ ଓ ବଡ଼ ପ୍ରୟୋଗ ପାଇଁ ଜେନେରେସନ୍ ୮ ଡିସ୍‌ପ୍ଲେ ଉତ୍ପାଦନ କରାଯିବ । ଫକ୍ସକନ୍ ସହଯୋଗରେ ସ୍ଥାପନ କରାଯାଇଥିବା ଯୌଥ ଉଦ୍ୟୋଗରେ ବେଦାନ୍ତର ୬୦ ପ୍ରତିଶତ ଓ ଫକ୍ସକନ୍‌ର ୪୦ ପ୍ରତିଶତ ଅଂଶଧନ ରହିବ । ଏହି ଯୌଥ ଉଦ୍ୟୋଗ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେମିକଣ୍ଡକ୍ଟର୍ ଉତ୍ପାଦନ କାରଖାନା ସ୍ଥାପନ କରିବ ।


ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ କହିଛନ୍ତି ଯେ, “ସେମିକଣ୍ଡକ୍ଟର୍ କାରଖାନା ପାଇଁ ବେଦାନ୍ତ-ଫକ୍ସକନ୍ ଯୌଥ ଉଦ୍ୟୋଗ ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜରାଟକୁ ଚୟନ କରିଥିବାରୁ ଆମେ ବହୁତ ଖୁସି । ଆମ ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ବୃହତ ନିବେଶ ଆସିଛି ଏବଂ ଏହା ହେଉଛି ଉତମ ପ୍ରଶାସନ ଓ ଗୁଜରାଟ ଭିତରେ ଉତ୍କୃଷ୍ଟ ଭିତିଭୂମି ସୁବିଧା ସହିତ ନୀତିରେ ସ୍ଥିରତା ଓ ନୀତିରେ ସହାୟତା ପ୍ରତି ଏକ ସ୍ୱୀକୃତି । ଆମେ ଏହି ଯୌଥ ଉଦ୍ୟୋଗକୁ ସବୁ ପ୍ରକାର ସମର୍ଥନ ପ୍ରଦାନ କରିବୁ ଯଦ୍ୱାରା ଏହାର ପରିଚାଳନା ଶୀଘ୍ର ଆରମ୍ଭ ହୋଇପାରିବ । ପ୍ରଯୁକ୍ତିରେ ଆତ୍ମନିର୍ଭର ହେବା ଏବଂ ଅନ୍ୟ ଦେଶରୁ ଆମଦାନି ନିର୍ଭରଶୀଳତା କମ୍ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଆମେ ଆଶା କରୁଛୁ ଯେ ଏହି ହବ୍ ହେଉଛି ଏକ ଉଜ୍ୱଳ ଭବିଷ୍ୟତର ଆରମ୍ଭ ଏବଂ ଅନ୍ୟ ବହୁଦେଶୀୟ କଂପାନିଠାରୁ ନିବେଶ ଆକୃଷ୍ଟ କରିବ ।’’
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, “ସେମିକଣ୍ଡକ୍ଟର୍ ମାନୁଫାକଚରିଂ କ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ଏହି ପ୍ରକଳ୍ପ ସ୍ଥାପନ କରାଯାଉଛି । ଏହି ପଦକ୍ଷେପକୁ ଗ୍ରହଣ କରିବା ଏବଂ ଭାରତକୁ ସେମିକଣ୍ଡକ୍ଟର୍ କାରଖାନା ଆଣିଥିବାରୁ ମୁଁ ବେଦାନ୍ତ ଓ ଫକ୍ସକନ୍‌କୁ ଅଭିନନ୍ଦନ ଜଣାଉଛି । ଏକ ଟ୍ରିଲିଅନ୍ ଜାତୀୟ ଡିଜିଟାଲ୍ ଅର୍ଥନୀତି ଗଠନ କରିବାରେ ଗୁଜରାଟ କାରଖାନା ସହାୟକ ହେବ ।’’
ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, “ଆମର ଡିସପ୍ଲେ ଓ ସେମିକଣ୍ଡକ୍ଟର୍ ଫ୍ୟାବ୍ ସଂସ୍ଥା ପାଇଁ ଗୁଜରାଟକୁ ସ୍ଥାନ ଭାବେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏକ ମାନୁଫାକଚରିଂ ହବ୍ ଭାବେ ଏହି ରାଜ୍ୟ ସାରା ବିଶ୍ୱରେ ପରିଚିତ ଏବଂ ଆମେ ଆଶା କରୁଛୁ ଯେ ଭାରତର ଆଗାମୀ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା ଆଗକୁ ବଢ଼ିବା ସହ ପ୍ରତି ରାଜ୍ୟ ନିଜର ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ ହବ୍ ସ୍ଥାପନ କରି ଉପକୃତ ହେବେ । ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ ଅନୁସାରେ ଆଉ ଏକ ପାଦ ବଢ଼ାଇଥିବାରୁ ଆମେ କୃତଜ୍ଞ ମନେ କରୁଛୁ ।’’


ଫକ୍ସକନ୍ ସେମିକଣ୍ଡକ୍ଟର ଗ୍ରୁପ୍‌ର ଭିପି ବ୍ରାଏନ୍ ହୋ କହିଛନ୍ତି ଯେ, ‘ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜରାଟରେ ସେମିକଣ୍ଡକ୍ଟର୍ କାରଖାନା ସ୍ଥାପନ ହେବାକୁ ଯାଉଥିବାରୁ ମୁଁ ଉଲ୍ଲସିତ । ସେମିକଣ୍ଡକ୍ଟର୍ ବିକାଶକୁ ଆକୃଷ୍ଟ କରିବା ଓ ସରକାରୀ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟ ସରକାରଙ୍କ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ । ଭାରତର ପଶ୍ଚିମାଂଚଳରେ ଅବସ୍ଥିତ ଗୁଜରାଟ ଏହାର ଶିଳ୍ପ ବିକାଶ, ସବୁଜ ଶକ୍ତି ଓ ସ୍ମାର୍ଟ ସିଟି ପାଇଁ ପରିଚିତ । ଭିତିଭୂମିରେ ଉନ୍ନତି ଓ ସରକାରଙ୍କ ପ୍ରତ୍ୟକ୍ଷ ଓ ଦୃଢ଼ ସମର୍ଥନ ଏକ ସେମିକଣ୍ଡକ୍ଟର୍ କାରଖାନା ସ୍ଥାପନ କରିବାର ବିଶ୍ୱାସକୁ ବଢ଼ାଇଛି । ଏହି ମହତ୍ୱକାଂକ୍ଷୀ ସେମିକଣ୍ଡକ୍ଟର୍ ପ୍ରକଳ୍ପ ପାଇଁ ଆବଶ୍ୟକ ଭିତିଭୂମିରେ ଆହୁରି ଉନ୍ନତି ଆଣିବା ପାଇଁ ଆମେ ଆମର ସହଯୋଗୀ ଓ ଗୁଜରାଟର ନେତୃବୃନ୍ଦଙ୍କ ସହ କାର୍ଯ୍ୟ କରିବାକୁ ଚାହିଁରହିଛୁ ।’’

Leave a Reply

Your email address will not be published. Required fields are marked *