ପ୍ରାଥମିକ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ

ଭୁବନେଶ୍ୱର, : ରାଜ୍ୟରେ ୧୯୭୯-୮୦ ମସିହାରୁ ଆବଶ୍ୟକ ଥିବା ପ୍ରାଥମିକ ବିଦ୍ୟାଳୟ ନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଅଣ ଆନୁଷ୍ଠାନିକ ଶିକ୍ଷାକେନ୍ଦ୍ର ଖୋଲାଯାଇ ସେହି ଅଣଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରରେ ପରୀକ୍ଷାମୂଳକ ଭାବେ ଶିକ୍ଷା ଜିଲ୍ଲା ଅଧିକାରୀ ଶିକ୍ଷକ ନିଯୁକ୍ତି କରିଥିଲେ । ରାଜ୍ୟ ସରକାର ସେହି ଶିକ୍ଷକମାନଙ୍କୁ ପର୍ଯ୍ୟାୟକ୍ରମେ ସିଟି ତାଲିମ୍ ଦେଇ ତିନିବର୍ଷର ଅଭିଜ୍ଞତାକୁ ଆଧାର କରି ୧୯୯୭-୯୮ ମସିହା ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟରେ ଏଲିମେଣ୍ଟାରୀ ଶିକ୍ଷକ ରୂପେ ନିଯୁକ୍ତି ଦେଇ ଆସୁଥିଲେ । କେନ୍ଦ୍ର ସରକାର ୨୦୦୧ ମସିହା ମାର୍ଚ୍ଚ ୩୧ ତାରିଖ ଅଣ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ବନ୍ଦ କରି ନିଶ୍ଚିତ ଶିକ୍ଷା ଯୋଜନା (ଇଜିଏସ୍) ପ୍ରଚଳନ କଲେ । ସେଥିରେ ସର୍ବପ୍ରଥମେ ଅଣଆନୁଷ୍ଠାନିକ ଶିକ୍ଷକମାନଙ୍କୁ ନିଯୁକ୍ତି କରିଥିଲେ । ୨୦୦୬ ମସିହା ବିଜ୍ଞାପନ ମୂଳେ ତାଲିମପ୍ରାପ୍ତ ଅଣଆନୁଷ୍ଠାନିକ ଶିକ୍ଷକମାନଙ୍କୁ ଶିକ୍ଷା ସହାୟତାରେ ନିଯୁକ୍ତି କରି ସେମାନଙ୍କୁ ୬ ବର୍ଷ ପରେ ନିୟମିତ କରିଛନ୍ତି । କେନ୍ଦ୍ର ସରକାର ନିଶ୍ଚିତ ଶିକ୍ଷା ଯୋଜନା (ଇଜିଏସ୍) ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ସି.ଟି. ତାଲିମର ବ୍ୟବସ୍ଥା କରିଥିଲେ ହେଁ ରାଜ୍ୟ ସରକାର ସଠିକ୍ ସମୟରେ ସିଟି ତାଲିମ୍ ଦେଇ ନପାରି ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କୁ ଗଣଶିକ୍ଷକ ରୂପେ ନିଯୁକ୍ତି ଦେଇ ସିଟି ତାଲିମ୍ ବ୍ୟବସ୍ଥା କରିଛନ୍ତି । ଏବେ ତାଲିମ୍ପ୍ରାପ୍ତ ଗଣଶିକ୍ଷକମାନଙ୍କୁ ୨୦୧୭ ମାର୍ଚ୍ଚରେ ଏକ୍ସ-କ୍ୟାଡର ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ଏହି ଅଣଆନୁଷ୍ଠାନିକ ଶିକ୍ଷକମାନଙ୍କର ଅଭିଜ୍ଞତାକୁ ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୂଳ ଏଲିମେଣ୍ଟାରୀ ଶିକ୍ଷକ ରୂପେ ମାନ୍ୟତା ଦେବା ସହ ଅବସର ନେଉଥିବା ଓ ନେଇଥିବା ସମସ୍ତ ଅଣଆନୁଷ୍ଠାନିକ ଶିକ୍ଷକମାନଙ୍କର ଅଭିଜ୍ଞତାକୁ ଆଧାର କରି ପୁରୁଣା ପେନ୍ସନ୍ ଦେବାକୁ ସଭାପତି ଛବିଲତା ବାରିକ, ସମ୍ପାଦକ ଅନୀୟ କୁମାର ବରାଳ, ମହାସଚିବ ମହାଦେବ ସେଠୀ, ପ୍ରକାଶ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଜ୍ୟୋତିଷ, କଣ୍ଡୁରୀ ଚରଣ ସେଠୀ, ଶୁଭେନ୍ଦୁ ବିଶ୍ୱାଳ, ରମେଶ ଜେନା ପ୍ରମୁଖ ଦାବି କରିଛନ୍ତି । ଏଥିସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।