ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

କଳିଙ୍ଗନଗର, ଅଗଷ୍ଟ ୧୬, ୨୦୨୨: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ସୋମବାର ଦିନ ସମସ୍ତ କୋଭିଡ଼-୧୯ ନିୟମ ଅନୁସରଣ କରି ଉତ୍ସାହ ଓ ଉଦ୍ଦୀପନା ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ଟାଟା ଷ୍ଟିଲ କଳିଙ୍ଗନଗର ଲଜିଷ୍ଟିକ୍ ଅପରେସନ୍ସ୍ ବିଭାଗ ଚିଫ୍ ସି ଏଲ୍ କର୍ଣ୍ଣ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ର ଡେପୁଟି କମାଣ୍ଡାଣ୍ଟ ମହେଶ କୁମାର ଏବଂ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଏହି ଅବସରରେ ସି ଏଲ୍ କର୍ଣ୍ଣ କହିଥିଲେ ଯେ, “ଆସନ୍ତୁ ଆମେ ସମସ୍ତେ ଦେଶକୁ ଏହାର ୭୬ତମ ସ୍ୱାଧୀନତା ଦିବସରେ ସଲାମ ଜଣାଇବା । ନିଜ କଠିନ ପରିଶ୍ରମ ମାଧ୍ୟମରେ ଗତ ୭୫ ବର୍ଷ ମଧ୍ୟରେ ଦେଶକୁ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସହୀଦ ଓ ନେତୃବର୍ଗଙ୍କୁ ଆସନ୍ତୁ ସଲାମ ଜଣାଇବା । ଟାଟା ଷ୍ଟିଲ ଏକ ଅଗ୍ରଣୀ ବ୍ରାଣ୍ଡ ରୂପେ ଆଧୁନିକ ଭାରତର ଭିତ୍ତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ଆମେ ବାସ କରୁଥିବା ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ସୁଯୋଗ । ସ୍ୱାଧୀନତା ପରିବର୍ତ୍ତନ ଆଣିବାର ଶକ୍ତି ପ୍ରଦାନ କରିବା ସହିତ ସକରାତ୍ମକ ଫଳାଫଳ ଦେଇଥାଏ ବୋଲି ଟାଟା ଷ୍ଟିଲରେ ଆମେ ବିଶ୍ୱାସ କରୁ ଓ ଆମେ ଦେଶର ବିକାଶ ଓ ସମୃଦ୍ଧି ପାଇଁ ନିଜ ଉଦ୍ୟମ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ ।”
ଏହି ସମାରୋହରେ ସିଆଇଏସ୍‌ଏଫ୍ ଦଳର ପ୍ୟାରେଡ଼ ଓ ଡ୍ରିଲ୍ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ନିରାପତ୍ତା ଓ ଅଗ୍ନିଶମ ଅଧିକାରୀଙ୍କୁ ସେମାନଙ୍କର ଅନୁକରଣୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରିବା ସହିତ ଏହି ସମାରୋହର ସମାପନ ହୋଇଥିଲା ।


ଏଠାରେ ସୂଚନାଯୋଗ୍ୟ ଯେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ , ‘ହର ଘର ତ୍ରିରଙ୍ଗା’ ଅଭିଯାନର ଅଂଶବିଶେଷ ଭାବେ ଅଗଷ୍ଟ ୧୩ ତାରିଖରୁ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରତ୍ୟେକ ବିଭାଗରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଗତ ଜୁଲାଇ ମାସରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଏକ ବିଶାଳ ବୃକ୍ଷରୋପଣ ଅଭିଯାନର ଆୟୋଜନ କରାଯାଇଥିଲା । ବୃକ୍ଷରୋପଣ ଅଭିଯାନର ଅଂଶବିଶେଷ ଭାବେ କାରଖାନା ପରିସରରେ ୧୨୦୦ ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *