ବୃହତ୍ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ
– କଲିକତା ବନ୍ଦର ଚାମ୍ପିଅନ ଓ ମୁମ୍ବାଇ ବନ୍ଦର ରନର୍ଶଅପ୍
ପ୍ରବାହ ନ୍ୟୁଜ୍ : ପାରାଦୀପ ବନ୍ଦର ଏବଂ ବୃହତ୍ ବନ୍ଦର ଖେଳ ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ବନ୍ଦର ନଗରୀ ପାରାଦୀପର ଜୟଦେବ ସଦନଠାରେ ୪ଦିନ ଧରି ଆୟୋଜିତ ୨୫ତମ ଅଖିଳ ଭାରତ ବୃହତ୍ ବନ୍ଦର ସାଂସ୍କୃତିକ ସମାରୋହ ୧୧ ତାରିଖ ରବିବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଚାରି ଦିନ ଧରି ଭାରତର ବିଭିନ୍ନ ବନ୍ଦରରୁ ଆସିଥିବା କଳାକାର ମାନେ ସେମାନଙ୍କର କଳା ନୈପୁଣ୍ୟ ମାଧ୍ୟମରେ କେବଳ ପାରାଦୀପ ବାସୀଙ୍କର ମନୋରଞ୍ଜନ କରିନାହାନ୍ତି ବରଂ ସାରା ଭାରତ ବର୍ଷର କଳାକାର ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସମର୍ଥ ହୋଇଛି ଓ ମାନସ ପଟରେ ଛାଡ଼ି ଯାଇଛି କଳା ଓ ସଂସ୍କୃତିର ଅନେକ ଛବି । ଏହି ମହୋତ୍ସବ ବନ୍ଦର କର୍ମଚାରୀ ମାନଙ୍କ ମଧରେ ଭାଇଚାରା ସୃଷ୍ଟି କରିବା ଓ ନାଟକ ତଥା ସଙ୍ଗୀତ ପ୍ରତି ରୁଚି ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇଛି।ଉଦଯାପନୀ ସନ୍ଧ୍ୟାରେ ପାରାଦୀପ ବନ୍ଦରର କଳାକାର ମାନେ ଶାସ୍ତ୍ରୀୟ ସଙ୍ଗୀତ, ସୁଗମ ସଙ୍ଗୀତ, ବାଦ୍ୟ, ଓଡ଼ିଶୀ ନୃତ୍ୟ ଏବଂ ନାଟକ ପରିବେଷଣ କରିଥିଲେ । ନୃସିଂହ ପ୍ରସାଦ ଶତପଥୀଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ଏକ ବ୍ୟଙ୍ଗତ୍ମକ ଓ ବାସ୍ତବଧର୍ମି ନାଟକ ବିଚାର ମଞ୍ଚସ୍ଥ କରିଥିଲେ ଯାହାକି ଆଦୃତ ହୋଇଥିଲା । ଜେଲ ଯେତେବେଳେ ପାଲଟିଯାଏ ଅପରାଧୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳ ଆଉ ମୁକୁଳା ଦୁନିଆ ପାଲଟିଯାଏ ଅପରାଧର ଏନ୍ତୁଡ଼ିଶାଳ, ସେତେବେଳେ ପ୍ରକୃତରେ ବିଚାର କାହାର ହୋଇ ପାରିବ ? ଜଣେ ଚୋର ଜେଲକୁ ପୁନର୍ବାର ତାର ସାଥୀ ମାନଙ୍କ ନିକଟକୁ ଫେରିଯିବା ପାଇଁ ଚୋରି କରିବା ଉଦ୍ଦେଶ୍ୟରେ ଅବସର ପ୍ରାପ୍ତ ବିଚାରପତିଙ୍କ ଘରେ ପଶେ ଓ ଜେଲ ତା ପାଇଁ ସୁରକ୍ଷିତ ସ୍ଥାନ ବୋଲି କହି କିପରି ଆଜିର ସମାଜରେ ହେଉଥିବା ବିଭିନ୍ନ ଅପରାଧର ବିଚାର ପ୍ରକ୍ରିୟା ସମ୍ପର୍କରେ ବିଚାରପତିଙ୍କ ସମ୍ମୁଖରେ ତାର ମତାମତ ଓ ନିଜର ଜୀବନ କାହାଣୀକୁ ରଖିଛି ଓ ତା ଅପରାଧର ବିଚାର କରିବାରେ କିପରି ବିଚାରପତିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ତାର ଏକ ନିଛକ ଛବି