ଯୁବକଙ୍କୁ ଗୁଳି କରି ହତ୍ୟା
ବଡବିଲ (୦୮.୦୪.୨୦୨୩): ବଡବିଲ ଥାନା ଅନ୍ତର୍ଗତ ଦଲକି ବସ୍ତିରେ ରହୁଥିବା ଦୁଃଶାସନ ବାରିକଙ୍କୁ ଦାମୁ ହାଟିଂ ପାଖ ଇଲେକ୍ଟ୍ରି ଗ୍ରୀଡ ନିକଟରେ ଗୁଳି କରି ହତ୍ୟା କରାଯାଇଥିବା ଭଳି ଏକ ଅଘଟଣୀୟ ଘଟଣା ଘଟିଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁସାରେ ବଡବିଲ, ଦଲକି ବସ୍ତିରେ ରହୁଥିବା ଦୁଃଶାସନ ବାରିକ (୫୫) ଓ.ଏମ.ଡି.ସି କମ୍ପାନୀରେ ଚାକିରୀ କରୁଥିଲେ ଏବଂ ପ୍ରାୟ ସବୁଦିନ ଅପରାହ୍ନ ୪.୩୦ ରେ ଡୁ୍ୟଟି ଶେଷ କରି ସନ୍ଧ୍ୟା ୫ଟା ସୁଦ୍ଧା ଘରକୁ ଫେରି ଆସୁଥିଲେ ।
କିନ୍ତୁ ଗତ ୭ ତାରିଖ ସେ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଫୋନ୍ କରିଥିଲେ ହେଁ ମୋବାଇଲ ବନ୍ଦ ଥିବାରୁ ଖୋଜାଖୋଜି କରିଥିଲେ କିନ୍ତୁ ଦୁଃଶାସନ ବାରିକଙ୍କୁ ପାଇନଥିଲେ । ଆଜି ଶନିବାର ସକାଳେ ମୃତ ଦୁଃଶାସନ ବାରିକଙ୍କ ପୁଅ ବଡବିଲ ପୋଲିସ ତରଫରୁ ଖବର ପାଇ ମୃତ ଦେହ ମିଳିଥବା ସ୍ଥନକୁ ପହଞ୍ଚି ଶବ ଚିହ୍ନଟ କରିଥିଲେ । ଆଜି ସକାଳେ ଇଲେକ୍ଟ୍ରି ଗ୍ରୀଡ ପାଖରେ ଏକ ମୃତ ଦେହ ପଡିଥିବାର କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ ।
ବଡବିଲ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରିରଖିଥିବାବେଳେ ପାରିପାଶ୍ୱିର୍କ ପରିସ୍ଥିତି ଏବଂ ମୁଣ୍ଡରେ ଥିବା ଗୁଳି ଚିହ୍ନରୁ ଦୁଃଶାସନ ବାରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଅଛି । ମୃତ ଦେହ ପଡିଥିବା ଜାଗାରୁ ପ୍ରାୟ ୨ଶହ ମିଟର ଦୁରରେ ତାଙ୍କ ମୋଟରସାଇକଲ (ଓ ଆର ୦୯ ଇ ୫୩୩୨) ଚାବି ଲାଗି ଛିଡା ହୋଇଥିବା ଦେଖିବାକୁ ମିଳିଛି । ହତ୍ୟା ପଛର କାରଣ ଏଯାଏ ଅସ୍ପଷ୍ଟ ଥିବାବେଳେ, ଜମିଜମା ବିବାଦ ଲାଗିରହିଥିବାରୁ ଏହା ପଛରେ ନିଜ ସମ୍ପର୍କୀୟ ଲୋକହିଁ ଥାଇପାରନ୍ତି ବୋଲି ମୃତକଙ୍କ ପୁତ୍ର ଯଶୋବନ୍ତ ବାରିକ ପ୍ରକାଶ କରିଛନ୍ତି ।