ରାତାରାତି ବଡ଼ଲୋକ ହେବାର ନିଶାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦାଦାଗିରି : କେଉଁ କାରଣରୁ ପ୍ରଶାସନ ନିରବ ତାହା ଏବେ ପ୍ରଶ୍ନବାଚୀ

ଖୋର୍ଦ୍ଧା : ୧୬/୦୪/୨୦୨୧: କିଛିଦିନ ର ବ୍ୟବଧାନ ପରେ ପୁଣି ଥରେ ଏବେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ । ଚୋରି ତ ଚୋରି ତା ସଙ୍ଗେ ପୁଣି ସିନାଜୋରି । ଆହତଙ୍କ କଥା ପଚାରେ କିଏ, ଏମାନେ ମୃତ ଦେହକୁ ମଧ୍ୟ ଛାଡୁ ନାହାନ୍ତି । ଶାଗୁଣା ପକ୍ଷୀ ଭଳି ସମସ୍ତଙ୍କୁ ଝୁଣି ଖାଇବା ପାଇଁ ସଦାବେଳେ ଉଣ୍ଡି ବସିଥାନ୍ତି । ସୁଯୋଗ ମିଳିଲେ କିଛି ଟଙ୍କା ପାଇଁ ନିଜ ମାନବିକତା କୁ ମଧ୍ୟ ଭୁଲି ଯାଇଥାନ୍ତି । ଏମିତି କିଛି ଘଟଣା ଆଜି ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ଭୋର ସମୟରେ ଟାଙ୍ଗି ବାଇପାସରେ ଟ୍ରକ ଓ ପ୍ରବାସୀ ଓଡ଼ିଆଙ୍କୁ ନେଇ କେନ୍ଦ୍ରାପଡ଼ା ଫେରୁଥିବା ଏକ ଘରୋଇ ବସ ଧକ୍କାରେ ମୃତ୍ୟୁବରଣ କରିଥିବା ଟ୍ରକ ଚାଳକଙ୍କ ମୃତ ଶରୀରକୁ ଟାଙ୍ଗିର ସରୋଜ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ନେଇ ଝାଡଖଣ୍ଡର ଧାନବାଦ ଅଭିମୁଖେ ବାହାରିଥିଲେ। ଏହି ସମୟରେ ମେଡିକାଲରେ ଥିବା ଦୁଇଜଣ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପହଞ୍ଚି, ଆଣିଥିବା ଶବକୁ ତମେ ଏଠାରୁ ନେଇ ପାରିବ ନାହିଁ, ଶବକୁ ଆମେ ଏଠାରୁ ନେବୁ କହି ତାଙ୍କୁ ବାଧା ଦେଇଥିଲେ। ଏଠାରେ ଶବ ଛାଡ଼ି ଚାଲିଯିବାକୁ କହିବା ସମେତ ଡ଼ାକ୍ତରଖାନାରୁ ଶବ ଉଠାଇଲେ ଭଡ଼ା ଅର୍ଥର ୫୦ ପ୍ରତିଶତ ଦାବି କରିଥିଲେ। ଏହି ସର୍ତ୍ତରେ ସରୋଜ ଅମଙ୍ଗ ହେବାରୁ ଅଭିଯୁକ୍ତ ଏମ. ବବୁଲ ଓ ଅଲିମ ଖାନ ଦୁଇଜଣ ସରୋଜଙ୍କୁ ଆକ୍ରମଣ କରିଥିଲେ।

ସରୋଜ ଏ ସମ୍ପର୍କରେ ପୋଲିସକୁ ଜଣାଇବାରେ ତାଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ୧୪୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଲିମ ଓ ବବୁଲଙ୍କୁ ଗିରଫ କରିବା ସହ ଦୁଇଟି ଯାକ ଆମ୍ବୁଲାନ୍ସ OR02 AY 4286 ଓ OD33 F 7065 କୁ ଜବତ କରିଛି।
ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ସୂଚନା ଅନୁଯାୟୀ, ସରୋଜଙ୍କୁ ଗିରଫ ଅଭିଯୁକ୍ତ ଦ୍ବୟ ଆକ୍ରମଣ କରିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ସରୋଜଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏପଟେ ଜବତ ଆମ୍ବୁଲାନ୍ସ ଗୁଡ଼ିକ ସମ୍ପର୍କରେ ଅଧିକ ଯାଞ୍ଚ କରିବାରେ ଜଣାପଡିଛି ଯେ,ଜବତ ହୋଇଥିବା ଗାଡ଼ିର କାଗଜପତ୍ର ବୈଧ ନ ଥିବା ବେଳେ ଆମ୍ବୁଲାନ୍ସ ରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ଉପରେ କୌଣସି ଧ୍ୟାନ ଦିଆଯାଉନାହିଁ ବୋଲି ନଜରକୁ ଆସିଛି ।

ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ରୋଗୀ ପରିବହନ ନିମନ୍ତେ ସରକାରୀ ଅଥବା ବେସରକାରୀ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଛି, ହେଲେ ଏଠି ସମ୍ପୂର୍ଣ୍ଣ ଓଲଟା, କେବଳ ସରକାରୀ ଆମ୍ବୁଲାନ୍ସକୁ ଛାଡିଦେଲେ କୌଣସି ବେସରକାରୀ ଆମ୍ବୁଲାନ୍ସ ମାନଙ୍କରେ କୌଣସି ସ୍ୱୀକୃତି ପ୍ରାପ୍ତ ସଂସ୍ଥାରୁ ତାଲିମପ୍ରାପ୍ତ ଡ୍ରାଇଭର ନା ଅଛନ୍ତି ଅଭିଜ୍ଞ ଆଟେନାଣ୍ଟ, ସେଥିରେ ଥିବା ଅକ୍ସିଜେନ ସିଲିଣ୍ଡର ମଧ୍ୟ ପ୍ରାୟତଃ ଅକାମୀ ରହୁଥିବା ସହିତ ଗାଡ଼ିର ବୀମା ଓ ଫିଟନେସ କୁ ନେଇ ଘରୋଇ ଆମ୍ବୁଲାନ୍ସ ମାଲିକ ଆଦୌ ସଚେତନ ନଥିବା ବେଳେ କିନ୍ତୁ ଅଳ୍ପ ସମୟରେ ଏକାଧିକ ଆମ୍ବୁଲାନ୍ସ ର ମାଲିକ ହୋଇ ରାତାରାତି ମାଲାମାଲ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ବେସରକାରୀ ଆମ୍ବୁଲାନ୍ସ ଗୁଡିକର କାଗଜପତ୍ର ବୈଧ ନଥିବା ସମ୍ପର୍କରେ ଗତ ଫେବୃୟାରୀ ୫ ତାରିଖରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଅଦ୍ୟାବିଧି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ପ୍ରକାଶ ଥାଉକି, ଚିକିତ୍ସାଳୟ ପରିସର ମଧ୍ୟରେ ଘରୋଇ ଆମ୍ବୁଲାନ୍ସ କିମ୍ବା ବ୍ୟବସାୟିକ କ୍ଷେତ୍ରର ରେ ନିୟୋଜିତ ଯାନବାହାନ ରହିବା ଉପରେ କଟକଣା ରହିଛି, ହେଲେ ପ୍ରତ୍ୟେକ ଦିନ ଚିକିତ୍ସାଳୟ ପରିସର ମଧ୍ୟରେ ମାଳମାଳ ଘରୋଇ ଆମ୍ବୁଲାନ୍ସ ଏବଂ ପାଖା ଚାଳିଶରୁ ଉର୍ଦ୍ଧ୍ଵ ପାସେଞ୍ଜର ଅଟୋ ମାନ ଠିଆ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଏପଟେ ଯଦି କୌଣସି ବ୍ୟକ୍ତି ନିଜ ପରିଜନଙ୍କୁ ନିଜସ୍ୱ ଗାଡ଼ିରେ ନେଇ ଆସୁଥିବା ଗାଡ଼ି ଚାଳକଙ୍କୁ ହସ୍ପିଟାଲରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ଜରିଆରେ ଗାଡି ପାର୍କିଂକୁ ନେଇ ହଇରାଣ ହରକତ କରୁଥିବା ସହିତ ସାମାନ୍ୟ କଥାକୁ ନେଇ ମାରଣାସ୍ତ୍ର ଧରି ଭୟଭୀତ କରିବା ଘଟଣା ଅତୀତରେ ନଜରକୁ ଆସିଅଛି । ଏ ସମ୍ପର୍କରେ ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଅନେକ ବାର ଅଭିଯୋଗ ପରେ ମଧ୍ୟ ଗ୍ରାମାଞ୍ଚଳରୁ ରୋଗୀ ନେଇ ଆସୁଥିବା ଗାଡ଼ି ଚାଳକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରିବା ସତ୍ତ୍ୱେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ବେଆଇନ ଭାବେ ପାର୍କିଂ କରି ରଖୁଥିବା ବେସରକାରୀ ଆମ୍ବୁଲାନ୍ସ ଗୁଡିକୁ ହଟାଇବା କ୍ଷେତ୍ରରେ ଆନ୍ତରିକତା ପ୍ରକାଶ କରୁନଥିବା କୁହାଯାଉଛି ।

ମାତ୍ର ସବୁଠୁ ବଡ଼ ପରିତାପର ବିଷୟ ହେଉଛି ପୁଲିସ ଓ ପରିବହନ ବିଭାଗ ନୂତନ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ଅମାନିଆ ବାଇକ ଚାଳକଙ୍କୁ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରି ଫୁଟାଣି ମାରୁଥିବା ବେଳେ ବିନା ବୈଧ କାଗଜପତ୍ରରେ ରୋଗୀ ପରିବହନ କରୁଥିବା ଆମ୍ବୁଲାନ୍ସ ଗୁଡିକ ପାଇଁ ଆଞ୍ଚଳିକ ପରିବହନ ବିଭାଗ ନିରବ ସାଜିଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ଆଞ୍ଚଳିକ ପରିବହନ ବିଭାଗ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେଉଁ ଆଧାରରେ ଏହି ସବୁ ଆମ୍ବୁଲାନ୍ସ ଗୁଡିକୁ ରୋଗୀ ପରିବହନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଙ୍କ ମନରେ ଭୟ ସଞ୍ଚାର ହୋଇଛି, ଯଦି ରୋଗୀ ପରିବହନ ସମୟରେ କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଉତ୍ତରଦାୟୀ କିଏ ରହିବ ତାହା ଏବେ ବଡ଼ପ୍ରଶ୍ନ ହୋଇଛି ।

ବାରମ୍ବାର ବେସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ ଓ ଦିନକୁ ଦିନ ଆମ୍ବୁଲାନ୍ସ ସହିତ ଅଟୋ ସଂଖ୍ୟା ଡାକ୍ତରଖାନା ପରିସରରେ ଅହେତୁକ ବୃଦ୍ଧି ପାଉଥିବା ସତ୍ତ୍ୱେ କେଉଁ କାରଣରୁ ଡାକ୍ତରଖାନା କତ୍ତୃପକ୍ଷ ଏ ସବୁ ବାବଦରେ କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଆନ୍ତରିକତା ପ୍ରକାଶ ନକରି ନିରବ ରହିବା ସେମାନଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି ।