ଟମାଟୋ ଆଶ୍ବସ୍ତି: ୧୩୦ ଟଙ୍କାରେ କିଣି ଖାଉଟିଙ୍କୁ ୯୦ ଟଙ୍କାରେ ଟମାଟୋ ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଟମାଟୋ ଦରର ମୁକାବିଲା ଲାଗି ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ପାଟନା ଓ ଦେଶର ଆଉ କେତେକ ସୁନିର୍ବାଚିତ ସହରରେ କେନ୍ଦ୍ର ସରକାର କିଲୋପ୍ରତି ୯୦ ଟଙ୍କା ଦରରେ ଖାଉଟିଙ୍କୁ ଟମାଟୋ ବିକିବେ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ତେଣୁ, ଗତରାତିରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ପ୍ରମୁଖ ଟମାଟୋ ଅମଳକାରୀ ରାଜ୍ୟମାନଙ୍କର ବଜାରରୁ ତଟକା ଟମାଟୋ ଆସି ଜାତୀୟ ରାଜଧାନୀରେ ପହଞ୍ଚିଛି।

ଏ ସଂକ୍ରାନ୍ତରେ ବୁଧବାର ଦିନ ସରକାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଥିଲା, ଏହି ଟମାଟୋ ସବୁକୁ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଶୁକ୍ରବାର ଦିନ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ଖାଉଟିମାନଙ୍କୁ ରିହାତି ଦରରେ ବିକ୍ରୟ କରାଯିବ।

ଏଥିପାଇଁ କେନ୍ଦ୍ର ସରକାର ‘ନ୍ୟାସ୍‌ନାଲ୍‌ ଏଗ୍ରିକଲ୍‌ଚୁରାଲ୍‌ କୋଅପରେଟିଭ୍‌ ମାର୍କେଟିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ (ନାଫେଡ୍‌) ଓ ‘ନ୍ୟାସ୍‌ନାଲ୍‌ କୋଅପରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ଙ୍କୁ (ଏନ୍‌ସିସିଏଫ୍‌) ତୁରନ୍ତ ଟମାଟୋ କିଣି ଖାଉଟିଙ୍କୁ ଯୋଗାଇବାକୁ ନିର୍ଦେଶ ଦେଇଥିଲେ।

ସେହି ଅନୁସାରେ, ଗତ ରାତି ୧୨.୧୫ରୁ ‘ଏନ୍‌ସିସିଏଫ୍‌’ ୩୦ଟି ମୋବାଇଲ୍‌ ଭ୍ୟାନ୍‌ ଯୋଗେ ୧୧ଟି ଜିଲ୍ଲାରେ ଟମାଟୋ ବିକ୍ରୟ ଆରମ୍ଭ କରିଛି। ଆଜି ପ୍ରଥମ ଦିନରେ ପ୍ରାୟ ୧୭୦୦୦ କିଲୋ ଟମୋଟା ବିକ୍ରୟ କରାଯିବ।

ସେହିପରି, ନୋଏଡ଼ାର ରଜନୀଗନ୍ଧା ଛକରେ ଥିବା ‘ଏନ୍‌ସିସିଏଫ୍‌’ ଅଫିସ୍‌ରେ ବିକ୍ରୟ କରାଯିବା ସହିତ ମୋବାଇଲ୍‌ ଭ୍ୟାନ୍‌ ଯୋଗେ ଗ୍ରେଟର୍‌ ନୋଏଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ବିକ୍ରୟ କରାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଚଳିତ ସପ୍ତାହାନ୍ତ ସୁଦ୍ଧା ‘ଏନ୍‌ସିସିଏଫ୍‌’ ଲକ୍ଷ୍ନୌ, କାନପୁର ଏବଂ ଜୟପୁର ଭଳି ସହରରେ ଟମାଟୋ ବିକ୍ରୟ କରିବ।

‘ଏନ୍‌ସିସିଏଫ୍‌’ର ପରିଚାଳନା ନିର୍ଦେଶକ ଆନିସ୍‌ ଜୋସେଫ ଚନ୍ଦ୍ରା କହିଛନ୍ତି, କିଲୋପିଛା ୧୨୦ରୁ ୧୩୦ ମଧ୍ୟରେ କିଣି ଆମେ କିଲୋପିଛା ୯୦ ଟଙ୍କାରେ ଟମାଟୋ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛୁ। ଏଥିରେ ଯାହା କ୍ଷତି ହେବ, କେନ୍ଦ୍ର ସରକାର ତା’ର ଭରଣା କରିବେ।

Leave a Reply

Your email address will not be published. Required fields are marked *