+୨ ପରୀକ୍ଷା ବାତିଲ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶିକ୍ଷାର୍ଥୀ

ଖୋର୍ଦ୍ଧା : ୦୩/୦୫/୨୦୨୧ : ଯୁକ୍ତ ପରୀକ୍ଷା ବାତିଲ ଦାବିରେ ଖୋର୍ଦ୍ଧା ଅନୁଖଣ୍ଡ ଅଧୀନରେ ଥିବା ସମସ୍ତ ଜୁନିୟର କଲେଜରେ ଯୁକ୍ତଦୁଇ ପରୀକ୍ଷାକୁ ବାତିଲ କରିବା ଦାବିରେ ପୁନର୍ବାର ଛଅଟି କଲେଜର ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବିକ୍ଷୋଭ କରିଥିଲେ ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗକୁ କୋଭିଡ କ୍ଷେତ୍ରରେ ସଚେତନତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଥିଲେ। ଫଳରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଅନଲାଇନ ଯୋଗେ ପିଲାଙ୍କ ପାଠପଢ଼ା ଜାରି ରହିଥିବା ସତ୍ତ୍ୱେ ମଧ୍ୟ ଅନେକ ସ୍ଥାନରେ ଅନଲାଇନ ପାଠପଢ଼ା ସ୍ବଭାବିକ ହୋଇପାରିନାହିଁ।ତେଣୁ ଏହାକୁ ଉପଲବ୍ଧି କରି ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଛନ୍ତି। ମାତ୍ର +୨ର ପରୀକ୍ଷାକୁ କାହିଁକି ବାତିଲ କରାଯିବ ନାହିଁ ବୋଲି ଛାତ୍ରମାନେ ପ୍ରଶ୍ନ କରିଥିଲେ। ପରୀକ୍ଷାବାତିଲ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ କରୋନାରୁ ସୁରକ୍ଷା ଦେଉଥିବା ବେଳେ +୨ର ଛାତ୍ରଛାତ୍ରୀମାନଙ୍କ ପ୍ରତି ଅହେତୁକ ମନୋଭାବ ସେମାନଙ୍କୁ କଠୋର ଆଘାତ ଦେଇଛି ବୋଲି ଛାତ୍ରଛାତ୍ରୀମାନେ ଗଣମାଧ୍ୟମ ଆଗରେ କହିଥିଲେ ।

ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଆଦର୍ଶ ଥାନା ଅଧିକାରୀ ଙ୍କ ସମେତ କିଛି ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାରେ ରାସ୍ତା ଅବରୋଧରୁ ଛାତ୍ରଛାତ୍ରୀମାନେ ଉଠିଥିଲେ । ପରେ ଛାତ୍ର ରୁଦ୍ରାଭିଷେକ ମାନଧାତାଙ୍କ ନେତୃତ୍ବରେ ଏକଟିମ୍ ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଏ ବିକ୍ଷୋଭରେ ଦେବାଶିଷ ପ୍ରଧାନ, ଆଶିଷ ମହାରଣା, ରାକେଶ କୁମାର ଖଟୁଆ, ବୈଭବ ସାମନ୍ତରାୟ ଉମେଶ ମହାନ୍ତି, ସତ୍ୟଜିତ ବ୍ରହ୍ମା ପ୍ରମୁଖ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।