ଟାଟା ଷ୍ଟିଲ୍ ପକ୍ଷରୁ ଆଇଆଇଟି ଭୁବନେଶ୍ୱର ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ନବସୃଜନ, ଗବେଷଣା ଓ ଉଦ୍ୟମିତାକୁ ସୁଦୃଢ଼ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ୍ ଏଂଟ୍ରେପ୍ରିନିଉରସିପ୍ ପାର୍କ (ଆଇଆଇଟି ଭୁବନେଶ୍ୱର ଆର୍‌ଇପି) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ।
ଏହି ଏମ୍‌ଓୟୁ ଅଧୀନରେ ଟାଟା ଷ୍ଟିଲ୍ ଏବଂ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍ଥାପନ କରାଯାଇଥିବା କମ୍ପାନି, ଆଇଆଇଟି ଭୁବନେଶ୍ୱର ଆର୍‌ଇପି ପରସ୍ପର ସହ ହାତ ମିଳାଇ ମାଟେରିଆଲ୍‌ସ ପ୍ରୋସେସିିଂ ଓ ମଡେଲିଂ, ଶକ୍ତି ଓ ପରିବେଶ ଏବଂ ଲୋ କାର୍ବନ ଇସ୍ପାତ ଉତ୍ପାଦନ ଓ ସର୍କୁଲାର ଇକୋନମି ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗିତାର ଅନ୍ୱେଷଣ କରିବେ ।ଗତକାଲି ଅ।।ଇଆଇଟି ଭୁବନେଶ୍ୱରଠାରେ ଅନୁଷ୍ଠିତ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଅବସରରେ ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ ଓ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ଆର୍‌ଇପିର ଅଧ୍ୟକ୍ଷ ପ୍ରଫେସର ଶ୍ରୀପଦ କର୍ମାଲକରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ଦୀର୍ଘସ୍ଥାୟୀ ଇସ୍ପାତ ପ୍ରସ୍ତୁତି ଓ ଉନ୍ନତ କଂଚାମାଲ ପାଇଁ ମିଳିତ ଭାବେ ସମାଧାନ ସୃଷ୍ଟି କରିବା ଲାଗି ଆମେ କାମ କରୁଥିବା ବେଳେ ଏହି ଏମ୍‌ଓୟୁ ଆଇଆଇଟି ଭୁବନେଶ୍ୱର ସହିତ ଆମ ସହଯୋଗିତାକୁ ସୁଦୃଢ଼ କରିଛି ।’’
“ଯୁବପିଢ଼ିଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ଗୁଡ଼ିକରେ ଥିବା ବିପୁଳ ସମ୍ଭାବନାକୁ ଟାଟା ଷ୍ଟିଲ୍ ମାନ୍ୟତା ଦେଉଛି । ସରକାରଙ୍କ ସହଯୋଗରେ ଆମ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ଅଭିନବ ଚିନ୍ତାଧାରାର ଏନ୍ତୁଡ଼ିଶାଳରେ ପରିଣତ ହୋଇଛି । ଶିଳ୍ପ ସହିତ ସହଯୋଗିତା ସେହି ଚିନ୍ତାଧାରାଗୁଡ଼ିକୁ ବ୍ୟାପକ କରିବାର ବାର୍ତାବହ ଭାବେ ପରିଣତ ହୋଇଛି । ଓଡ଼ିଶାରେ ଉଦ୍ୟମିତା ଭାବର ପ୍ରସାର କରିବା ଏବଂ ପ୍ରଯୁକ୍ତି ଓ ନବସୃଜନ ଜରିଆରେ ଏକ ସୁଦୃଢ଼ ଭାରତ ଗଠନ କରିବା ଦିଗରେ ସରକାର ଗ୍ରହଣ କରିଥିବା ୧୦୦- କ୍ୟୁବ୍ ଅଭିଯାନ ଏକ ପ୍ରଶସଂନୀୟ ପଦକ୍ଷେପ” ବୋଲି ସେ କହିଛନ୍ତି ।
ଆଇଆଇଟି ଭୁବନେଶ୍ୱର ଆର୍‌ଇପି ସହିତ ଟାଟା ଷ୍ଟିଲ୍‌ର ସହଯୋଗିତାରେ ଯୁଗ୍ମ ଗବେଷଣା ଅଭିଯାନ, ପ୍ରଯୁକ୍ତି ଆଦାନପ୍ରଦାନ ଓ ଷ୍ଟାର୍ଟଅପ୍‌କୁ ସହାୟତା ଆଦି ସାମିଲ ରହିଛି । ଟାଟା ଷ୍ଟିଲ୍ ଏହା ପୂର୍ବରୁ ଆଇଆଇଆଇଟି ଭୁବନେଶ୍ୱର ଆର୍‌ଇପି ସହିତ ବ୍ୟାଟେରି ରିସର୍ଚ୍ଚ ପାଇଁ ସହଯୋଗିତା ସ୍ଥାପନ କରିଥିଲା ।

Leave a Reply

Your email address will not be published. Required fields are marked *