ପୁରୀ ସମୁଦ୍ର କୂଳରେ କିଛି ସମୟ ବିତାଇଲେ ରାଷ୍ଟ୍ରପତି
- ପର୍ବତ, ଜଙ୍ଗଲ, ନଦୀ ଓ ବେଳାଭୂମି ଆମ ଭିତରେ ଥିବା ଗଭୀରତାକୁ ଆକୃଷ୍ଟ କରିଥାଏ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାର୍ଷିକ ରଥଯାତ୍ରାରେ ଯୋଗଦେବାର ଗୋଟିଏ ଦିନ ପରେ ଆଜି (ଜୁଲାଇ ୮, ୨୦୨୪) ସକାଳେ ପବିତ୍ର ସହର ପୁରୀର ସମୁଦ୍ର ବେଳାଭୂମିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିଛି ସମୟ ବିତାଇଛନ୍ତି । ଏହାପରେ ସେ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାର ଅନୁଭୂତି ବିଷୟରେ ତାଙ୍କର ବିଚାର ଲେଖିଛନ୍ତି ।
ରାଷ୍ଟ୍ରପତି ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି : ‘‘ଏମିତି କିଛି ସ୍ଥାନ ଅଛି ଯାହା ଆମକୁ ଜୀବନର ସାରତତ୍ତ୍ୱ ସହିତ ଘନିଷ୍ଠ ସଂସ୍ପର୍ଶରେ ଆଣିଥାଏ ଏବଂ ଆମକୁ ମନେ ପକାଇଦିଏ ଯେ ଆମେ ପ୍ରକୃତିର ଏକ ଅଂଶ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର ବେଳାଭୂମି ଆମ ଭିତରେ ଲୁଚି ରହିଥିବା ଗଭୀରତାକୁ ଆକର୍ଷିତ କରିଥାଏ । ଆଜି ସମୁଦ୍ର ବେଳାଭୂମିରେ ଚାଲିବା ବେଳେ ମୁଁ ପ୍ରକୃତି ସହିତ କିଛି ସମ୍ପର୍କ ଥିବା ଅନୁଭବ କଲି – କୋମଳ ପବନ, ଲହରୀର ଗର୍ଜନ ଏବଂ ବିପୁଳ ଜଳରାଶିର ବିସ୍ତାର । ଏହା ଏକ ଧ୍ୟାନମୟ ଅନୁଭୂତି ଥିଲା।’’
‘‘ଏହା ମୋତେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ଯାହା ମୁଁ ମଧ୍ୟ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସମୟରେ ଅନୁଭବ କରିଥିଲି । ଆଉ ଏଭଳି ଅନୁଭୂତି ପାଇବାରେ ମୁଁ ଏକାକୀ ନୁହେଁ; ଯେତେବେଳେ ଆମେ ଆମଠାରୁ ବହୁତ ବଡ଼ କୌଣସି ଜିନିଷର ସମ୍ମୁଖୀନ ହୋଇଥାଉ, ଯାହା ଆମକୁ ବଞ୍ଚାଇ ରଖିଥାଏ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ, ସେତେବେଳେ ଆମେ ସମସ୍ତେ ସେହି ଭଳି ଅନୁଭବ କରିପାରିବା।’’
ଦୈନନ୍ଦିନ ଜୀବନର କୋଳାହଳ କାରଣରୁ ଆମେ ପ୍ରକୃତି ମାତାଙ୍କ ସହ ଏହି ସମ୍ପର୍କ ହରାଇଥାଉ। ମାନବ ଜାତି ପ୍ରକୃତି ଉପରେ ନିୟନ୍ତ୍ରଣ ହାସଲ କରିଛି ବୋଲି ବିଶ୍ୱାସ କରେ ଏବଂ ନିଜର ସ୍ୱଳ୍ପକାଳୀନ ଫାଇଦା ପାଇଁ ଏହାକୁ ଉପଯୋଗ କରିଥାଏ। ଏହାର ପରିଣାମ କ’ଣ ହୁଏ ତାହା ଆମ ସମସ୍ତଙ୍କ ଆଖି ଆଗରେ ରହିଛି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଅତ୍ୟଧିକ ଖରାପ ପାଣିପାଗ ଜନିତ ବିପତ୍ତିର ପୁନରାବୃତ୍ତି ଘଟୁଥିବା ଦେଖିବାକୁ ମିଳିଛି। ଆଗାମୀ ଦଶନ୍ଧିରେ ସ୍ଥିତି ଆହୁରି ଖରାପ ହେବ ବୋଲି ଆକଳନ କରାଯାଇଛି।
ପୃଥିବୀ ପୃଷ୍ଠର ୭୦ ପ୍ରତିଶତରୁ ଅଧିକ ସମୁଦ୍ରରେ ଗଠିତ ଏବଂ ବିଶ୍ୱ ଉତ୍ତାପନ ଯୋଗୁଁ ବିଶ୍ୱର ସମୁଦ୍ର ପତ୍ତନ ବୃଦ୍ଧି ପାଉଛି, ଯାହା ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରୁଛି । ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଠାରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସୌଭାଗ୍ୟବଶତଃ, ପ୍ରକୃତି କୋଳରେ ରହୁଥିବା ଲୋକମାନଙ୍କର ପରମ୍ପରା ବଜାୟ ରହିଛି ଯାହା ଆମକୁ ବାଟ ଦେଖାଇଥାଏ। ଉଦାହରଣ ସ୍ୱରୂପ, ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ପବନ ଓ ସମୁଦ୍ର ଲହଡ଼ିର ଭାଷା ଜାଣନ୍ତି । ଆମ ପୂର୍ବପୁରୁଷମାନଙ୍କୁ ଅନୁସରଣ କରି ସେମାନେ ସମୁଦ୍ରକୁ ଭଗବାନ ଭାବରେ ପୂଜା କରନ୍ତି ।
ମୁଁ ବିଶ୍ୱାସ କରେ, ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଆହ୍ୱାନର ମୁକାବିଲା କରିବା ପାଇଁ ଦୁଇଟି ଉପାୟ ଅଛି; ତାହା ହେଲା – ସରକାର ଓ ଅନ୍ତର୍ଜାତୀୟ ସଙ୍ଗଠନ ପକ୍ଷରୁ ବ୍ୟାପକ ପଦକ୍ଷେପ ଏବଂ ନାଗରିକ ଭାବରେ ଆମେ ଗ୍ରହଣ କରୁଥିବା ଛୋଟ ଓ ସ୍ଥାନୀୟ ପଦକ୍ଷେପ । ଅବଶ୍ୟ ଏ ଦୁଇଟି ପରସ୍ପରର ପରିପୂରକ। ଏକ ଉନ୍ନତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯାହା କରିପାରିବା ତାହା କରିବାକୁ ସଂକଳ୍ପ ନେବା । ଆମ ଭବିଷ୍ୟତ ପିଢ଼ି ପାଇଁ ଏହା ଆମର ଉତ୍ତରଦାୟିତ୍ୱ ।