ଟିପିଡବ୍ଲୁଓଡିଏଲର ନବନିର୍ମିତ ନୂତନ ୩୩ କେଭି ତୁରେକେଲା-ଲାଠୋର ଲିଙ୍କ ଲାଇନର ଶୁଭ-ଉଦଘାଟନ

0
Pic 1

ବୁର୍ଲା/ବଲାଙ୍ଗିର, ନଭେମ୍ବର ୦୬, ୨୦୨୫: ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଦ୍ୱାରା ନବନିର୍ମିତ ୩୩ କେ.ଭି. ତୁରେକେଲା-ଲାଠୋର ଲିଙ୍କ୍ ଲାଇନକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ପ୍ରାଇମେରୀ ସବ-ଷ୍ଟେସନ୍ (ପିଏସ୍ଏସ୍)ଠାରେ ଶୁଭ ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା, ପାଟଣାଗଡ଼ ଉପ-ଜିଲ୍ଲାପାଳ ଶ୍ରୀ ସୁନୀଲ ମେହେର ଏବଂ ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ ଯୋଗ ଦେଇଥିବା ବେଳେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ମଧ୍ୟ ଉପସ୍ଥିତି ରହିଥିଲେ । 

ମୋଟ୍ ୫.୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୮ କିଲୋମିଟର ଲମ୍ବା ୩୩ କେ.ଭି. ଲିଙ୍କ୍ ଲାଇନ ତୁରେକେଲା ପିଏସ୍ଏସ୍ କୁ ଲାଠୋର ପିଏସ୍ଏସ୍ ସହିତ ସଂଯୋଗ କରୁଛି, ଯାହା ଏହି ଅଞ୍ଚଳକୁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବ । ଏହି ନୂତନ ଫିଡର ଲାଇନକୁ ସଫଳତାର ସହିତ ଚାର୍ଜ କରାଯାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଦ୍ୱାରା ଲାଠୋର, ମାଲପଡ଼ା, ସହଜପାଣି, ବେନ୍ଦର, ଟଙ୍କପାଣି, କରୁଆଝର ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳର ୧୧,୦୦୦ରୁ ଅଧିକ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇପାରିବ ।

ପୂର୍ବରୁ, ଲାଠୋର ପିଏସ୍ଏସ୍ କେବଳ ପାଟଣାଗଡ଼ରୁ ୬୦ କିଲୋମିଟର ଲମ୍ବା ଫିଡର ଲାଇନ ଉପରେ ନିର୍ଭର କରୁଥିଲା, ଯାହା ପ୍ରାୟତଃ ଲୋ-ଭୋଲଟେଜ୍ ସମସ୍ୟା ଏବଂ ବିଦ୍ୟୁତ୍ ବିଭ୍ରାଟ୍ ସୃଷ୍ଟି କରୁଥିଲା । ଏହି ନୂତନ ଲିଙ୍କ୍ ଲାଇନ କାର୍ଯ୍ୟକ୍ଷମ ହେବା ସହିତ ଏହି ଦୁଇ ପିଏସ୍ଏସକୁ ବିକଳ୍ପ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରିଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ବିଦ୍ୟୁତ ନେଟୱାର୍କକୁ ଆଧୁନିକୀକରଣ କରି ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଗୁଣବତ୍ତା ବିଦ୍ୟୁତ୍ ସେବା ଯୋଗାଇ ଦେବା ଦିଗରେ ଟିପିଡବ୍ଲୁଓଡିଏଲର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *