ଧନ୍ୟବାଦ ମୋହନ ସରକାର

ଭୂବନେଶ୍ୱର ୦୪/୦୭ ଓଡ଼ିଶାରେ ଓଡି଼ଆ ଭାଷାରେ ଶାସନ କରାଯିବା ପାଇଁ ଅଠରଶ’ ଶତାବ୍ଦୀରୁ ଉଦ୍ୟମ ଚାଲିଥିଲା I 1903 ମସିହାରେ ଉତ୍କଳ ସମ୍ମିଳନୀ ଏ ଦିଗରେ ପ୍ରଗାଢ଼ ଉଦ୍ୟମ କରିଥିଲେ I 2016 ମସିହାରେ ‘ଭାଷା ଆନ୍ଦୋଳନ,ଓଡ଼ିଶା’ ପକ୍ଷରୁ 878 ଦିନ ଅବିରତ ଭାବେ କଳାପତାକା ଅଭିଯାନ ଆରମ୍ଭ କରାଯାଇଥିଲା I ଫଳରେ ଓଡିଶା ବିଧାନସଭାରେ ଓଡ଼ିଆ ଭାଷାକୁ ‘ସରକାରୀ ଭାଷା’ ଭାବେ 19/09/2018 ତାରିଖରେ ମାନ୍ୟତା ମିଳିଲା I ଭାଷା ଆଇନ-1954କୁ ସଂଶୋଧନ କରାଯାଇ ସରକାରୀ ଭାଷାରେ ସରକାରୀ କାର୍ଯ୍ୟ କରୁନଥିବା କର୍ମଚାରୀ ଓ ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ଖଞ୍ଜାଗଲା I ଏଥି ସହିତ ବ୍ୟାପକ ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା କର୍ମଚାରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ନିୟମାବଳୀରେ ରଖା ଯାଇଥିଲା I ଏହି ସମ୍ବନ୍ଧରେ 17/08/2019 ତାରିଖରେ ରାଜପତ୍ର ପ୍ରକାଶିତ ହୋଇ ସାରିଛି I
ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ସଚିବମାନଙ୍କୁ ବିଭିନ୍ନ ସମୟରେ ସ୍ମାରକପତ୍ର ପ୍ରଦାନ କରି ଲୋକଙ୍କୁ ପ୍ରଣୀତ ଆଇନର ସୁଫଳ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲେବି ସରକାରୀ ଉଦାସୀନତା ଓ ମାନସିକତା ଏଥିରେ ବାଧକ ହୋଇଥିଲା I ସଂଶୋଧିତ ଭାଷା ଆଇନ ଶୀତଳ ଭଣ୍ଡାରକୁ ଚାଲିଗଲା ପରି ମନେହେଲା, ଯେଉଁଥିରୁ ଓଡ଼ିଆ ଅସ୍ମିତା ମୁଣ୍ଡ ଟେକିଲା I
ସୁଖର କଥା ଯେ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ସମସ୍ତ ନଥିପତ୍ର ପ୍ରସ୍ତୁତ କରାଯିବା ପାଇଁ ଘୋଷଣା କରିବା ପରେ ଓଡ଼ିଆ ଭାଷା ପାଇଁ ନୂତନ ଜାଗରଣ ସୃଷ୍ଟି ହୋଇଛି I ଏହି ଅବସରରେ ସମସ୍ତ ଭାଷାପ୍ରେମୀ ତଥା ଭାଷାଯୋଦ୍ଧାଗଣଙ୍କ ପକ୍ଷରୁ ‘ଭାଷା ଆନ୍ଦୋଳନ, ଓଡିଶା’ ଲୋକଙ୍କ ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି I ମାତୃଭୂମି ଓ ମାତୃଭାଷାର ମହତ ରକ୍ଷାପାଇଁ ଓଡ଼ିଶା ବାସୀ ସଦା ତତ୍ପର ରହିବା ସହିତ ଓଡ଼ିଆ ଭାଷାର ବ୍ୟବହାରକୁ ସଠିକ ଢଙ୍ଗରେ, ସମସ୍ତ ଲେଖାପଢାରେ ତଥା ଆଚରଣ ଓ ଉଚ୍ଚାରଣରେ କରିବାକୁ ନମ୍ର ନିବେଦନ କରୁଛି I ସମସ୍ତ ରାଜ୍ୟସରକାରୀ କର୍ମଚାରୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ ତଥା ଚିଠିପତ୍ର କରିବାକୁ ଆହ୍ବାନ ଦେବା ସହିତ ଆଶା ପ୍ରକଟ କରୁଛି ଯେ, ମୋହନ ସରକାରଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ଉତ୍କଳ ଜନନୀଙ୍କ ସମ୍ମାନ ଆଉ ଭୁଲୁଣ୍ଠିତ ହେବନାହିଁ ଏବଂ ବିକଶିତ ଓଡିଶା ଗଠନ ସମ୍ଭବ ହେବ I
ଆଗାମୀ ଦିନରେ ମୋହନ ସରକାରଙ୍କୁ ଭାଷାର ସୁରକ୍ଷା ପାଇଁ ସବୁମନ୍ତେ ସହଯୋଗ କରିବାକୁ ‘ଭାଷା ଆନ୍ଦୋଳନ, ଓଡିଶା’ ପ୍ରତିଶୃତି ଦେଉଛି I ବନ୍ଦେ ଉତ୍କଳ ଜନନୀ I