ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ଓଡ଼ିଶା ଦିବସ ସମାରୋହ ୨୦୨୧ ପାଳନ : କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ଖୋର୍ଦ୍ଧା : ୦୧/୦୪/୨୦୨୧ : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।


ଜିଲ୍ଲାପାଳ ସନତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍ୟ ଭାବେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ କୁମାର ଦଲେଇ ଯୋଗଦେଇ ଉତ୍କଳ ପ୍ରଦେଶ ଗଠନରେ ଯେଉଁ ବରପୁତ୍ର ମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଅନ୍ୟତମ । ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଆମାନଙ୍କୁ ଏକଜୁଟ କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନକୁ ଓଡ଼ିଶାର ବହୁ ଯୋଗଜନ୍ମା ବରପୁତ୍ର ପରିପୃଷ୍ଠ କରାଇଥିଲେ । ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର, କୁନ୍ତଳା କୁମାରୀ ସାବତ ଫକୀରମୋହନ ସେନାପତି, ଗୋଦାବରୀଶ ମିଶ୍ର ଆଦି ପ୍ରଧାନ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ସେହିପରି ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଉତ୍କଳ ଅର୍ଥାତ୍ ଉତ୍କୃଷ୍ଟ କଳାର ଦେଶ । ସାରା ବିଶ୍ୱରେ ଓଡିଶାକୁ ଛାଡିଦେଲେ, ଅନ୍ୟ କେଉଁଠାରେ ବି ଏପରି ମନ ମୁଗ୍ଧକର ସୌନ୍ଦର୍ଯ୍ୟମୟୀକଳା,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେଖୁବାକୁ ମିଳିବ ନାହିଁ ଯାହା କେବଳ ଓଡିଶାରେ ଅନୁଭୂତ । ତେବେ ଏହାକୁ ମନେରଖୁବା ପାଇଁ ଏପ୍ରିଲ ପହିଲାକୁ ଉତ୍କଳ ଦିବସ ରୂପେ ପାଳନ କରିବା ହେଉଛି ପ୍ରତ୍ୟେକ ଓଡ଼ିଆ ପାଇଁ ଗୌରବର ବିଷୟ । ଅତୀତର ମହାନାୟକ, ସେନାନାୟକ ଏବଂ ଚିନାୟକମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ । ଦୀର୍ଘଦିନ ଧରି ରାଜତନ୍ତ୍ରର ଚକ ତଳେ ଦଳିତ ଏବଂ ନିଷ୍ପେସିତ ହୋଇ ଆସୁଥିବା ପ୍ରଜାମାନେ ସ୍ବାଧୀନତାର ସ୍ୱାଦ ଉପଲବଧି କରିଥିଲେ ୧୯୩୬ ମସିହା ଏପ୍ରିଲ ପହିଲାରେ । ଶାସକ ଓ ଶାସିତ ମଧ୍ୟରେ ଥିବା ଭେଦଭାବର ପ୍ରାଚୀର ଭାଙ୍ଗିଯାଇଥିଲା । ଉତ୍କଳ ଜନନୀର ସନ୍ଧାନ ରୂପେ ସମସ୍ତେ ନିଜକୁ ଗର୍ବିତ ଏବଂ ଗୌରବାନ୍ବିତ ମନେକରିଥିଲେ ବୋଲି ନିଜ ଅଭିଭାଷଣରେ କହିଥିଲେ ।

ଏହା ସହିତ ଜିଲ୍ଲାପାଳ ଶ୍ରୀ ମହାନ୍ତି, ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ, ଓଡ଼ିଶା ଆଜି ବିକାଶ ପଥରେ, କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଆମେ ଅନ୍ୟ ରାଜ୍ୟ ଅପେକ୍ଷା ବର୍ତ୍ତମାନ ବହୁତ ପଛରେ ପଡ଼ିରହିଛୁ । ସବୁ ଥାଇ ମଧ୍ୟ ଆଜି ଆମେ ଗରିବ, ଭୋକିଲା ଓ ପଛୁଆ ଆଜିର ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଆମେ ଶପଥ ନେବା ଉତ୍କଳକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ଗଢ଼ିବା, ନିଜର ଭକ୍ତି ଦେଇ ଉତ୍କଳ ମାତାର ସେବା କରିବା। ମାତୃଭୂମିକୁ ଭଲ ପାଇବା ମାତୃଭାଷାକୁ ଉଚ୍ଚରେ ରଖୁବା । ଓଡ଼ିଶା ପାଇଁ କିଛି ଭାବିବା କିଛି କରିବା ତା’ ହେଲେ ଆଜି ଦିନର ତାତ୍ପର୍ଯ୍ୟ ରହିବ ବୋଲି ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟ ଠାରେ ଆୟୋଜିତ ଓଡିଆ ବକ୍ତତା ପ୍ରତିଯୋଗିତାରେ ଉଚ୍ଚବିଦ୍ୟାଳୟ ସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀ ଶୁଭସ୍ମିତା ସେଣ, ଦ୍ବିତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଆୟୁଷ୍ଠାନ ମହାନ୍ତି, ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଭବାନୀ ପ୍ରସାଦ ସାହୁଙ୍କ ପୁରସ୍କୃତ କରିଥିଲେ । ସେହିପରି ମହାବିଦ୍ୟାଳୟ ସ୍ତରରେ ପ୍ରକାଶ ପରିଡ଼ା, ସ୍ରୋତସ୍ଵିନୀ ହୋତା, ସ୍ୱସ୍ତିକ ପରିଡ଼ା, ଚିନ୍ମୟୀ ବାରିକ ଏବଂ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ପ୍ରାଣନାଥ କଲେଜ ଛାତ୍ରୀ ପ୍ରଜ୍ଞା ପାରମିତା ଲେଙ୍କା, ଅର୍ପିତା ପଣ୍ଡା ଏବଂ ଅମିତ ନାମକ ଏକ ଘରୋଇ କଲେଜର ଛାତ୍ର ଅବିନାଶ ଦେବତାଙ୍କୁ ପୁରସ୍କୃତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ ପ୍ରମୁଖ  ଯୋଗଦେଇ ଯୋଗଦେଇ ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଉତ୍କଳର ବରପୁତ୍ର ମାନଙ୍କ ଜୀବନ ଚରିତ୍ର ଉପରେ ଆଲୋକପାତ କରିଥିଲେ।

ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉତ୍କଳ ଦିବସ ପାଳନ ଅବସରରେ ଭୋର ୪ଟା ୩୦ରେ ଡାକବାଜି ଯନ୍ତ୍ରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରଚାର ହୋଇଥିଲା ।

ସକାଳ ସାଢେ ୭ଟା ସମୟରେ ଜିଲ୍ଲାପାଳଙ୍କ ଦ୍ୱାରା ସହର ମଧ୍ୟରେ ଥିବା ସମସ୍ତ  ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସହ ଗଡଖୋର୍ଦ୍ଧା ସ୍ଥିତ ପଞ୍ଚ ପାଇକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିବା ବେଳେ ଦିନବ୍ୟାପୀ ସହର ପ୍ରମୁଖ ସ୍ଥାନରେ ମାଇକ ଯୋଗେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *