ଖୋର୍ଦ୍ଧା ବେଗୁନିଆରେ ମାନବଵାଦ ସଙ୍ଗଠନର ତାଲିବାନୀ ଶାସନ : ସାମିଲ ନହେବାରୁ ବାପ ପୁଅଙ୍କୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ

ଖୋର୍ଦ୍ଧା :୨୭/୮(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବେଗୁନିଆର କଡବ ପଞ୍ଚାୟତ ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ । ଦଳିତଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ଡିଣ୍ଡିମ ପିଟୁଥିବା ମାନବବାଦ ସଙ୍ଗଠନର ବର୍ବରତା କାହାଣୀ ବିଗତ ଦିନରେ ଲୋକଲୋଚନକୁ ଆସିଥିବା ବେଳେ ପୁନର୍ବାର ଆଉ ଏକ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ନିଜେ ସଙ୍ଗଠନ ସଦସ୍ୟ ଉତ୍ତୋଳନ କରିଥିବା ଭିଡ଼ିଓ ହେଲା ଭାଇରାଲ । ଲୋକଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାର ପ୍ରୟାସ ଫେଲ ମାରିବାରୁ ମାନବିକତାର ସମସ୍ତ ସୀମା ଟପିଯିବା ସହିତ ରକ୍ତମୁଖା ହୋଇ ଜଘନ୍ୟ କାଣ୍ଡ  ଘଟାଇବାକୁ ତିଳେ ହେଲେ ସଙ୍କୋଚବୋଧ କରୁନାହାନ୍ତି ଏହି ମାନବବାଦ ସଂଗଠନର କର୍ମକର୍ତ୍ତା । ଭାଇରାଲ ହୋଇଥିବା ଭିଡ଼ିଓରେ ଦୁଇ ବାପ ପୁଅଙ୍କୁ ଗୋରୁଗାଈଙ୍କ ଭଳି ପିଟିବା ଘଟଣା ଅତ୍ୟନ୍ତ ଦୁଃଖଦ ପୂର୍ଣ ଏବଂ ହୃଦୟ ବିଦାରକ । ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ମାତ୍ର ୫୦କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦କିଲୋମିଟର ଦୂରରେ ଚାଲିଛି ଏପରି ବର୍ବର କାଣ୍ଡ, ହେଲେ ଆଶ୍ଚର୍ଯ୍ୟର କଥା ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନାହିଁ ।

ଇଏ ସେଇ ମାନବବାଦ ସଙ୍ଗଠନ, ଯାହାର କିଛି ସଦସ୍ୟ ଗତ ଅଗଷ୍ଟ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । ପୋଲିସ ଏ ଘଟଣାରେ କେବଳ ହତ୍ୟାକାଣ୍ଡରେ ସାମିଲ ଥିବା ସଙ୍ଗଠନର କିଛି ସଦସ୍ୟଙ୍କୁ ଗିରଫ କରି ତା କାମ ସାରିଦେଇଥିବା ମନେ ହେଉଥିବା ବେଳେ ଯାହା ଇଙ୍ଗିତରେ ଏହି ଜଘନ୍ୟ କାଣ୍ଡ ଘଟିଗଲା, ସେ ମୁଖ୍ୟ ଆସାମୀକୁ ଗିରଫ କରିବାରେ ବିଳମ୍ବ ପୋଲିସର ନିଷ୍କ୍ରିୟତାକୁ ଦର୍ଶାଉଛି ।

ସେହିପରି ଏହି ହତ୍ୟାକାଣ୍ଡ ଘଟଣାର ଦୀର୍ଘ ଦୁଇମାସ ପୂର୍ବରୁ କଡ଼ବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର ସଦସ୍ୟ ମାନେ ଘରୁ ଡାକିନେଇ କରଡ଼ଗାଡ଼ିଆ ଗ୍ରାମର ଏକ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଆହୁରି ଅନେକ ପରିବାର ଏହି ସଙ୍ଗଠନର ଅକଥନୀୟ ଅତ୍ୟାଚାର ର ଶିକାର ହେଉଥିବା ଶୁଣିବାକୁ ମିଳିଛି। କିନ୍ତୁ ସଙ୍ଗଠନ କର୍ମକର୍ତ୍ତାଙ୍କ ଦ୍ୱାରା ନିଜ ଜୀବନ ହରେଇବା ଭୟରେ କେବଳ ମାଗୁଣି ଏବଂ ତାଙ୍କ ପୁଅ ନୁହେଁ ଅଞ୍ଚଳର ଅନେକ ଲୋକ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ବ୍ୟକ୍ତି ପେସାରେ ଜଣେ ଓକିଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି ଭାଇରଲ ଭିଡ଼ିଓ ସମ୍ପର୍କରେ କୌଣସି ରିପୋର୍ଟ କିମ୍ବା ସଙ୍ଗଠନ ବିରୁଦ୍ଧରେ କୌଣସି ଅଭିଯୋଗ ଆମପାଖକୁ ଆସିନି । ତେବେ ଘଟଣାର ତଦନ୍ତ କରି ଆମେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଏହା ସହିତ ଖୋର୍ଦ୍ଧା ଏସ୍.ପି ଶ୍ରୀଯୁକ୍ତ ରାଜକିଶୋର ଦୋରା ମଧ୍ୟ ସମାନ କଥା ଗଣ ମାଧ୍ୟମ ଆଗରେ କହିଛନ୍ତି । ପୋଲିସର ଏହିଭଳି ବକ୍ତବ୍ୟ ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଥିବା ସତ୍ତ୍ୱେ କେଉଁ କାରଣରୁ ପୋଲିସ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜ୍ଜୁ ନ କରି ଚୁପ ହୋଇ ରହିଛି, ତାହା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି ।

Leave a Reply

Your email address will not be published. Required fields are marked *