ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ

-ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱଯ
-୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହାର ବାଲିଆପାଳ ଫିଜିକାଲ ଏଜୁକେସନ୍ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ପ୍ରଥମ ବ୍ୟାଚ୍‌ର ପ୍ରଶିକ୍ଷଣ ଆରମ୍ଭଯ

ବାଲିଆପାଳ, ଅକ୍ଟୋବର ୨୧, ୨୦୨୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ (ଏସ୍‌ପିପିଏଲ୍‌) ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ ଟାଟା ଷ୍ଟିଲର ପ୍ରମୁଖ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଠାନ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ (ଜେଏନ୍‌ଟିଭିଟିଆଇ) ର ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ।
ଏହି ଅନୁଷ୍ଠାନକୁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଣ୍ଡେ ଶୁକ୍ରବାର ଦିନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ, ଟାଟା ଷ୍ଟିଲର ଶିକ୍ଷା ଓ ବିକାଶ ବିଭାଗ ଚିଫ୍ ଜୟ ସିଂହ ପଣ୍ଡା ଏବଂ ବାଲିଆପାଳର ନାଗରିକମାନେ ଉପସ୍ଥିତ ଥିଲେ ।


ବାଲିଆପାଳର ଫିଜିକାଲ ଏଜୁକେସନ୍ ମହାବିଦ୍ୟାଳୟ (ବିସିପିଇ) କ୍ୟାମ୍ପସରେ ଅବସ୍ଥିତ ଏହି କେନ୍ଦ୍ରରେ ଉନ୍ନତମାନର ଶ୍ରେଣୀଗୃହ ରହିଛି । ଏଠାରେ ଆଗାମୀ ୬ ମାସ ମଧ୍ୟରେ ୫ଟି ବ୍ୟାଚ୍‌ରେ ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟସ୍ଥଳୀ ନିରାପତ୍ତା ସୁପରଭାଇଜର, ସିଭିଲ ସୁପରଭାଇଜର ଓ ମେକାନିକାଲ ଫିଟର ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଆଜି ୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ ବ୍ୟାଚ୍ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ।
ଏହି ପଦକ୍ଷେପ ପାଇଁ ସୁବର୍ଣ୍ଣରେଖା ବନ୍ଦରକୁ ପ୍ରଶଂସା କରି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିଣ୍ଡେ କହିଛନ୍ତି ଯେ, “ବାଲିଆପାଳ ଭଳି ଏକ ଆଭ୍ୟନ୍ତରୀଣ ଅଂଚଳରେ ପ୍ରତିଷ୍ଠିତ ଓ ପେସାଦାର ଢଙ୍ଗରେ ପରିଚାଳିତ ବୈଷୟିକ ଅନୁଷ୍ଠାନ ସ୍ଥାନୀୟ ବାଳକ ଓ ବାଳିକାଙ୍କୁ ସଶକ୍ତ କରିବାରେ ନିଶ୍ଚିତ ଭାବେ ସହାୟକ ହେବ । ଏହାସହିତ ଉକ୍ତ ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କ ଦକ୍ଷତାର ବିକାଶ ହେବା ସହିତ ଓଡ଼ିଶାରେ, ଦେଶ ମଧ୍ୟରେ ଓ ବାହାରେ ଔଦ୍ୟୋଗିକ କ୍ଷେତ୍ରରେ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିବ ।”
ସମସ୍ତ ପ୍ରକାର ସହାୟତା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ କହିଛନ୍ତି ଯେ, “ସ୍ଥାନୀୟ ଅଂଚଳର ଅର୍ଥନୈତିକ ପ୍ରଗତି ସହିତ ଯୁବବର୍ଗମାନଙ୍କ ଦକ୍ଷତାର ବିକାଶ ମାଧ୍ୟମରେ ସେମାନଙ୍କୁ ବର୍ତମାନ ଓ ଭବିଷ୍ୟତରେ ସୃଷ୍ଟି ହେବାକୁଥିବା ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଇପାରିବ । ତେବେ ଏ ଦିଗରେ ଜେଏନ୍‌ଟିଭିଟିଆଇ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅନୁଷ୍ଠାନ ଦକ୍ଷ ଶ୍ରମଶକ୍ତିର ଆବଶ୍ୟକତା ଓ ଉପଲବ୍ଧତା ମଧ୍ୟରେ ଥିବା ବ୍ୟବଧାନକୁ ପୁରଣ କରିବାରେ ସହାୟତା କରିବ । ଆମ ବନ୍ଦରର ଅଗ୍ରଗତି ସହିିତ ଏଠାରେ ଖୁବ ଶୀଘ୍ର ସୃଷ୍ଟି ହେବାକୁଥିବା ଆଗାମୀ ନିଯୁକ୍ତି ସୁଯୋଗ ପାଇଁ ଉନ୍ନତମାନର ଶ୍ରମଶକ୍ତି ମଧ୍ୟ ସୃଷ୍ଟି କରାଯାଇପାରିବ ।
ଏହି ଅବସରରେ ଜେଏନ୍‌ଟିଭିଟିଆଇର ନିର୍ଦ୍ଦେଶକ ଭି କେ ବର୍ମା, ଏସ୍‌ପିପି ର ବରିଷ୍ଠ ମହା ପ୍ରବନ୍ଧକ ସମରେନ୍ଦୁ ପଟ୍ଟନାୟକ, ବିସିପିଇର ସଭାପତି ଅଦ୍ୱେତ କୁମାର ପାତ୍ର ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


