ପାନବରଜ ରାସ୍ତା ନିକଟ ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ୧୫।୧୦(ପ୍ରବାହ ନିଉଜ୍) ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ପାନବରଜ ଗ୍ରାମର ଆର୍ଯ୍ୟଭଟ୍ଟ ସ୍କୁଲ ନିକଟ ବାଲିବେରଣୀ ରାସ୍ତା କଡ ଗହୀରରୁ ଶୁକ୍ରବାର ପୁଲିସ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯାଇ ଏଠାରେ ଆଣି ଫୋପାଡ଼ିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।

ଯୁବକ ଜଣକ ଏକ ମାଟିଆ କଲର ଗଞ୍ଜି ଏବଂ କଳା ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଯୁବକଙ୍କ ଡାହଣ ହାତର ଭିତରପଟେ ଏକ ଫଣାଧାରୀ ସାପର ଚିତା କୁଟା ଯାଇଥିବା ସହିତ ହାତର ଉପରି ଭାଗରେ ଉଡ଼ନ୍ତା ହନୁମାନଙ୍କ ଚିତ୍ର ଓ ସୋନୁ ବୋଲି ଚିତା କୁଟାଯାଇଛି। ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ପୂର୍ବ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦଶହରା ଦିନ ପ୍ରାୟ ୯ଟା ସମୟରେ ହଠାତ ରାସ୍ତାକଡ ବିଲହୁଡା ମଝିରେ ପାଣି ଜମିଥିବା ଏକ ଖାଲୁଆ ଜାଗାରେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଏସ୍.ଡି.ପି.ଓ ସୁଶିଲ ମିଶ୍ରଙ୍କ ସହିତ ଆଦର୍ଶଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି କୁ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ଲାଗି ମୃତ ଦେହକୁ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ସଂରକ୍ଷିତ ଗୃହରେ ରଖାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ କହିଛି । ତେବେ ପରିଚୟ ମିଳିବା ପରେ ପୁଲିସ ତଦନ୍ତ ଆଗକୁ ଯିବ ।

ଏ ନେଇ ଖୋର୍ଦ୍ଧା ପୋଲିସ ପକ୍ଷରୁ ଏହି ଅଚିହ୍ନା ଶବକୁ ଚିହ୍ନଟ କରିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ଜନ ସାଧରଣଙ୍କୁ ସହଯୋଗ ମଗାଯାଇଛି, ଯଦି କେହି ମୃତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ପ୍ରକାର ସୂଚନା ପାଆନ୍ତି, ତୁରନ୍ତ ଖୋର୍ଦ୍ଧା ଆଦର୍ଶଥାନା ସହ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି।