ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ନୂଆ ସଭାପତି

ଭୁବନେଶ୍ବର: ଓଡ଼ିଆ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେବେ ଶିଳ୍ପ ସଂଘ ଫିକିର ନୂଆ ଜାତୀୟ ସଭାପତି। ମୁମ୍ବାଇରେ ଅନୁଷ୍ଠିତ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦରେ କାମ କରିବେ। ଏବେ ଶୁଭ୍ରକାନ୍ତ ଫିକିର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଡିସେମ୍ବର ୧୬-୧୭ରେ ଅନୁଷ୍ଠିତ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ବର୍ତ୍ତମାନର ସଭାପତି ସଞ୍ଜୀବ ମେହେଟାଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ।
ଶ୍ରୀ ପଣ୍ଡା ଫିକି ସହ ଦୀର୍ଘ ୨୦ ବର୍ଷ ଧରି ଜଡ଼ିତ ରହିଛନ୍ତି। ଫିକି ଓଡ଼ିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ଏବଂ ଜାତୀୟ ମାନୁଫାକ୍ଚରିଂ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୧୭-୧୮ରେ ସେ ଆନ୍ତର୍ଜାତିକ ଚାମ୍ବର ଅଫ୍ କମର୍ସର ଭାରତୀୟ ଚାପ୍ଟର ସଭାପତି ଏବଂ ୨୦୧୩-୧୫ ପର୍ଯ୍ୟନ୍ତ ପ୍ୟାରିସ୍ର ଇଣ୍ଟରନ୍ୟାସନାଲ୍ କ୍ରୋମିଅମ୍ ଡେଭେଲପ୍ମେଣ୍ଟ୍ ଆସୋସିଏସନ୍ର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଆମେରିକାର ବୋଷ୍ଟନ ୟୁନିଭର୍ସିଟି କ୍ବେଷ୍ଣର୍ମ ସ୍କୁଲ ଅଫ୍ ବିଜନେସ୍ରୁ ସେ ଫାଇନାନ୍ସ ଆଣ୍ଡ୍ ଅପରେସନ୍ ମ୍ୟାନେଜମେଣ୍ଟ୍ରେ ଶିକ୍ଷା ଗ୍ରହଣ କରିଛନ୍ତି। ଶୁଭ୍ରକାନ୍ତଙ୍କ ଏହି ସଫଳତାକୁ ନେଇ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ବ୍ରହ୍ମାନନ୍ଦ ମିଶ୍ର ଓ ସ୍ବସ୍ତି ଗ୍ରୁପ୍ର ଅଧ୍ୟକ୍ଷ ଜେ କେ ମହାନ୍ତି ଆନନ୍ଦ ପ୍ରକଟ କରିଛନ୍ତି।