ନାଟକ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିଲା । ଉଦଯାପନୀ ସନ୍ଧ୍ୟାରେ ବନ୍ଦର ମୁଖ୍ୟ ଯନ୍ତ୍ରୀ ହିମାଂଶୁ ରାଉତଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ କି ବିଭିନ୍ନ ବନ୍ଦରରୁ ଆସିଥିବା ଅଧିକାରୀ ଓ କର୍ମଚାରୀ ମାନେ ୪ଦିନ ଧରି ସେମାନଙ୍କର କଳା ଚାତୁରିରେ ଆମ ମାନଙ୍କୁ ମନୋରଞ୍ଜନ ଦେଇଛନ୍ତି ଓ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜିତ କରିବାରେ ଆମକୁ ଉତ୍ସାହିତ କରିଛନ୍ତି, ତେଣୁ ମୁଁ ସମସ୍ତକୁ ଧନ୍ୟବାଦ୍ ଦେଉଛି । ଏହା ଫଳରେ ଆମ ମାନଙ୍କର ସମ୍ପର୍କ ଅଧିକ ଦୃଢୀଭୂତ ହୋଇଛି ଓ ମୁଁ ଆଶା କରୁଛି ଅତିଥି ଦେବୋ ଭବ ଉକ୍ତି ଅନୁସାରେ ପାରାଦୀପରେ ଆପଣ ମାନଙ୍କର ରହଣି ସୁଖଦ ହୋଇଥିବ ଏବଂ ଏକ ସୁଖଦ ଅନୁଭୂତି ନେଇ ଆପଣ ମାନେ ନିଜ ନିଜ ସ୍ଥାନକୁ ସୁରକ୍ଷିତ ଭାବେ ଫେରିଯିବେ ବୋଲି ମୁଁ ଆଶା କରୁଛି । ଗୋପବନ୍ଧୁ କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ହରନାଧ କଲିକତା ବନ୍ଦର ଓ ମୁମ୍ବାଇ ବନ୍ଦରକୁ ଯଥାକ୍ରମେ ଚାମ୍ପିଅନ ଓ ରନର୍ସଅପ୍ ଟ୍ରଫି ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଭାଗରେ ବ୍ୟକ୍ତିଗତ ପ୍ରଥମ, ଦ୍ଵିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିଥିବା କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ବନ୍ଦରର ସେବାରୁ ଆସନ୍ତା ବର୍ଷ ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କୁ ସେ ସମ୍ମାନିତ କରିଥିଲେ ତଥା ଚେନ୍ନାଇ ବନ୍ଦରର ଶ୍ରୀମତୀ ଯଶୋଦାଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା । କୋଚିନ ଓ ଦିନ ଦୟାଲ ବନ୍ଦରକୁ ଦ୍ଵୀ ତୀୟ ରନରଅପ୍ ପୁରସ୍କାର ମିଳିଥିଲା । ଏହି ଅବସରରେ ବନ୍ଦରର ଡିସି ଅଲେଖ ସାହୁ, ଅର୍ଥ ପରାମର୍ଶଦାତା ଅଶୋକ ସାହୁ, ସିଏମଇ ସୁଶିଲ ନାହାକ, ଟ୍ରାଫିକ ପରାମର୍ଶଦାତା ଆଶିଷ ବୋସ, କମାଣ୍ଡଟ ସିଆଇଏସଏଫ୍ ମଞ୍ଚାସିନ ଥିଲେ । ଶେଷରେ ସଂସଦର ସମ୍ପାଦକ ଧୁନ ଚନ୍ଦ୍ର ତରାଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଜୟଦେବ ସଦନରେ ବନ୍ଦରର ଅଧିକାରୀ ଓ କର୍ମଚାରୀ ତଥା ବନ୍ଦରର ଅନ୍ତେବାସୀ ଅନେକ ସଂଖ୍ୟାରେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫୁଟବଲ କୋଚ ରବି ଦାସ ଓ ସଂସଦର କର୍ମକର୍ତ୍ତା ମାନେ ସଫଳତାର ସହିତ ପରିଚାଳନା କରିଥିଲେ।