ଟାଟା ଷ୍ଟିଲର ଏକ ସହଯୋଗୀ ସଂସ୍ଥା ଏସ୍‌ପିପିଏଲ୍ ନିରନ୍ତର ଭାବେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଯୋଗଦାନ ଦେଇଆସିଛି । ବର୍ତମାନ ସୁଦ୍ଧା ଜାମସେଦପୁର ଜେଏନ୍‌ଟିଭିଟିଆଇରେ ବାଲିଆପାଳ ଓ ବସ୍ତାର ୧୭ ଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବାବେଳେ ଏହାମଧ୍ୟରୁ ସମସ୍ତ ୧୭ ଜଣ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ପାଇସାରିଛନ୍ତି । ଏହାବ୍ୟତୀତ ଜାମସେଦ୍‌ପୁରଠାରେ ଆଉ ୨ ଜଣ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଜାରି ରହିଛି ।
ଜାମସେଦ୍‌ପୁରରେ ଅବସ୍ଥିତ ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲର କ୍ଷମତା ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏକ ପବ୍ଲିକ୍ ଚେରିଟେବୁଲ ଟ୍ରଷ୍ଟ । ୨୦୧୫ ମସିହାରେ ଜାମସେଦପୁରଠାରେ ଏହାର ପ୍ରଥମ କେନ୍ଦ୍ର ଖୋଲାଯାଇଥିଲା । ଏହାପରଠାରୁ ଟାଟା ଷ୍ଟିଲର କାର୍ଯ୍ୟକ୍ଷେତ୍ର ଥିବା ୫ଟି ସ୍ଥାନରେ ଏହାର କ୍ୟାମ୍ପସ୍ ଖୋଲାଯାଇଛି । ଜେଏନ୍‌ଟିଭିଟିଆଇ ଆଶାୟୀ ନିଯୁକ୍ତିଦାତାଙ୍କ ଆବଶ୍ୟକତାକୁ ଆଧାର କରି ୧୫୦ ଟି ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରୁଛି । ସଫଳତାପୂର୍ବକ ପ୍ରଶିକ୍ଷଣ ସମାପ୍ତ କରିବା ପରେ ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲର ଭେଣ୍ଡର ସହଯୋଗୀ ଓ ଅନ୍ୟ ସଂସ୍ଥାଗୁଡ଼ିକରେ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *