ଗୋରୁ ବୋଝେଇ ଟ୍ରକ ଜବତ,୫୬ ଗୋମାତା ଉଦ୍ଧାର

ବାଲୁଗାଁ:-ଗୁରୁବାର ବିଳମ୍ବିତ ରାତିରେ ନାଚୁଣି ଥାନା ଅନ୍ତର୍ଗତ ଦୀକ୍ଷିତପଡା ଅଞ୍ଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ୫୬ଟି ଗାଈ,ଗୋରୁ,ବାଛୁରୀ ଚାଲାଣ ହେଉଥିବା ବେଳେ ନାଚୁଣୀ ପୋଲିସ ଉଦ୍ଧାର କରିଛି।ଖବର ମୁତାବକ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଈ ଗୋରୁ,ବାଛୁରୀ ଆଦି ରାତିରେ ବିଶ୍ରାମ ନେଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଜୋରଜବରଦସ୍ତ ଉଠାଇ ନେଇ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି।ତେବେ ଗତକାଲି ରାତିରେ ଗୋ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ ସଦସ୍ୟ,ବଜରଙ୍ଗ ଦଳ,ଗୋ ସୁରକ୍ଷା ବାହିନୀର କର୍ମକର୍ତ୍ତା ପୋଲିସ ସହାୟତାରେ ଏହି ଗାଈ ଗୋରୁଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ ଶାଳାକୁ ହସ୍ତାନ୍ତର କରିଛନ୍ତି।ଦୀକ୍ଷିତପଡ଼ା ଅଞ୍ଚଳରୁ ଏକ ନମ୍ବର ବିହୀନ ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ଗାଈଗୋରୁଙ୍କୁ ବନ୍ଧା ଯାଇଥିବା ଦେଖି ଗୋ ସୁରକ୍ଷା ସଂଗଠନ କର୍ମକର୍ତ୍ତାମାନେ ଉଦ୍ଧାର କରି ନାଚୁଣି ଥାନାକୁ ହସ୍ତାନ୍ତର କରିଥିଲେ।

ନାଚୁଣୀ ପୋଲିସ ଗାଡିକୁ ଜବତ କରିବା ସହ ଉଦ୍ଧାର ଗାଈ ଗୋରୁଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲର ଗୋ ଶାଳାକୁ ପୋଲିସ ସହାୟତାରେ ପଠାଇ ଦେଇଛି।ସମ୍ପୃକ୍ତ ଟ୍ରକ ଡ୍ରାଇଭର,ହେଲ୍ପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ନିକଟସ୍ଥ କିଛି ଅସାମାଜିକ ବ୍ୟକ୍ତି ନାଚୁଣୀ ଥାନା ପାଖରେ ପହଞ୍ଚି ଗୋ ସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କୁ ଦେଖି ଗାଳି ବେଜିତ ସହିତ ଧମକ ଦେଇଥିଲେ।ଏଥିସହିତ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଆସିଥିବା ଗୋ ସେବକ ମାନେ ଫେରିବା ସମୟରେ ସେମାନଙ୍କ ଗାଡି ଉପରକୁ ଢେଲା ପଥର ମାଡ଼ କରିଥିଲେ।ଏନେଇ ଆଜି ନାଚୁଣି ଥାନାରେ କେଶ ନଂ ୧୫୨/୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।ପ୍ରାୟତଃ ବିଳମ୍ବିତ ରାତ୍ରିରେ ଜାତୀୟ ରାଜପଥ ଦେଇ ବିଭିନ୍ନ ଗାଡିରେ ନିରୀହ ଗାଈ ଗୋରୁଙ୍କୁ ହତ୍ୟା ଉଦେଶ୍ୟରେ ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବା ବେଳେ କେଉଁ ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ନିରବ ରହିଛି ତାହା ସମସ୍ତଙ୍କୁ ଚକିତ କରିଛି।