ଏସ୍‌ଓଏସ୍ ଭିଲେଜ ପିଲାମାନଙ୍କ ସହ ଜନ୍ମଦିନ ପାଳିଲେ ରାଜ୍ୟପାଳ

ଭୁବନେଶ୍ୱର-(୦୩/୦୫)- ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆଜି ନିଜ ଜନ୍ମଦିନ ସ୍ଥାନୀୟ ଏସ୍‌ଓଏସ୍ ଚିଲଡ୍ରେନ୍‌ସ ଭିଲେଜର ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟପାଳ ଏସ୍‌ଓଏସ୍ ଭିଲେଜରେ ପହଂଚିବା ପରେ ପିଲାମାନଙ୍କ ସହ ମିଶି କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ରାଜ୍ୟପାଳ ପିଲାମାନଙ୍କ ସହିତ କିଛି ସମୟ ବିତାଇବା ମଧ୍ୟରେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । କଥାବାର୍ତ୍ତା ଅବସରରେ ରାଜ୍ୟପାଳ ଏସ୍‌ଓଏସ୍ ଭିଲେଜରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଜଣେ ଜଣେ ସାଧକ ଯେ କି ସର୍ବଦା ସାଧନାରତ ଓ ଏହା ଠାରୁ ବଳି ଅଧିକ ପୂଣ୍ୟ କିଛି ନାହିଁ ବୋଲି କହିଥିଲେ । ଏହି ଭିଲେଜ ସହିତ ସଂପୃକ୍ତ ସମସ୍ତଙ୍କୁ ନିଜର ମହତ୍ କାର୍ଯ୍ୟ ପାଇଁ ରାଜ୍ୟପାଳ ଧନ୍ୟବାଦ ଜଣାଇଥିଲେ । ପିଲାମାନଙ୍କ ପାଇଁ ଏହି ଅନୁଷ୍ଠାନ କରୁଣାର ଏକ ଜୀବନ୍ତ ସ୍ମାରକ ଓ ପ୍ରତୀକ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ ।


ଏହି ଅବସରରେ ରାଜ୍ୟପାଳ ଏସ୍‌ଓଏସ୍ ଚିଲଡ୍ରେନ୍ସ ଭିଲେଜର ପ୍ରତ୍ୟେକ ପିଲାଙ୍କୁ ନୂତନ ପୋଷାକ ନିମନ୍ତେ ଦୁଇ ହଜାର ଟଙ୍କା ଓ ପିଲାମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ୟେକ ""ଯଶୋଦା ମା' ''ଙ୍କୁ ପାଂଚ ହଜାର ଟଙ୍କା ଉପହାର ସଦୃଶ ପ୍ରଦାନ କରିଥିଲେ । ଏହି ସମୟରେ ଏସ୍‌ଓଏସ୍ ଭିଲେଜର ନିର୍ଦ୍ଦେଶକ ଶ୍ରୀ ଅବିନାଶ ହୋତା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଏସ୍‌ଓଏସ୍ ଭିଲେଜ ଯିବା ପୂର୍ବରୁ ରାଜ୍ୟପାଳ ନିଜ ଜନ୍ମଦିନ ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *