ବିରୋଧୀ ଏକତା ପାଇଁ ସମ୍ମିଳିତ ଉଦ୍ୟମ: ଶରଦ ପୱାରଙ୍କୁ ଭେଟିଲେ ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ବିରୋଧୀ ଏକତା ପାଇଁ ଆମେ ସଭିଏଁ ସମ୍ମିଳତ ଉଦ୍ୟମ କରୁଛୁ ବୋଲି ଗୁରୁବାର ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ‘ଏନ୍ସିପି’ ମୁଖ୍ୟ ଶରଦ ପୱାର୍ଙ୍କୁ ଭେଟିବା ପରେ ରାହୁଲ୍ ଗାନ୍ଧୀ କହିଛନ୍ତି।
ଖଡ୍ଗେଙ୍କ ବାସଭବନରେ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ରାହୁଲ୍ ଗାନ୍ଧୀ କହିଲେ, ବିରୋଧୀମାନଙ୍କୁ ଏକତ୍ର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିରୋଧୀ ଏକତା ପାଇଁ ଆମେ ସମ୍ମିଳିତ ଚେଷ୍ଟା ଚଳାଇଛୁ।
ସାମ୍ବାଦିକମାନଙ୍କୁ କଂଗ୍ରେସ ମୁଖ୍ୟ ଖଡ୍ଗେ ମଧ୍ୟ କହିଛନ୍ତି, ଦେଶ ଓ ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ସମ୍ବିଧାନକୁ ସୁରକ୍ଷିତ ରଖିବା, ବାକ୍ ଓ ବିବୃତିର ସ୍ବାଧୀନତା ଲାଗି, ଯୁବାଙ୍କ କର୍ମସଂସ୍ଥାନ ଏବଂ ମୁଦ୍ରାସ୍ଫୀତି ଓ ସ୍ବୟଂକ୍ରିୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ଭଳି ସମସ୍ୟାର ନିରାକରଣ ନିମନ୍ତେ ଆମେ ଏକ୍ ହୋଇ ଲଢ଼ିବାକୁ ପ୍ରସ୍ତୁତ ଅଛୁ। ଜଣକ ପରେ ଜଣେ ଆମେ ସମସ୍ତଙ୍କ ସହିତ ଆଲୋଚନା କରିବୁ। ପୱାର୍ ସାହବ୍ ମଧ୍ୟ ସେହି ଏକା କଥା କହୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସିଧା ମୁମ୍ବାଇରୁ ଆସି ଶରଦ ପୱାର ଆମ ସହିତ ଆଲୋଚନା କରିଥିବାରୁ ଆମେ ସଭିଏଁ ଆନନ୍ଦିତ। ବିରୋଧୀ ଏକତା ଲାଗି ରାହୁଲ୍ ଓ ମୁଁ ନୀତୀଶ ଓ ତେଜସ୍ବୀଙ୍କ ସହିତ ମଧ୍ୟ ବୈଠକ କରିଥିଲୁ।
ଗତକାଲିର ବୈଠକ ଶେଷ ହେବା ପରେ ଶରଦ ପୱାର କହିଲେ, ଇଏ ଆରମ୍ଭ ମାତ୍ର। ଅନ୍ୟାନ୍ୟ ପ୍ରମୁଖ ବିରୋଧୀ ଦଳମାନଙ୍କ ସହିତ ଆଲୋଚନା କରାଯିବ। ସେ ମମତା ବାନାର୍ଜୀ ହୁଅନ୍ତୁ, କେଜ୍ରିୱାଲ୍ ଅଥବା ଅନ୍ୟ କେହି ହୁଅନ୍ତୁ। ସମସ୍ତଙ୍କୁ ଏହି ପ୍ରକ୍ରିୟା ମଧ୍ୟକୁ ଅଣାଯିବାକୁ ଉଦ୍ୟମ କରାଯିବ।