ଘର ଭିତରେ ଦୁଇ ମହିଳାଙ୍କ ଗଳା କାଟି ହତ୍ୟା: କାରଣ ଅସ୍ପଷ୍ଟ
ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡ଼ା ଗ୍ରାମରେ ଦୁଇ ଜଣ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି।
ଆଜି ସକାଳୁ ନୂଆପଡ଼ା ଗ୍ରାମର ସୁଧାଂଶୁ ମେହେର ମେଡିକାଲ କାମରେ ତୁଷୁରା ଯାଇଥିଲେ। ସେ ତୁଷୁରାରୁ ଫେରି ଦେଖିଲା ବେଳକୁ ତାଙ୍କ ମା ପ୍ରେମଶୀଳା ମେହେର(୬୨) ଓ ସ୍ତ୍ରୀ ଅମ୍ବିକା ମେହେରଙ୍କ ଗଳାକଟା ହୋଇ ତଳେ ପଡ଼ିଥିଲେ।
ଏ ନେଇ ଶ୍ରୀ ମେହେର ତୁଷୁରା ପୁଲିସକୁ ଖବର ଦେଇଥିଲେ। ତୁଷୁରା ଥାନା ଆଇଆଇସି ସଂଜୀବ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳକୁ ପ୍ରାଥମିକ ତଦନ୍ତ କରୁଥିବା ଜଣାଯାଇଥିବାବେଳେ ହତ୍ୟାର କାରଣ ଜଣାପଡ଼ି ନାହିଁ।