ସୁକିନ୍ଦାରେ ଆଦିମ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ‘ଆକାଂଶା’ ର ଶୁଭାରମ୍ଭପାଶ୍ୱର୍ବର୍ତ୍ତୀ ଗ୍ରାମର ୨୦ ଜଣ ଛାତ୍ରଛାତ୍ରୀ ପ୍ରକଳ୍ପରେ ସାମିଲ

ସୁକିନ୍ଦା, ଜୁନ୍ ୦୬, ୨୦୨୨: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଏହାର ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଭାଗିତାରେ ନିର୍ଦ୍ଧିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ର ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ମାଧ୍ୟମରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ‘ଆକାଂଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ଉଭୟ ଜୁଆଙ୍ଗ ଓ ମାଙ୍କଡ଼ିଆ ଜନଜାତିର ୧୦ ଜଣ ଲେଖାଏଁ ପିଲାଙ୍କୁ ମିଶାଇ ମୋଟ ୨୦ ଜଣ ପିଲାଙ୍କୁ ଚଳିତ ବର୍ଷର ଆକାଂଶା ପ୍ରକଳ୍ପରେ ସାମିଲ କରାଯାଇଛି । ଏହି ପିଲାମାନଙ୍କ ପାଇଁ ଢେଙ୍କାନାଳ ଜିଲ୍ଳାର କଙ୍କଡ଼ାହାଡ଼ ବ୍ଲକ୍ର ସଂସ୍କାର ବିଦ୍ୟାଳୟରେ ପାଠପଢିବା ବ୍ୟବସ୍ଥା କରାଯାଇଛି । ଏହି ଦୁଇଟି ଜନଜାତିର ଅଧିକାଂଶ ପିଲାମାନେ କେବେ ହେଲେ ବିଦ୍ୟାଳୟ ମାଟି ମାଡ଼ିନଥିବା କିମ୍ବା ପରେ ଅଧାରୁ ବିଦ୍ୟାଳୟ ଛାଡ଼ିଦେଇଥିବାରୁ ଏହି ପଦକ୍ଷେପ ଏକ ସକରାତ୍ମକ ସାମାଜିକ ପରିବର୍ତ୍ତନକୁ ସୁନିଶ୍ଚିତ କରିପାରିବ ।
ଏହି ଅବସରରେ ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ସୁଶାନ୍ତ ମିଶ୍ର କହିଛନ୍ତି ଯେ, “ଏହି ପ୍ରକଳ୍ପ ପିଲାମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିପାରିବ । ଏହାସହିତ ସେମାନଙ୍କ ଦକ୍ଷତାର ବିକାଶ ମାଧ୍ୟମରେ ଆଗାମୀ ଦିନରେ ଏକ ପରିବର୍ତ୍ତନକାରୀ ରୂପେ ଉଭା ହେବାକୁ ସୁନିଶ୍ଚିତ କରାଯାଇପାରିବ” ।
ଏହି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା ଓ ସେମାନଙ୍କ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଯାହାଫଳରେ ସେମାନେ ସମାଜର ସମ୍ମୁଖୀନ ହେବା ପାଇଁ ଦୃଢମନା ଏବଂ ଅଧିକ ଆତ୍ମବିଶ୍ୱାସୀ ହେବା ସହିତ ପାଠ୍ୟକ୍ରମର ମୁଖ୍ୟଧାରାକୁ ଫେରିପାରିବେ ।
ପ୍ରକଳ୍ପ ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସେମାନଙ୍କ ପିତା ମାତାଙ୍କ ସମ୍ମତିରେ ପିଲାମାନଙ୍କୁ ଚିହ୍ନଟ କରିବା, ବିଦ୍ୟାଳୟମାନଙ୍କୁ ଚିହ୍ନଟ କରିବା, ବିଦ୍ୟାଳୟରେ ନାମ ଲେଖାଇବା ବ୍ୟବସ୍ଥା, ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା, ପାଠ୍ୟକ୍ରମ ଓ ଛାତ୍ରାବାସ ଫିସ୍ ବ୍ୟବସ୍ଥା, ନିକଟସ୍ଥ ହସ୍ପିଟାଲରେ ମାଗଣା-ସ୍ୱାସ୍ଥ୍ୟ ସେବା ଏବଂ ଏକ ପ୍ରକ୍ରିୟା ମାଧ୍ୟମରେ ପିଲାମାନଙ୍କ ପ୍ରଦର୍ଶନକୁ ନିରୀକ୍ଷଣ କରିବା ଅନ୍ତର୍ଭୁକ୍ତ ।