ଗୋଠଛଡ଼ା ହାତୀର ଆତଙ୍କ

କଳାହାଣ୍ଡି : କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରେ ୪ ଦିନ  ହେବ ଏକ ଗୋଠଛଡ଼ା ହାତୀ ଆତଙ୍କ ଖେଳାଇ ଚାଲିଛି| ଫଳରେ ପାହାଡ଼ର ପାଦଦେଶରେ ଥିବା ଗ୍ରାମଗୁଡ଼ିକର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘୋଡ଼ାବନ୍ଧା, ଘର୍ଲା, ଗଞ୍ଜେଇଗୁଡ଼ା ଆଦି ଗ୍ରାମର ଲୋକେ ସଂଧ୍ୟା ହେଲେ ତାଟି କବାଟ ପକାଇ ଅନ୍ୟସ୍ଥାନକୁ ରାତ୍ରିଯାପନ ପାଇଁ ଯାଉଛନ୍ତି। ଦେବଗିରି ପାହାଡ଼, ବାଇଗନଗୁଡ଼ା ଘାଟି, ଭାଲୁ ଘାଟି ଅଞ୍ଚଳରେ ଏହି ଗୋଠଛଡ଼ା ହାତୀ ଘୂରି ବୁଲୁଛି। ରାତିରେ ଜନବସତିମୁହାଁ ହୋଇ ପନିପରିବା ଓ ଧାନ ଫସଲ ନଷ୍ଟ କରିବାରେ ଲାଗିଛି! ବନପାଳ ପ୍ରକାଶ ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ବନ କର୍ମଚାରୀ ଦଳ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ବନପାଳ ଶ୍ରୀ ମିଶ୍ର କହିଛନ୍ତି ଯେ କିଛି ଦିନ ଗୋଟିଏ ହାତୀ ପାହାଡ଼ର ପାଦଦେଶରେ ଘୂରି ବୁଲୁଛି, କିଛି ଧାନ ଓ ପନିପରିବା ଫସଲ ନଷ୍ଟ କରିଛି| ଭୟଭୀତ ଗ୍ରାମବାସୀଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଛି। ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି। ସେହିପରି ବନ ବିଭାଗ ପକ୍ଷରୁ ଗୁରୁବାର କ୍ଷୟକ୍ଷତିର ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *