ପ୍ରିମିୟମ ଦେଇନପାରି କାଶଭି ଖଣିରୁ ପରିବହନ ଠପ୍

ଖଣି ହାତେଇବାକୁ କୁତୁ କୁତୁ, ଦେୟ ଦେବାକୁ କୁନ୍ଥ କୁନ୍ଥ

ଯୋଡା, ୧୮ା୭: ନୂତନ ଖଣି ନିଲାମ ପ୍ରକ୍ରିୟାରେ ରାତାରାତି ଖଣି ମାଲିକ ପାଲଟିବା ଉଦେ୍ଦଶ୍ୟରେ ଅନେକ କମ୍ପାନୀ ଚଢା ଦରରେ ଖଣି ନିଲାମ ଧରି ଏବେ ହରଡଘଣାରେ ପଡିଯାଇଥିବା ଦେଖିବାକୁ ମିଳିଛି । ଯୋଡା ଖଣି କ୍ଷେତ୍ରରେ ମୋଟ ୩୦ଟି ଖଣି ଚାଲୁଥିବା ବେଳେ ସେଥି ମଧ୍ୟରୁ ୧୦ଟି ଖଣି ନୂତନ ନିଲାମ ପ୍ରକ୍ରିୟାରେ ଆବଣ୍ଟନ କରାଯାଇଛି । ଅନ୍ୟ ୨୦ଟି ମଧ୍ୟରୁ ସରକାରଙ୍କ ଅଧିନ ଓଏମ୍ସି ଓ ଟାଟା କମ୍ପାନୀଙ୍କ ଅଧିନରେ ମୋଟ ୧୩ଟି ଖଣି ରହିଛି । ନିଲାମ ପ୍ରକ୍ରିୟାରେ ଆବଣ୍ଟନ କରାଯାଇଥିବା ଅଧିକାଂଶ ନୂତନ ଖଣି ସେମାନଙ୍କର କିସ୍ତି ଦେୟ (ପ୍ରିମିୟମ) ଦେଇନପାରି ଏବେ ବନ୍ଦ ହେବା ଅବସ୍ଥାକୁ ଆସିଯାଇଛି ।

ନୂତନ ଖଣି ନିଲାମ ପରେ ଖଣି ଅଞ୍ଚଳବାସୀ ଖଣି ସମ୍ପର୍କିତ କାର୍ଯ୍ୟରେ ନିଯୁକ୍ତି ପାଇବା ଆଶା ଏବେ ମଉଳିବାକୁ ବସିଛି । ଯୋଡା ଖଣି କ୍ଷେତ୍ରରେ ଥିବା କାଶଭି ଇଣ୍ଟରନ୍ୟାସନାଲ ପ୍ରାଃ ଲିଃ ନାମରେ ଏହିପରି ୨ଟି ଖଣି ଗୋଟିଏ ସିଲଯୋଡା-କାଳିମାଟି ଲୌହ ଓ ମାଙ୍ଗାନିଜ ଖଣି ଏବଂ ଅନ୍ୟଟି ଜରିବାହାଲ ଲୌହ ଖଣି ରହିଛି । ସିଲଯୋଡା-କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିଟି ପୂର୍ବରୁ ରୁଙ୍ଗଟା କମ୍ପାନୀ ଅଧିନରେ ରହିଆସିଥିବା ବେଳେ କାଶଭି ଏହାକୁ ସର୍ବାଧିକ ୧୫୪ ପ୍ରତିଶତ ଦରରେ ନିଲାମ ହାତେଇଥିବା ବେଳେ ଜରିବାହାଲ ଲୌହ ଖଣିଟି ପଟ୍ଟନାୟକ ମିନେରାଲ୍ସ ପ୍ରାଃ ଲିଃ (ପିଏମ୍ପି) ନାମରେ ଥିବା ବେଳେ ୧୫୦ ପ୍ରତିଶତରୁ ଅଧିକ ମୂଲ୍ୟରେ ନିଲାମରେ ହାତେଇଥିଲେ । ତେବେ ସିଲଯୋଡା ଖଣିରେ ପ୍ରିମିୟମ ବାବଦକୁ ବକେୟା ଅର୍ଥ ରହିଥିବା ବେଳେ ଜରିବାହାଲ ଖଣିରେ ମଧ୍ୟ ପ୍ରିମିୟମ ବାବଦକୁ ୩୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ରହିଥିବା ଯୋଗୁଁ ଏହି ଖଣିରୁ ଏକମାସରୁ ଉର୍ଦ୍ଧ୍ୱ ହେବ ପରିବହନକୁ ଖଣି ବିଭାଗ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଖଣି ଉପନିଦେ୍ର୍ଦଶକ ସୂଚନା ଦେଇଛନ୍ତି ।

ପୂର୍ବରୁ ଏହି ଖଣିରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ କ୍ରମେ ଏକ ଉଚ୍ଚ ସ୍ଥରୀୟ ତଦନ୍ତ ହୋଇଯାଇଛି । ଚଢା ଦରରେ ଖଣି ହାତେଇଥିବାରୁ ଏହି କ୍ଷତୀ ଭରଣା କରିବା ପାଇଁ ଖଣିରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେବାରେ ଲାଗିଛି । ଖଣି ହାତେଇଥିବା ଅନେକ କମ୍ପାନୀ ସେତେବେଳ ଖଣି ନେବାକୁ ହକ ହକ ହେଉଥିବା ବେଳେ ଏବେ ପି୍ରମିୟମ ଦେବା ବେଳେ କୁନ୍ଥାଉ ଥିବା ଦେଖିବାକୁ ମିଳୁଛି । ଫଳରେ ନିଲାମ ପ୍ରକ୍ରିୟାରେ ଦିଆଯାଇଥିବା ଖଣି ଏବେ ଯୋଡା ଜନସାଧାରଣଙ୍କ ପାଇଁ ଉପଯୋଗୀ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *